Odiapua.com

ବିଜେପିର ବ୍ଲକ ଘେରାଉ ଓ ତାଲାପକା କାର୍ଯ୍ୟକ୍ରମ:ଶେଷ ଘେରାଉ ଏବଂ ତାଲା ପକା ଏବେ ବାକି ଅଛି!

ଭୁବନେଶ୍ୱର;୦୫,ନଭେମ୍ବର:ବିଜେପି ପକ୍ଷରୁ ଏବେ ଚାଲିଛି ବ୍ଲକ ଘେରାଉ କାର୍ଯ୍ୟକ୍ରମ।ବିଜେଡି ଶାସନ କାଳରେ ପିସି,ଦୁର୍ନୀତି,ଭ୍ରଷ୍ଟାଚାର ଏବଂ ପ୍ରିୟାପ୍ରୀତି ତୋଷଣ ଆଦି ବିରୋଧରେ ରାଜ୍ୟର ସମସ୍ତ ଜିଲ୍ଲାର ବିଭିର୍ଣ୍ଣ ବ୍ଲକରେ ବିଜେପି କରୁଛି ସମାବେଶ,ବିକ୍ଷୋଭ ଏବଂ ଘେରାଉ।ବାସ୍ତବରେ ଦେଖିବାକୁ ଗଲେ ବିଜେଡି ବିରୋଧରେ ବିଜେପି ପକ୍ଷରୁ ବୋଧହୁଏ ପ୍ରଥମ ଥର ପାଇଁ ଏପରି ବଡ଼ ଧରଣର ସମାବେଶ,ବିକ୍ଷୋଭ ବା ଘେରାଉ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି।କାର୍ଯ୍ୟକ୍ରମ ଖୁବ୍ ପ୍ରଭାବୀ ରହୁଛି।ବହୁ ସଂଖ୍ୟାରେ ଜନସମାଗମ ହେଉଛି।ବିଜେଡି ବିରୋଧରେ ଜନ ଆକ୍ରୋଶ ସୃଷ୍ଟି କରାଯାଉଛି।ପୂର୍ବରୁ ବିଜେପିର କେବଳ ମହିଳା ମୋର୍ଚ୍ଚାକୁ ବଡ଼ ଧରଣର କାର୍ଯ୍ୟକ୍ରମ,ମହିଳା ସୁରକ୍ଷା ଯାତ୍ରା,କୋକେଇ ଯାତ୍ରା ଆଦି କରିବାର ଦେଖିବାକୁ ମିଳୁଥିଲା।କିନ୍ତୁ ମୂଳ ବିଜେପି ଏବଂ ଯୁବ ମୋର୍ଚ୍ଚା ଆଦି କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ମାଟିରେ ସ୍ୱାଗତ କରିବା ଭିତରେ ସୀମିତ ଥିଲେ।କିନ୍ତୁ ଏବେ ପ୍ରଥମ ଥର ପାଇଁ ବିଜେପିର ଏକ ବଡ଼ କାର୍ଯ୍ୟକ୍ରମ ଦେଖିବାକୁ ମିଳିଲା।ସେହିପରି ସୁପ୍ତ ଥିବା କିମ୍ବା କେବଳ ସେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସ୍ୱାଗତ ପାଇଁ ବାଇକ ରାଲି ଭିତରେ ସୀମିତ ଥିବା ବିଜେପି ଯୁବ ମୋର୍ଚ୍ଚା ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ତାଲା ପକାଇବା ଅଭିଯାନ କଲା।ବାସ୍ତବରେ ବିଜେପି ବୋଧେ ଏବେ ସକ୍ରିୟ ହୋଇଯାଇଛି।କିନ୍ତୁ,ବିଜେପିର ଏ ସକ୍ରିୟତା,ଏ ବିକ୍ଷୋଭ, ସମାବେଶ, ତାଲା ପକା, ଘେରାଉ ଆଦିର ପରିଣାମ କ’ଣ ହେବ?କ’ଣ ବିଜେପି ବିଜେଡି ସରକାରକୁ ଦୋହଲାଇ ଦେଇ ପାରିବ?କ’ଣ ଓଡ଼ିଶାରେ ବିଜେପି ଶାସନକୁ ଆସି ପାରିବ?

ଭଲ କରି ନିରୀକ୍ଷଣ କଲେ ଜଣା ପଡ଼ିବ ବିଜେପିର ଏ ବିରୋଧ କାର୍ଯ୍ୟକ୍ରମ ବିଜେଡି ବିରୋଧରେ ନୁହେଁ,ବରଂ ନିଜ ବିରୋଧରେ।ବିଜେପି ବିଜେପି ଭିତରେ ହିଁ ଚାଲିଛି ଟକରା ଟକରି।ବିଜେପି ରାଜ୍ୟ ନେତୃତ୍ୱ ଯେଉଁ ବିଷ ମଞ୍ଜି ପୋତିଛନ୍ତି,ସେଥିରୁ ଭଲ ଫଳ ଅବା ମିଳିବ କେମିତି?ବିଷ ଫଳ ହିଁ ମିଳିବ।ବାହାରକୁ ଦେଖିବାକୁ ସିନା ବିଜେପିର ଏ ବିକ୍ଷୋଭ ବିଜେଡି ବିରୋଧରେ ଉଦ୍ଦିଷ୍ଟ।କିନ୍ତୁ ଭିତରୁ ପରଖିଲେ ଜଣାପଡ଼ିବ ବିରୋଧ ତ’ ବିଜେପିର ବିଜେପି ବିରୋଧରେ।ନୂଆ/ପୁରୁଣା,ମିଶ୍ରଣ/ଅପମିଶ୍ରଣର ପ୍ରଭାବ।ଅଧିକାଂଶ ସ୍ଥାନରେ ଦୁଇ ଗୋଷ୍ଠୀ ମଧ୍ୟରେ ବଳ କଷାକଷି ଚାଲିଛି।

