Odiapua.com

ଗୋଳିଆ ପାଣିର ଫାଇଦା ଉଠାଇଚାଲିଛି ବିଜେପି

ଭୁବନେଶ୍ୱର ୧୯-୩ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ଗତକାଲି ବିଜେଡ଼ି ଘୋଷଣା କରିଥିଲା ତା’ର ପ୍ରଥମ ପ୍ରାର୍ଥୀ ତାଲିକା। ୨୪ ଘଣ୍ଟା ନପୁରୁଣୁ ଦଳ ଭିତରେ ଅସନ୍ତୋଷର ମାତ୍ରା ଶିଖରକୁ ପହଁଞ୍ଚି ସାରିଲାଣି। ଘୋଷଣା କରାଯାଇଥିବା ଅନେକ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଉପରେ ସ୍ଥାନୀୟ କର୍ମୀ ଓ ବିଜେଡ଼ି ପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିବା ଆରମ୍ଭ କରିଦେଲେଣି। ଇସ୍ତପାର ସୂଅ ମଧ୍ୟ ଛୁଟିବାକୁ ଲାଗିଲାଣି। ବିଜେଡ଼ିରୁ ଇସ୍ତପା ଦେଉଥିବା ନେତାମାନଙ୍କୁ ଆପଣେଇ ନଉଛି ବିଜେପି। ରାଜ୍ୟ ରାଜନୀତିରେ ବର୍ତ୍ତମାନ ୨୦୦୯ ଏବଂ ୨୦୧୪ ରାଜନୈତିକ ପରିସ୍ଥିତି ଆଉ ନାହିଁ। ସେହି ସମୟରେ ବିଜେଡ଼ି ଓଡ଼ିଶାରେ ଏକମାତ୍ର ଅପରାଜୟ ଦଳ ଥିଲା। ୨୦୧୪ ମସିହାରେ ସାରାଦେଶରେ ମୋଦୀ ହାୱା ଥିବା ସତ୍ତ୍ୱେ ଓଡ଼ିଶାରେ ବିଜେପି ଆଖି ଦୃଶିଆ ସଫଳତା ପାଇନଥିଲା। ଏହାର କାରଣ ଥିଲା ସାଂଗଠନିକ ଦୁର୍ବଳତା। ମାତ୍ର ୨୦୧୯ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଗତ ପାଞ୍ଚବର୍ଷ ଧରି ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରି ବିଜେପି କେତେକାଂଶରେ ଓଡ଼ିଶା ବାସୀଙ୍କର ଆସ୍ଥାଭାଜନ ହୋଇପାରିଛି। ବିଜେଡ଼ିର ବିକଳ୍ପ ଭାବରେ ନିଜକୁ ଉପସ୍ଥାପିତ କରିବାରେ ସକ୍ଷମ ହୋଇପାରିଛି। ଏଭଳି ପରିସ୍ଥିତିରେ ବିଜୁ ଜନତା ଦଳର ଟିକେଟ ବଣ୍ଟା ପଦ୍ଧତିକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ବିଜେଡ଼ି ନେତା ଓ କର୍ମୀ। କେଉଁ ଆଧାର ଓ ମାପକାଠିରେ ଟିକେଟ ବଣ୍ଟନ ହେଉଛି ତାହା ଏମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି। କିଛି ମୁଷ୍ଟିମେୟ ଏବଂ ଅନଭିଜ୍ଞ ଯୁବ ବିଧାୟକଙ୍କ ଗୋଟି ଚାଳନାରେ ବିଜଡ଼ି ଟିକେଟ ବାଣ୍ଟୁଛି ବୋଲି ରାଜ୍ୟବାସୀ ଅନୁଭବ କରିସାରିଲେଣି। ନବୀନ ଘୋଷଣା କରିଥିବା ଟିକେଟ ବଣ୍ଟନର ମାପକାଠିକୁ ଯେଉଁ ପଦ୍ଧତି ଦ୍ୱାରା ପରିଚାଳନା କରାଯାଉଛି ତାହାକୁ ରାଜ୍ୟବାସୀ ଏହା ଯୁବନେତାଙ୍କ ଚାଲ ବୋଲି ଜାଣିପାରୁଛନ୍ତି। ସ୍ୱାମୀ ବଦଳରେ ସ୍ତ୍ରୀକୁ, ବାପ ବଦଳରେ ପୁଅକୁ ଏବଂ ପରିବାରର ଅନ୍ୟ ସଦସ୍ୟକୁ ଟିକେଟ ଦେଇ ନବୀନ କି ନିର୍ବାଚନୀ ସଂସ୍କାର ଆପଣଉଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେବା ଆରମ୍ଭ କଲେଣି। ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛିଯେ, ବିଜେଡ଼ି ତା’ର ଆସନ୍ତା ପ୍ରାର୍ଥୀ ତାଲିକା ଯେଉଁ ଭାବରେ ପ୍ରକାଶ କରିବାକୁ ଯାଉଛି ତାହା ପ୍ରକାଶ ପାଇବା ପରେ ଦଳ ଦୁଇ ଗୋଷ୍ଠିରେ ବିଭକ୍ତ ହୋଇଯିବ ଏଥିରେ ସନ୍ଦେହର ଅବକାଶ ନାହିଁ। ବିଜେଡ଼ିର ମଙ୍ଗ ଧରିଥିବା ଏହି ମୁଷ୍ଟିମେୟ ଯୁବ ବିଧାୟକମାନେ ଅତି ଚତୁରତାର ସହିତ ନିଜକୁ ସୁହାଇଲା ଭଳି ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛନ୍ତି। ଯେଉଁ ସରକାରୀ ବାବୁମାନେ ମଧ୍ୟ ବିଜେଡ଼ି ଟିକେଟ ଚୟନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ସେମାନେ ମଧ୍ୟ ତାଙ୍କ ନିଜସ୍ୱ ସ୍ୱାର୍ଥ ହାସଲ ପାଇଁ ପ୍ରାର୍ଥୀ ଚୟନ କରୁଛନ୍ତି। ତେଣୁ କର୍ମୀ ଓ ସ୍ଥାନୀୟ ନେତା ତଥା ଆଶାୟୀମାନେ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ଦଳ ବିରୋଧରେ ଯାଇ ଖୋଲାଖୋଲି ବିଜେପିକୁ ସମର୍ଥନ କରିବେ ବୋଲି ପୂର୍ବାଭାସ ମିଳୁଛି। ବିଜୁ ଜନତା ଦଳ ହାତଗଣତି ଯୁବନେତା ଓ ଅଫିସରଙ୍କର ମାଧ୍ୟମରେ ଯେଉଁଭଳି ଭାବରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରୁଛି ତାହାକୁ ନବୀନ ପ୍ରେମୀ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ତେଣୁ ବିଜେଡ଼ିର ଏହି ଗୋଳମାଳିଆ ରାଜନୀତିରୁ ଫାଇଦା ଉଠାଇବା ପାଇଁ ଅତି ଚତୁରତାର ସହ ଗୋଟି ଚାଳନା କରୁଛି ବିଜେପି।