Odiapua.com

‘ପରୀ’ ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ: ଅରୁଣ ସାହୁଙ୍କୁ ମନ୍ତ୍ରୀ ମଣ୍ଡଳରୁ ତୁରନ୍ତ ବହିଷ୍କାର ଦାବୀ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ‘ପରୀ’ ଘଟଣାକୁ ନେଇ ଆଜି ବିକ୍ଷୋଭ ଶୋଭାଯାତ୍ରା କରିବା ସହ ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ନେଇ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା। ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି ଯେ, ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ଜୁଲାଇ ମାସରେ ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷ ନାବାଳିକା ଝିଅକୁ କିଛି ଦୁର୍ବୁତ୍ତ ଅପହରଣ କରି ତାର କିଡିନ ଏବଂ ଆଖିକୁ ବିଭତ୍ସ ଭାବେ ତାଡ଼ି ନେଇ ମୃତ ଦେହକୁ ଏକ ବସ୍ତାରେ ବାନ୍ଧି ପୋଫାଡ଼ି ଦେଇଥିଲେ। ଏହି ଘଟଣାରେ ପରିବାର ଲୋକଙ୍କ ତରଫରୁ ଜୁଲାଇ ୧୪ ତାରିଖରେ ନୟାଗଡ଼ ଥାନାରେ ଏତଲା ଦିଆଯାଇ ଥିଲେ ବି ବର୍ତ୍ତମାନ ସୁଦ୍ଧା ପୋଲିସ ଅପରାଧୀଙ୍କୁ ଗିରଫ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣାରେ ସଂପୃକ୍ତ ଅପରାଧୀ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ଘନିଷ୍ଠ ହୋଇଥିବାରୁ ପୋଲିସ ଜାଣିଶୁଣି ଏହି ଘଟଣାକୁ ରଫାଦଫା କରିବା ଲାଗି ପରିବାର ଉପରେ ଚାପ ପକାଉଛି। ଏହି ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ବାବୁଲା ନାଏକଙ୍କୁ ତୁରନ୍ତ ଗିରଫ କରିବା ଏବଂ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇ ରଖିଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା ସହ ତାଙ୍କୁ ତଦନ୍ତ ପରିସର ଭୃକ୍ତ କରିବା ଦାବୀ କରିଛି ବିଜେପି ମହିଳା ମୋର୍ଚ୍ଚା। ଏ’ ନେଇ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ରାଜ୍ୟ କାର୍ଯ୍ୟାଳୟରୁ ମହିଲା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମାଷ୍ଟର କ୍ୟାଣ୍ଟିନ ଛକରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ, ଏବେ କେବଳ ନୟାଗଡ଼ ନୁହେଁ ସାରା ରାଜ୍ୟରେ ନାବାଳିକା ଝିଅମାନେ ଅସୁରକ୍ଷିତ ଅଛନ୍ତି। ଦୀର୍ଘ ୨୦ ବର୍ଷ ଶାସନରେ ମହିଳା ସୁରକ୍ଷା ଦିଗରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନ’ନେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। କେବଳ ସେତିକି ନୁହେଁ ଶାସକ ଦଳର ନେତା ଓ କର୍ମୀମାନେ ଅଧିକାଂଶ ନାବାଳିକା ଏବଂ ମହିଳା ଅପରାଧରେ ସଂପୃକ୍ତ ରହୁଛନ୍ତି। ପୋଲିସ ମଧ୍ୟ ଅପରାଧୀଙ୍କୁ ଗିରଫ ନକରି ସେମାନଙ୍କୁ ସୁରକ୍ଷା ଦେଇ ଆସୁଛି। ମୁଖ୍ୟମନ୍ତ୍ରୀ ନିର୍ବାଚନ ସମୟରେ ମା’ ଙ୍କୁ ସମ୍ମାନର ନାରା ଦେଇଥିଲେ। ୨୦୧୮ ମସିହାରେ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ନାବାଳିକା ଦୁଷ୍କର୍ମ ବିରୁଦ୍ଧରେ ଲୋକଙ୍କୁ ସଚେତନ କରାଇବା ପାଇଁ “ପରୀ ପାଇଁ କଥାଟିଏ” ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ନାବାଳିକା ମାନଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ଜିଲ୍ଲାରେ ‘ପରୀ ରଥ’ ବୁଲା ଯାଇଥିଲା। କିନ୍ତୁ ପରୀ ରଥ ବୁଲାଇଥିବା ସରକାର ଏବଂ ପୋଲିସ ଆଜି ଜଣେ ୫ ବର୍ଷର ନାବାଳିକା ତଥା ପରୀକୁ ନ୍ୟାୟ ଦେଇପାରୁ ନାହାଁନ୍ତି। ଏହା ହେଉଛି ଗୃହ ବିଭାଗ ଏବଂ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା। ଲୋକଙ୍କୁ ସଚେତନ କରୁଥିବା ପୋଲିସ ଆଜି ଶାସକ ଦଳ ଇଙ୍ଗିତରେ ନାଚୁଛି। ପରୀ ହତ୍ୟାକାଣ୍ଡରେ ଖୋଦ୍ ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟ ଅପରାଧୀ ଏବଂ ତା’ର ସହେଯାଗୀ ମାନଙ୍କୁ ଖୁଲମଖୁଲା ସୁରକ୍ଷା ଦେଉଛନ୍ତି। ଶାସକ ଦଳ ଚାପରେ ପୋଲିସ ନୀରବଦଷ୍ଟ୍ରା ସାଜିଛି। ନାଁ, ତଦନ୍ତ ଆଗଉଛି ନାଁ, ପରିବାର ଲୋକଙ୍କୁ ନ୍ୟାୟ ମିଳୁଛି। ଆଉ କେତେ ପରୀଙ୍କ ଜୀବନ ଗଲେ ରାଜ୍ୟ ସରକାର ଏବଂ ପୋଲିସ ତପ୍ତରତା ଦେଖାଇବେ ବୋଲି ବୋଲି ସ୍ମୃତି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ପରୀ ହତ୍ୟାକାଣ୍ଡକୁ ସାଢେ ୪ ମାସ ବିତିଥିଲେ ମଧ୍ୟ ପୋଲିସ ଅପରାଧୀକୁ ଗିରଫ ନକରି ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ନିର୍ଦ୍ଦେଶରେ ଓଲଟା ପୀଡ଼ିତା ପରିବାର ଲୋକଙ୍କୁ ଧମକ ଦେଇ ଚାଲିଛି। ମୁଖ୍ୟ ଅଭିଯୁକ୍ତ ବାବୁଲା ଏବେ ଶାସକ ଦଳର ଛତ୍ରଛାୟା ତଳେ ଖୁଲୁମଖୁଲା ଅଙ୍ଗପ୍ରତ୍ୟଙ୍ଗ ଚୋରା କାରବାରର ର‌୍ୟାକେଟ ଚଲାଇଛି। ପରୀକୁ ହତ୍ୟା କରି ତାର ଅଙ୍ଗପ୍ରତ୍ୟଙ୍ଗକୁ ବିକ୍ରି କରାଯାଇଛି ଏବଂ ଏହା ପଛରେ ଶାସକ ଦଳ ପୋତ୍ସାହନରେ ଏକ ବଡ଼ ର‌୍ୟାକେଟ କାମ କରୁଛି। ପରୀକୁ ନ୍ୟାୟ ଦେଇପାରୁ ନଥିବା ସର୍ବସାଧାରଣରେ ପୋଲିସର ନଗ୍ନ ଚିତ୍ର ଓ ଚରିତ୍ର ସାମ୍ନାକୁ ଆସିଛି ବୋଲି ସ୍ମୃତି ଅଭିଯୋଗ କରିଛନ୍ତି। ଏହି ଘଟଣାର ତୁରନ୍ତ ଏକ ନିରପେକ୍ଷ ତଦନ୍ତ କରାଯାଇ ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ଏବଂ ତା’ର ସହେଯାଗୀଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ। ଏହି ଘଟଣାରେ ସଂପୃକ୍ତି ଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୃକ୍ତ କରାଯାଉ। ଘଟଣାକୁ ଗୁରୁତର ସହ ନ’ନେବା ଏବଂ ପୀଡ଼ିତା ପରିବାର ଲୋକଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ଅଭିଯୋଗରେ ଜିଲ୍ଲା ଏସପି ଏବଂ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ମୃତି ପଟ୍ଟନାୟକ ଦାବି କରିଛନ୍ତି। ପରୀକୁ ନ୍ୟାୟ ନ’ମିଳିଲେ ଏହି ଆନ୍ଦୋଳକୁ ଆହୁରି ବ୍ୟାପକ କରାଯିବ ଏବଂ ଆଗାମୀ ଦିନରେ ଏହି ଆନ୍ଦୋଳନ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କରାଯିବ ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭ ସମାବେଶ କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ବ୍ୟତୀତ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ବିଜେପି ରାଜ୍ୟ ଉପାଧ୍ୟକ୍ଷା ଅନିତା ଶୁଭଦର୍ଶିନୀ, ରାଜ୍ୟ ବିଜେପି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟା ତଥା ନୟାଗଡ଼ ନେତ୍ରୀ ଇରାଣୀ ରାୟ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ, ଡାଃ ଐଶ୍ଵର୍ଯ୍ୟା ବିଶ୍ୱାଳ, ରଶ୍ମିରେଖା ଦାସ, କସ୍ତୁରୀ ମିଶ୍ର, ସୁଜତା ପାଢ଼ୀ, ଯାଜ୍ଞସେନୀ ଜେନା, ବବିତା ମଲ୍ଲିକ, ରଶ୍ମିମୟୀ ପଟ୍ଟନାୟକ, ରାଜ୍ୟ ପ୍ରବକ୍ତା ସୋନାଲି ସାହୁ, ପ୍ରବୀଣା ଭଞ୍ଜଦେଓ, ଶଶୀପ୍ରଭା ରଥ, ବନ୍ଦନା ଦାସ କାନୁନଗୋ, ସଙ୍ଗୀତା ମାଝୀ, ତୃପ୍ତି ମକଦ୍ଦମ, ସୁବାସିନୀ ବଳ, ପ୍ରବୀଣା ମହାପାତ୍ର, ସୁଭାସିନୀ ପୃଷ୍ଟି ଏବଂ ମାନସୀ ମଞ୍ଜରୀ ରାୟ ପାଢ଼ୀ ପ୍ରମୂଖ ବହୁ ସଂଖ୍ୟାରେ ବିଜେପି ଏବଂ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ, କାର୍ଯ୍ୟକର୍ତ୍ତା ସାମିଲ ଥିଲେ।  @DevDR