ବିଜେପି ରାଜ୍ୟ ନେତୃତ୍ୱଙ୍କର ମୁଖ୍ୟତଃ ଧର୍ମେନ୍ଦ୍ର ପ୍ରଧାନଙ୍କ ବୋଧେ ନିଜ ଦଳୀୟ କାର୍ଯ୍ୟକର୍ତ୍ତା ନେତାଙ୍କ ଉପରେ ଭରଷା ନାହିଁ।ତେଣୁ ମିଶ୍ରଣ ପର୍ବ କରି ଅନ୍ୟ ଦଳରୁ ନେତା ଗୋଟାଉଛନ୍ତି।କୌଣସି ସ୍ଥାନରେ ଅନ୍ୟ ଦଳର ନେତାଙ୍କୁ ବିଜେପିରେ ମିଶ୍ରଣ କରାଇବା ବେଳେ ସେଠାକାର ଦଳୀୟ ତଥା ପୁରୁଣା ନେତା/କାର୍ଯ୍ୟକର୍ତ୍ତାଙ୍କର ସହମତି ନିଆଯାଉ ନାହିଁ।ଫଳରେ ଅନେକ ସ୍ଥାନରେ ନେତା ଅସନ୍ତୁଷ୍ଟ ହେଉଛନ୍ତି। କାର୍ଯ୍ୟକର୍ତ୍ତା ନିଜକୁ ଅସହାୟ ମଣୁଛନ୍ତି।ଏ ଯେଉଁ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଚାଲିଛି,ଅନେକ ସ୍ଥାନରେ ନିଜ ନିଜ ମଧ୍ୟରେ ଏକ ବଳ କଷାକଷି ଚାଲିଛି।କିଏ ସେ ବ୍ଲକ ଘେରାଉ କାର୍ଯ୍ୟକ୍ରମର ନେତୃତ୍ୱ ନେବ,ଏବଂ କିଏ ଆଗାମୀ ଦିନରେ ଟିକେଟ ପାଇବ ତାକୁ ନେଇ ଚାଲିଛି ଭିତରେ ଭିତରେ ଲଢ଼େଇ।ନେତା ନେତାଙ୍କ ମଧ୍ୟରେ ବଳ କଷାକଷି ଏବଂ ତାଙ୍କ କର୍ମୀଙ୍କ ମଧ୍ୟରେ ବଳ କଷାକଷି।ଏସବୁ ଭିତରେ ମୂଳ ବିଜେପିର କାର୍ଯ୍ୟକର୍ତ୍ତାଟିଏ ନିଜକୁ ଅସହାୟ ମନେ କରି କେବଳ ନିରବ ହୋଇ ଦେଖୁଛି ଏସବୁ ନାଟକ।ବାସ୍ତବରେ ଏଥିରେ ଏସବୁ ନେତାଙ୍କର କିଛି ଭୁଲ ନାହିଁ।ସେମାନଙ୍କୁ ସେପରି ପ୍ରତିଶୃତି ଦିଆଯାଇଛି।ସେମାନଙ୍କର କର୍ମୀ କହି ବୁଲୁଛନ୍ତି ଯେ ତାଙ୍କ ନେତାଙ୍କୁ ରାଜ୍ୟ ନେତା ଆଶ୍ୱାସନା ଦେଇଛନ୍ତି।ଟିକେଟ ଦିଆଯିବ କହି ଦଳରେ ସାମିଲ କରାଇଛନ୍ତି।ତେଣୁ ଏଭଳି ପରିସ୍ଥିତିରେ ଏହା ଜଳଜଳ ହୋଇ ଦିଶୁଛି,ଯେ ବିଜେଡି ବିରୋଧରେ ବିଜେପି ପକ୍ଷରୁ ଚାଲିଥିବା ଏ ବିକ୍ଷୋଭ,ଘେରାଉ କାର୍ଯ୍ୟକ୍ରମର ରୂପରେଖ ଟିକେଟ ବଣ୍ଟନ ସମୟରେ ବଦଳି ଯିବ।ବିକ୍ଷୋଭ,ଘେରାଉ ତ’ ହେବ,ତାଲା ବି ପଡ଼ିବ।କିନ୍ତୁ ସେ ବିକ୍ଷୋଭ,ଘେରାଉ ବୋଧେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହେବ,ଏବଂ ହୁଏତ ରାଜ୍ୟ କାର୍ଯ୍ୟାଳୟରେ ତାଲା ପଡ଼ିବ!/ଦେବଦତ୍ତ