Odiapua.com

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ସମାଲୋଚନା କରି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ମୈାନଧାରଣା

ଭୁବନେଶ୍ୱର: ବହୁଚର୍ଚ୍ଚିତ ମମିତା ମେହେରା ହତ୍ୟାକାଣ୍ଡରେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ସ୍ପଷ୍ଟ ହେବାରେ ଲାଗିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ସବୁ ଜାଣି ମଧ୍ୟ ନିରବ ଅଛନ୍ତି। ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଘନିଷ୍ଠ ସଂପର୍କ ଏବଂ ପ୍ରାୟଦିନ ମହାଲିଙ୍ଗସ୍ଥିତ ସନସାଇନ ସ୍କୁଲକୁ ଆସି ରାତ୍ରଯାପନ କରିବା, ବେସରକାରୀ ଶିକ୍ଷାନୁଷ୍ଠାନ ହୋଇଥିବା ସତ୍ତ୍ୱେ ସନସାଇନ ସ୍କୁଲକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଅଜସ୍ର ପରିମାଣର ଆର୍ଥୀକ ଅନୁଦାନ ପ୍ରଦାନ କରିବା, ‘ସନସାଇନ ସ୍କୁଲକୁ ଆସିଲେ, ମୁଁ ଯୁବକ ହୋଇଯାଏ’ ଭଳି ମନ୍ତ୍ରୀଙ୍କ ବିବୃତି, ପରିବାରବର୍ଗ ଓ ସ୍ଥାନୀୟବାସିନ୍ଦାଙ୍କ ମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଦି ଶ୍ରୀ ମିଶ୍ରଙ୍କ ସଂପୃକ୍ତିକୁ ସ୍ପଷ୍ଟ ପ୍ରମାଣିତ କରୁଛି। କ୍ଷମତାର ଅପବ୍ୟବହାର କରି ମନ୍ତ୍ରୀ ଶ୍ରୀ ମିଶ୍ର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ସୁରକ୍ଷା ଯୋଗାଇ ଦେବା ସହ ହତ୍ୟାକାଣ୍ଡ ସଂପର୍କରେ ସମସ୍ତ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରିବାର ଷଡ଼ଯନ୍ତ୍ର କରିଛନ୍ତି। ‘ମାର୍ ମାର୍ ଭଣ୍ଡାରିଆକୁ ମାର୍‌’ ନୀତିରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରି ଏହି ଘଟଣାର ମାଷ୍ଟରମାଇଣ୍ଡ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଖସାଇ ଦେବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର କଳକୈାଶଳକୁ ଆପଣାଇଛନ୍ତି। ଗୃହ ବିଭାଗର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ସବୁ ଜାଣିଶୁଣି ମଧ୍ୟ ନୀରବତା ଅବଲମ୍ବନ କରିବା କାରଣରୁ ବିଜେପ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରେ ମୈାନ ଧାରଣାରେ ବସିଥିଲେ।

ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ଜନତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା ଅତ୍ୟନ୍ତ ଦୁଃଖଦାୟକ। ରାଜ୍ୟର ମା’ ଓ ଭଉଣୀମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ କ୍ଷମତାର ଅପବ୍ୟବହାର କରି ନିଜ ଦଳ ଏବଂ ଦଳର ଅପରାଧିକ ତତ୍ୱଙ୍କ ସୁରକ୍ଷାରେ ପୋଲିସ ବିଭାଗକୁ ନିୟୋଜିତ କରୁଛି ଶାସକ ବିଜେଡି। ମମିତା ହତ୍ୟାକାଣ୍ଡ ଘଟିଯିବାର ଦୀର୍ଘ ୧୭ ଦିନ ବିତିଯାଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ନୀରବ ରହିଛନ୍ତି। ‘ଆଇନ ତା ବାଟରେ ଯିବ’ ବୋଲି ବାରମ୍ବାର କହୁଥିବା ମୁଖ୍ୟମନ୍ତ୍ରୀ ପୁଣି ଥରେ ଆଇନ ବାଟରେ ଛିଡ଼ା ହୋଇ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି। ତେଣୁ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ନିଜ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି ଗିରଫ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପୁଣି ଥରେ ଦାବି କରିଛନ୍ତି। ଏହି ମୈାନ ଧାରଣାରେ ସ୍ମୃତି ପଟ୍ଟନାୟକଙ୍କ ସମେତ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅପର୍ଣ୍ଣା ଧିରସିଂହ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନା, ରଶ୍ମୀରେଖା ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିମୟୀ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ର, କଟକ ଜିଲ୍ଲା ସଭାନେତ୍ରୀ ଯାଜ୍ଞସେନୀ ଜେନା, ଜୟନ୍ତୀ ପଢୀଆରୀ, ସୁବାଷିନୀ ପୃଷ୍ଟି, ତୃପ୍ତି ମକଦ୍ଦମ, ସୁବାଷିନୀ ବଳ, ପୂର୍ଣ୍ଣିମା ଦାସ, ସଂଗୀତା ଦାସ, ପଦ୍ମଜା ଦେବତା, ଉନ୍ନତି ପରିଡ଼ାଙ୍କ ସମେତ ବହୁ ସଂଖ୍ୟାରେ ମହିଳା କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
-@Dr