Odiapua.com

ଦଳିତ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାର ନିରପେକ୍ଷ ତଦନ୍ତ ଦାବିରେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି। ମହିଳାଙ୍କ ପ୍ରତି ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଅସଦାଚରଣ, ଦୁଷ୍କର୍ମ, ଘରୋଇ ହିଂସା ଏବଂ ହତ୍ୟା ଘଟଣା ଆଦି ବୃଦ୍ଧି ପାଇବାରେ ଲାଗିଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କେ- ନୂଆଗାଁ ଥାନା ଦେଓଖାଳି ଗ୍ରାମର ଏକ ଦଳିତ ଛାତ୍ରୀଙ୍କୁ କିଛି ଦୁର୍ବୁତ୍ତ ଗତ ମେ ମାସ ୧୦ ତାରିଖରେ ଜୋଡ଼ା ନଦୀ ପଠାରେ ଦୁଷ୍କର୍ମ କରି ହତ୍ୟା କରିଥିଲେ। ଏହି ଘଟଣାକୁ ୫ ମାସରୁ ଉର୍ଦ୍ଧ୍ୱ ବିତିଥିଲେ ମଧ୍ୟ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ଏ’ ପର୍ଯ୍ୟନ୍ତ ଗିରଫ କରିପାରିନାହିଁ। ପୀଡ଼ିତା ପରିବାର ଗରିବ ଏବଂ ଦଳିତ ହୋଇଥିବାରୁ ବାରମ୍ବାର ଅଭିଯୋଗ ପରେ କେ- ନୂଆଗାଁର ପୋଲିସ ଘଟଣାର ତଦନ୍ତ କରୁନାହିଁ କି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ପୀଡ଼ିତା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୀଡ଼ିତା ପରିବାରକୁ ନ୍ୟାୟ ଏବଂ ହତ୍ୟାର ନିରପେକ୍ଷ ତଦନ୍ତ ଦାବିରେ ବିଜେପି ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରାଇବା ସହ ଏତଲା କପି ପ୍ରଦାନ କରିଛନ୍ତି।

ମେ ୧୦ ତାରିଖ ମାତୃ ଦିବସ ଦିନ ଦିଗପହଣ୍ଡି ବ୍ଲକ ଦେଓଖାଳି ଗ୍ରାମର ଜଣେ ଦଳିତ ଛାତ୍ରୀଙ୍କୁ ପ୍ରଥମେ ଦୁଷ୍କର୍ମ ଏବଂ ପରେ ତାଙ୍କୁ ହତ୍ୟା କରାଯାଇଛି। ଏ’ ସଂପର୍କରେ ଥାନାରେ ଅଭିଯୋଗ ହେବା ପରେ ପ୍ରଥମେ ପୋଲିସ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ଅପମୃତ୍ୟୁର ରୂପ ଦେଇ ଘଟଣାକୁ ଭିନ୍ନ ମୋଡ଼ ଦେବା ଲାଗି ପ୍ରୟାସ କରିଥିଲା। ଏହା କ’ଣ ମାତୃ ଦିବସରେ ମା’ଙ୍କୁ ସମ୍ମାନ ବୋଲି ବିଜେପି ପ୍ରଶ୍ନ କରିବା ସହ ମହିଳାଙ୍କୁ ସମ୍ମାନର ନାରା ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଆଜି ମହିଳା ମାନଙ୍କ ପାଇଁ ଅସୁରକ୍ଷିତ ହୋଇ ପଡ଼ିଛି ବୋଲି ଅଭିଯୋଗ କରିଛି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଏବଂ ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରେ ମହିଳା ନ୍ୟାୟ ପାଉ ନାହାଁନ୍ତି। ଶାସକ ଦଳ ଚାପରେ ପୋଲିସ କାର୍ଯ୍ୟ କରୁଛି ଏବଂ ଜାଣିଶୁଣି ଏହି ଘଟଣାରେ ସଂପୃକ୍ତ ଥିବା ଦୋଷୀ ମାନଙ୍କୁ ଘଣ୍ଟ ଘୋଡ଼ାଉଛି। ଏଭଳି ଅଭାବନୀୟ ଘଟଣାକୁ ୫ ମାସ ପୂରିଥିଲେ ବି ଦୁଷ୍କର୍ମକାରୀ ଏବଂ ହତ୍ୟାକାରୀ ମାନେ ଖୁଲମଖୁଲା ବାହାରେ ବୁଲିବା ପଛରେ ଶାସକ ଦଳର ସଂପୃକ୍ତି ଥିବା ସ୍ପଷ୍ଟ ବାରି ହେଉଛି। ବାରମ୍ବାର ପୀଡିତା ପରିବାର ଜିଲ୍ଲା ଥାନା ଅଧିକାରୀଙ୍କୁ ନ୍ୟାୟ ପାଇଁ ଗୁହାରୀ କଲେ ମଧ୍ୟ କେହି ବି ତାଙ୍କ କଥା ଶୁଣୁ ନାହାଁନ୍ତି। ପୋଲିସର ନିଷ୍କ୍ରିୟତା ପାଇଁ ଆଜି ପୀଡ଼ିତା ପରିବାର ନ୍ୟାୟ ପାଇବାରୁ ବଞ୍ଚିତ ରହିଛି। ମାସ ମାସ ବିତୁଥିଲେ ବି ପୋଲିସ ଏବଂ ପ୍ରଶାସନ ଏହି ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ସମାନ ଆଇନ କହୁଥିବା ବେଳେ ଏଠି ହୋଦରା ନୀତି କାହିଁକି ଆପଣାଯାଇଛି। ଯଦି ମୃତକ ଦଳିତ ନ’ହୋଇ ଉଚ୍ଚ ଜାତି କିମ୍ବା ଧନିକ ଶ୍ରେଣୀର ହୋଇଥାନ୍ତେ ତେବେ ପୋଲିସ ପ୍ରଶାସନ ସକ୍ରିୟ ହୋଇ କାର୍ଯ୍ୟ କରିଥାଆନ୍ତା। ରାଜ୍ୟରେ ଦଳିତ ହୋଇ ଜନ୍ମ ନେବା ଏକ ଅଭିଶାପ ପାଲଟିଛି। ଅନ୍ୟ ରାଜ୍ୟରେ କିଛି ଦୁଷ୍କର୍ମ ଘଟଣା ଘଟିଲେ ଶାସକ ଦଳର ନାରୀ ନେତ୍ରୀମାନେ ହୀନ ରାଜନୀତି କରି ବୟାନ ବାଜି କରୁଛନ୍ତି। କିନ୍ତୁ, ନିଜ ରାଜ୍ୟରେ ସମାନ ଘଟଣାରେ ଚୁପ୍ ରହି ଅନ୍ୟାୟକୁ ପ୍ରସୟ ଦେଉଛନ୍ତି। ଶାସକ ଦଳ ନାରୀ ନେତ୍ରୀମାନଙ୍କର ଏ କି ପ୍ରକାର ମାନସିକତା ବୋଲି ପିଙ୍କି ପ୍ରଶ୍ନ କରିଛନ୍ତି। ଏହି ଘଟଣାକୁ ଗୁରୁତ୍ୱ ଦେଇ ମାନବାଧିକାରୀ କମିଶନ ଏହାର ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରତିନିଧୀ ଦଳ ଦାବି କରିଛି। ଏହା ସହ ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀ ଏବଂ ସ୍ଥାନୀୟ ପୋଲିସର ଅବହେଳା ଓ ନିଷ୍କ୍ରିୟତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି।ଏହି ପ୍ରତିନିଧୀ ଦଳରେ ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନଙ୍କ ସମେତ ମୁଖପାତ୍ର ସୋନାଲୀ ସାହୁ ଓ ଯୁବ ସଙ୍ଗଠକ ଅନନ୍ତ ନାରାୟଣ ମହାନ୍ତି ପ୍ରମୁଖ ସାମିଲ ଥିଲେ।
/- ଦେବଦତ୍ତ ରଥ