Odiapua.com

ପ୍ରଧାନମନ୍ତ୍ରୀଙ୍କ ୭୧ ତମ ଜନ୍ମ ଦିନ ଉପଲକ୍ଷେ ସେବା ଓ ସମର୍ପଣ ପକ୍ଷ ଆରମ୍ଭ: ଲିଙ୍ଗରାଜ ମନ୍ଦିରରେ ମୋଦିଜୀଙ୍କ ଦୀର୍ଘାୟୁ କାମନା କରି ୭୧ଟି ଦୀପ ଜାଳିଲା ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୧ ତମ ଜନ୍ମ ଦିବସ ଅବସରରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମୋଦିଜୀଙ୍କର ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରି ୭୧ଟି ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଉପଲକ୍ଷେ “ସେବା ଓ ସମର୍ପଣ” କାର୍ଯକ୍ରମ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଏହି ଉପଲକ୍ଷେ ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ରାଜ୍ୟ କାର୍ଯ୍ୟାଳୟଠାରେ ରକ୍ତଦାନ ଶିବିର, ମହିଳା ମୋର୍ଚ୍ଚା ତରଫରୁ ପ୍ରତ୍ୟେକ ମେଡିକାଲ୍‌ରେ ଫଳ ବଣ୍ଟନ ଆଦି କରାଯାଇଛି। ୨୦ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଶ୍ୱର ଯଶ୍ୱସୀ ନେତା ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଜନହିତକାରୀ କାର୍ଯ୍ୟକ୍ରମର ବାର୍ତ୍ତା ମାନ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମତବ୍ୟକ୍ତ କରିଛନ୍ତି। ଏହି ଉପଲକ୍ଷେ ଦଳର ୩୬ ଗୋଟି ସାଂଗଠନିକ ଜିଲ୍ଲା, ସମସ୍ତ ମଣ୍ଡଳ ସ୍ତରରେ ସେବା ମୂଳକ କାର୍ଯ୍ୟକ୍ରମ, କୃଷକ ଏବଂ ସୈନିକ ମାନଙ୍କୁ ସମ୍ବର୍ଦ୍ଧନା, ଦିବ୍ୟାଙ୍ଗ ମାନଙ୍କୁ ସହାୟତା ଆଦି ବିଭିନ୍ନ କାର୍ଯ୍ୟକ୍ରମମାନ ସପ୍ତାହେ ବ୍ୟାପୀ ପାଳନ କରାଯିବ ବୋଲି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଲ୍ୟକାଳରୁ ଏପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ତାଙ୍କ କୃତିତ୍ୱ ଜୀବନ ଚରିତ ସମ୍ବଳିତ ଫଟୋଚିତ୍ର ପ୍ରଦର୍ଶନୀ ରାଜ୍ୟ ସଭାପତି ସମୀର ମହାନ୍ତି ଓ ସାଂସଦ ଜୁଏଲ ଓରାମଙ୍କ ଦ୍ୱାରା ରାଜ୍ୟକାର୍ଯ୍ୟାଳୟ ଠାରେ ଉଦ୍‌ଘାଟିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଦେଶ ସେବାରେ ୧୭ ରୁ ୧୮ ଘଣ୍ଟା ପରିଶ୍ରମ କରି ଦେଶବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଏକକାଳୀନ ଭାବରେ ସର୍ବବୃହତମ ଗଣତାନ୍ତ୍ରିକ ଦେଶରେ ରାଷ୍ଟ୍ରରେ ଲଗାତାର ଭାବରେ ୨୦ ବର୍ଷ ମା’ ଭାରତୀର ସେବା କରିବା ପାଇଁ ଜନପ୍ରତିନିଧି ହିସାବରେ ଯେଉଁ ସୁଯୋଗ ପାଇଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିବା ସହ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ବିଜେପି ନେତୃତ୍ୱ ଏବଂ କାର୍ଯ୍ୟକର୍ତ୍ତା।

ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଉପସଭାନେତ୍ରୀ ଅନିତା ପ୍ରିୟଦର୍ଶନୀ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଠାକୁର୍ ରଞ୍ଜିତ୍ ଦାସ୍‌, ରମାରଞ୍ଜନ ବଳିୟାରସିଂ, ରାଜେନ୍ଦ୍ର ପଣ୍ଡା, ବୁଦ୍ଧଜିବୀ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ସଜ୍ଜନ ଶର୍ମା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ଲିଗାଲ ସେଲ୍ ସଂଯୋଜକ ରବି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ଯୁବମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ସଂଗ୍ରାମ କେଶରୀ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ୍ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା ଓ ହିଂମାଶୁ ଛୋଟରାୟ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନୀ ପାତ୍ର ପ୍ରମୂଖ ଉପସ୍ଥିତ ଥିଲେ।
-@Dr