Odiapua.com

ବିଜେପି ମହିଳା ମୋର୍ଚ୍ଚାକୁ ଟାର୍ଗେଟ୍ କଲା ବିଜେପି ମହିଳା ମୋର୍ଚ୍ଚା !

ଭୁବନେଶ୍ୱର: ଟାର୍ଗେଟରେ ବିଜେପି ମହିଳା ମୋର୍ଚ୍ଚା। ତେବେ ଏହି ଟାର୍ଗେଟ୍ ଆଉ କେହି ନୁହେଁ, ବିଜେପି ମହିଳା ମୋର୍ଚ୍ଚାକୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ। କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ବିଏମସି ପକ୍ଷରୁ ଅଫିସ୍ ସିଲ୍ କରାଯିବା ପରେ ରାସ୍ତା କଡ଼ରେ ଟେଣ୍ଟ୍ ଟାଣି ଅସ୍ଥାୟୀ କାର୍ଯ୍ୟାଳୟ କରି ଜନ ଶୁଣାଣୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହାସହ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ କୋଭିଡ୍ ପଜିଟିଭ୍ ଥିବା ଜଣେ ମନ୍ତ୍ରୀ ଏବଂ ଜଣେ ବିଧାୟକ ଯୋଗ ଦେଇଥିବା କଥା ଉଠାଇ ଗୋଟିଏ ରାଜ୍ୟରେ ଦୁଇ ଜଣଙ୍କ ପାଇଁ ଅଲଗା ଅଲଗା ନିୟମ କ’ଣ ପାଇଁ ବୋଲି ପ୍ରଶ୍ନ କରିଥିଲେ ଅପରାଜିତା। ତିର୍ତ୍ତୋଲ ବିଜେଡି ମିଟିଂରେ ବିଜେଡି ନେତାଙ୍କ ସହ ୩୦୦ ଲୋକ ମାସ୍କ ପିନ୍ଧିନଥିଲେ। ସେହିପରି ବିଜେଡିର ଆହୁରି କିଛି ନେତା କୋଭିଡ୍ ନିୟମ ଉଲଘଂନ କରିଥିବା ଅଭିଯୋଗ କରିବା ସହ ବିଜେଡି କାର୍ଯ୍ୟଳୟରେ କୋଭିଡ୍ ନିୟମ ଉଲଘଂନ କଥା ଉଠାଇ ବିଜେଡି କାର୍ଯ୍ୟାଳୟ କେବେ ସିଲ୍ ହେବ ବୋଲି ପ୍ରଶ୍ନ ଉଠାଇଥିଲେ ଅପରାଜିତା। ଶେଷରେ ସମୟ ସୀମା ପୂର୍ବରୁ ମାତ୍ର ୮ ଦିନରେ ଅପରାଜିତାଙ୍କ ଅଫିସ୍ ସିଲ୍ ଖୋଲିଦେଲା ବିଏମସି।

ତେବେ ଏ’ ଭିତରେ ଅପରାଜିତାଙ୍କ ଏ’ ଲଢ଼େଇ ସେ ନିଜେ ଲଢ଼ୁଥିବାର ଦେଖାଗଲା। ବିଜେପି ପକ୍ଷରୁ ତାଙ୍କୁ ସେପରି କୌଣସି ସମର୍ଥନ ମିଳିବାର ଦେଖାଗଲା ନାହିଁ। ଏ’ ବିବାଦରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଠାରୁ ଆରମ୍ଭ କରି କୌଣସି ପ୍ରମୂଖ ନେତାନେତ୍ରୀଙ୍କ ସମର୍ଥନ ଦେଖିବାକୁ ମିଳିଲାନି। ଏପରିକି ଦଳର ଜଣେ ମହିଳା ନେତ୍ରୀଙ୍କ ପ୍ରସଙ୍ଗ ହୋଇ ମଧ୍ୟ ରାଜ୍ୟ ମହିଳା ମୋର୍ଚ୍ଚା ମଧ୍ୟ ମୌନ ରହିଲା। ଯାହାକୁ ନେଇ ରାଜ୍ୟ ମହିଳା ମୋର୍ଚ୍ଚାର ବିଗତ ସଭାନେତ୍ରୀ ସୀମନ୍ତିନୀ ଜେନା ପ୍ରଶ୍ନ ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ୍ କଲେ। ଅଭିଯୋଗ ନେଇ ବିଏମସି କାର୍ଯ୍ୟଳୟକୁ ଯାଇଥିବା ଅବସରରେ, “ଏ’ ବିରୋଧ ବେଶୀ ଦୃଢ଼ ହୋଇଥାନ୍ତା ଯଦି ବର୍ତ୍ତମାନ ମହିଳା ମୋର୍ଚ୍ଚା ଏ’ କାମକୁ ହାତକୁ ନେଇଥାଆନ୍ତା। ପବ୍ଲିକକୁ ଭଲ ମେସେଜ୍ ଯାଇଥାଆନ୍ତା। ଭୁଲ କହିଲିକି ଆଜ୍ଞା। ବିଷୟ ଅପରାଜିତା ନୁହେଁ, ମୁଖ୍ୟ ବିଷୟ ହେଲା ସେ ଜଣେ ମହିଳା ଏବଂ ଆମ ଦଳର। ତା’ ପରେ ଅନ୍ୟ କଥା। ମାନିବେ ନାଁ, ନାହିଁ” ବୋଲି ପ୍ରଶ୍ନ କରି, ଏବେକାର ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କୁ ଟ୍ୟାଗ୍ କରି ସୀମନ୍ତିନୀ ଜେନା ସୋସିଆଲ୍ ମିଡିଆରେ ପୋଷ୍ଟ୍ କଲେ। ବାସ୍ତବରେ ଏ’ ନେଇ ମହିଳା ମୋର୍ଚ୍ଚାର ଏବେକାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କିମ୍ବା ପୂର୍ବତନ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କର ଅପରାଜିତାଙ୍କ ସମର୍ଥନରେ ସେପରି କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା। ଅବଶ୍ୟ ପ୍ରଭାତୀ ପରିଡ଼ା କରୋନା ପଜେଟିଭ୍ ଆକ୍ରାନ୍ତ ହୋଇ କିଛି ଦିନ ହେଲା ଅସୁସ୍ଥ ଥିଲେ। ତେବେ ଅସୁସ୍ଥ ହୋଇନଥିଲେ ଯେ, ସେ କିଛି ପ୍ରତିକ୍ରିୟା ରଖିଥାଆନ୍ତେ ବୋଲି ସେମିତି କିଛି ମାନେ ନାହିଁ। କାରଣ କେହି ଜଣେ ବି ବିଜେପିର ପ୍ରମୁଖ ନେତା ବା ନେତ୍ରୀ ଅପରାଜିତାଙ୍କ ସପକ୍ଷରେ ସେପରି ବାହାରିବାର ଦେଖାଗଲା ନାହିଁ।
/- ଦେବଦତ୍ତ ରଥ