Odiapua.com

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ରାଜ୍ୟ ବିଜେପିର ରାଜ୍ୟ କାର୍ଯ୍ୟାଳୟ ଠାରେ ଭାରତୀୟ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡକ୍ଟର ବାବାସାହେବ ଭୀମରାଓ ଆମ୍ବେଦକରଙ୍କର ୬୬ ତମ ମହାପ୍ରୟାଣ ଦିବସ ଶ୍ରାଦ୍ଧୋତ୍ସବ ରାଜ୍ୟ ଅନୁସୂଚୀତ ଜାତିମୋର୍ଚ୍ଚାର ସଭାପତି ଡଃ. ବିଭୁ ପ୍ରସାଦ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ପ୍ରତିମୂର୍ତ୍ତିରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ମାଲ୍ୟାର୍ପଣ କରି ଭକ୍ତିପୂତ ପ୍ରଣାମ ଓ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ସଭାରେ ରାଜ୍ୟ ସଭାପତି ସମୀର ମହାନ୍ତି ମୁଖ୍ୟ ଅତିଥି ରୂପରେ ମଞ୍ଚାସୀନ ଥିଲେ। ଡଃ. ଭୀମରାଓ ଆମ୍ବେଦକର ଭାରତର ପ୍ରମୁଖ ରାଷ୍ଟ୍ରୀୟ ନେତା ଥିଲେ ଏବଂ ତାଙ୍କ ଜୀବନ ଓ ଦର୍ଶନ ତଥା ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ତାଙ୍କ ଉଦ୍ୟମ ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି କହିଥିଲେ। ଆମେ ସମସ୍ତେ ତାଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ଅନୁସରଣ କରିବା ଉଚିତ୍ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ।ରାଜ୍ୟ ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ ଅନୁସୂଚୀତ ଜାତିବର୍ଗ ନିଜକୁ ସଙ୍ଗଠିତ କରି ତୃଣମୂଳସ୍ତରକୁ ନିଜକୁ ସୁଦୃଢ଼ କରି ନିଜର ଅଧିକାରକୁ ସାବ୍ୟସ୍ତ କରିବାକୁ କହିଥିଲେ। ରାଜ୍ୟରେ କ୍ରମଶଃ ଦଳିତ ମହିଳା ମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ସମ୍ପର୍କରେ ଉଲ୍ଲେଖ କରିବା ସହିତ ଏ ଦିଗରେ ସମଗ୍ର ରାଜ୍ୟ ଭ୍ରମଣକରି ପୀଡିତମାନଙ୍କୁ ନ୍ୟାୟ ଦେବାକୁ ମୋର୍ଚ୍ଚା ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିରୋଧୀ ଦଳ ଉପନେତା ଶ୍ରୀ ବିଷ୍ଣୁ ସେଠୀ, ବିଧାୟକ ମୋହନ ମାଝୀ, ନାଉରୀ ନାଏକ, ଡ. ମୁକେଶ ମହାଲିଙ୍ଗ୍‌, ମୋହନ ଜେନା, ଦିଲୀପ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ବାବୁ ସିଂ, ଶୁଭ୍ରାଂଶୁ ପାଢୀ, କରେନ୍ଦ୍ର ମାଝି, ବାଇଧର ମଲ୍ଲିକ, ବସନ୍ତ ନାଏକ, ଡ. ରବି ବେହେରା, ନିରଞ୍ଜନ ମିଶ୍ର, କାଳୁ ଖଣ୍ଡାୟତ ରାୟ, କୃଷ୍ଣଚନ୍ଦ୍ର ମଲ୍ଲିକ, ରାଜେନ୍ଦ୍ର ପଣ୍ଡା ଓ ଡ. କଳ୍ପନା ମଲ୍ଲିକଙ୍କ ସମେତ ବହୁ ନେତୃବୃନ୍ଦ ଡଃ. ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
-/DevDrath