ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତ ମାସରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି ଏଲ୍ ସନ୍ତୋଷ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ଏବଂ ଏହା ପରେ ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କର ମଧ୍ୟ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସୂଚନା ମୁତାବକ ବି ଏଲ୍ ସନ୍ତୋଷ ସମ୍ଭବତଃ ମେ’ ମାସ ମଧ୍ୟ ଭାଗରେ ଓଡ଼ିଶା ଆସିପାରନ୍ତି। ଓଡ଼ିଶାରେ ବିଜେପି ଏବେ ଏକ ଶୋଚନୀୟ ପରିସ୍ଥିତି ଭିତରେ ଗତି କରୁଛି। ଏମିତିରେ ପ୍ରଥମେ ପଞ୍ଚାୟତ, ଜିଲ୍ଲା ପରିଷଦ ନିର୍ବାଚନ ଏବଂ ପରେ ଅର୍ବାନ୍ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ରାଜ୍ୟ ବିଜେପିରେ ନେତୃତ୍ୱ ପରିବର୍ତ୍ତନ ପାଇଁ ତୃଣମୂଳ ସ୍ତରରୁ ଦାବୀ ଜୋର୍ ଧରିଛି। ତେଣେ, ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ, ଦଳ ଭିତରେ ଭୟଙ୍କର ଗୋଷ୍ଠୀ ବିବାଦ, ପରିବାରବାଦ ରାଜନୀତି, ଆତ୍ମଘାତୀ ଆଇଟି ସେଲ୍, ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ପ୍ରବକ୍ତା ମାନଙ୍କ କାର୍ଯ୍ୟକଳାପ ଆଦି ମଧ୍ୟରେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀଙ୍କ ଗସ୍ତ ଏବଂ ପରେ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତ ବଡ଼ ଗୁତୁତ୍ୱ ବହନ କରୁଛି।
@DevD