Odiapua.com

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ: ଜାଣନ୍ତୁ, କେତେବେଳେ କ’ଣ ସବୁ ରହିଛି କାର୍ଯ୍ୟକ୍ରମ ..

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା ଆସନ୍ତା ୨୯ ଏବଂ ୩୦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡାଙ୍କ ପ୍ରଥମ ଓଡ଼ିଶା ଗସ୍ତ। ଏହି ଦୁଇ ଦିନିଆ ଗସ୍ତ କାଳରେ ରାଷ୍ଟ୍ରୀୟ ସଭାପତିଙ୍କର ବ୍ୟାପକ କାର୍ଯ୍ୟକ୍ରମ ସବୁ ରହିଛି। ସୂଚନାନୁଯାୟୀ ୨୯ ତାରିଖ ଦିନ ୧୧ଟା ୪୫ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ନଡ୍ଡାଙ୍କୁ ସେଠାରୁ ସ୍ୱାଗତ କରାଯାଇ ଏକ ବିରାଟ ବାଇକ୍ ରାଲି ଜରିଆରେ ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବ। ଏହାପରେ ମଧ୍ୟାହ୍ନ ଗୋଟାଏ ସମୟରେ ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ଶକ୍ତିକେନ୍ଦ୍ର ପ୍ରମୂଖ ମାନଙ୍କୁ ନେଇ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଉଦ୍ବୋଧନ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହାପରେ ଅପରାହ୍ନ ୩ଟା ୩୦ ସମୟରେ ରାଜ୍ୟ କାର୍ଯ୍ୟଳୟରେ ନିର୍ବାଚିତ ସାଂସଦ ଏବଂ ବିଧାୟକ ମାନଙ୍କ ସହିତ ବୈଠକ ନେବେ ନଡ୍ଡା। ଏହାପରେ ଅପରାହ୍ନ ୪ଟା ୪୫ ସମୟରେ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ପ୍ରଭାରୀ ମାନଙ୍କ ସହିତ ବୈଠକ ନେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ। ସନ୍ଧ୍ୟା ୬ଟା ୧୫ରେ ସଂଘ ପରିବାର ସହିତ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କର ଏକ ରୁଦ୍ଧଦ୍ୱାର ବୈଠକ ହେବ। ସନ୍ଧ୍ୟା ୮ଟା ସମୟରେ ନଡ୍ଡା ପୁରୀ ଅଭିମୁଖେ ବାହାରିବା ସହ ସେଠାରେ ମେ’ ଫେୟାର ହୋଟେଲରେ ରାତ୍ରୀଯାପନ କରିବେ।୩୦ ତାରିଖ ସକାଳ ୭ଟା ୩୦ରେ ଶ୍ରୀମନ୍ଦିର ଦର୍ଶନ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହାପରେ ଭଦ୍ରକ ଅଭିମୁଖେ ବାହାରି ଦିନ ପ୍ରାୟ ୧୦ଟା ସମୟରେ ତିହିଡ଼ିରେ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ସ୍ବର୍ଗତ ବିଷ୍ଣୁ ଚରଣ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତତ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବେ ନଡ୍ଡା। ଏହାପରେ କଟକ ଫେରି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଓଲଟପୁର ନିକଟରେ ନିର୍‌ତାରରେ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ନଡ୍ଡା। ଏହାପରେ ପୁଣି ଭୁବନେଶ୍ୱର ଜନତା ମୈଦାନରେ ମଧ୍ୟାହ୍ନ ଗୋଟାଏ ସମୟରେ ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ ବୈଠକରେ ଯୋଗଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଅପରାହ୍ନ ୩ଟା ୩୦ ସମୟରେ ଭୁବନେଶ୍ୱର ସ୍ଥିତ ମେ’ ଫେୟାର ହୋଟେଲରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ ନଡ୍ଡା। ଏହାପରେ ଅପରାହ୍ନ ୫ଟା ସମୟରେ ମେ’ ଫେୟାର ହୋଟେଲରେ ରାଜ୍ୟ କୋର୍ କମିଟି ବୈଠକରେ ଯୋଗଦେବେ ନଡ୍ଡା। ଏହାପରେ ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ୱର ମହାନଗର ନିଗମ ୨୯ ନମ୍ବର ୱାର୍ଡରେ ବୁଥ ସ୍ତରର ବୈଠକରେ ଯୋଗଦେଇ ପ୍ରାୟ ୮ଟା ୩୦ ସମୟରେ ନୂଆଦିଲ୍ଲୀ ଅଭିମୁଖେ ଫେରିଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା।
-/DevDrath