ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା ଆସନ୍ତା ୨୯ ଏବଂ ୩୦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡାଙ୍କ ପ୍ରଥମ ଓଡ଼ିଶା ଗସ୍ତ। ଏହି ଦୁଇ ଦିନିଆ ଗସ୍ତ କାଳରେ ରାଷ୍ଟ୍ରୀୟ ସଭାପତିଙ୍କର ବ୍ୟାପକ କାର୍ଯ୍ୟକ୍ରମ ସବୁ ରହିଛି। ସୂଚନାନୁଯାୟୀ ୨୯ ତାରିଖ ଦିନ ୧୧ଟା ୪୫ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ନଡ୍ଡାଙ୍କୁ ସେଠାରୁ ସ୍ୱାଗତ କରାଯାଇ ଏକ ବିରାଟ ବାଇକ୍ ରାଲି ଜରିଆରେ ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବ। ଏହାପରେ ମଧ୍ୟାହ୍ନ ଗୋଟାଏ ସମୟରେ ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ଶକ୍ତିକେନ୍ଦ୍ର ପ୍ରମୂଖ ମାନଙ୍କୁ ନେଇ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଉଦ୍ବୋଧନ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହାପରେ ଅପରାହ୍ନ ୩ଟା ୩୦ ସମୟରେ ରାଜ୍ୟ କାର୍ଯ୍ୟଳୟରେ ନିର୍ବାଚିତ ସାଂସଦ ଏବଂ ବିଧାୟକ ମାନଙ୍କ ସହିତ ବୈଠକ ନେବେ ନଡ୍ଡା। ଏହାପରେ ଅପରାହ୍ନ ୪ଟା ୪୫ ସମୟରେ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ପ୍ରଭାରୀ ମାନଙ୍କ ସହିତ ବୈଠକ ନେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ। ସନ୍ଧ୍ୟା ୬ଟା ୧୫ରେ ସଂଘ ପରିବାର ସହିତ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କର ଏକ ରୁଦ୍ଧଦ୍ୱାର ବୈଠକ ହେବ। ସନ୍ଧ୍ୟା ୮ଟା ସମୟରେ ନଡ୍ଡା ପୁରୀ ଅଭିମୁଖେ ବାହାରିବା ସହ ସେଠାରେ ମେ’ ଫେୟାର ହୋଟେଲରେ ରାତ୍ରୀଯାପନ କରିବେ।
-/DevDrath