Odiapua.com

ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା ସମଗ୍ର ରାଜ୍ୟବାସୀଙ୍କ ମନ ଭିତରେ ବହୁ କଷ୍ଟ ଦେଇଛି। ଗତ ଅକ୍ଟୋବର ୮ ତାରିଖରୁ ନିଖୋଜ ଥିବା ଶିକ୍ଷୟିତ୍ରୀ ମମିତାଙ୍କୁ ତାଙ୍କ ସ୍କୁଲର ସଂଚାଳକ ଗୋବିନ୍ଦ ସାହୁ ପୋଡ଼ି ମାରିଦେଇ ମାଟି ତଳେ ପୋତିଦେବା ଘଟଣା ଅତ୍ୟନ୍ତ ନୃଶଂସ ଓ ଜଘନ୍ୟପୂର୍ଣ୍ଣ ଅଟେ। ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ପାଇଁ କାଳବିଳମ୍ବ ନକରି ଏହି ନାରକୀୟ ହତ୍ୟାକାଣ୍ଡର ସଂପୂର୍ଣ୍ଣ ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ରାଜ୍ୟ ବିଜେପି ତରଫରୁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଦାବି କରାଯାଇଛି। ବେସରକାରୀ ଶିକ୍ଷାନୁଷ୍ଠାନ ହୋଇଥିବା ସତ୍ୱେ ସ୍କୁଲର ମୁଖ୍ୟ ସଂଚାଳକ ଗୋବିନ୍ଦ ସାହୁଙ୍କ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ଘନିଷ୍ଠ ସଂପର୍କ କାରଣରୁ ପ୍ରଚୁର ମାତ୍ରାରେ ସରକାରୀ ଆର୍ଥିକ ଅନୁଦାନ ଓ ସହାୟତା ପ୍ରଦାନ କରାଯାଇଛି। ମୃତ ମମିତାର ପରିବାର ବର୍ଗଙ୍କ ଅଭିଯୋଗ ଅନୁଯାୟୀ, ଗୋବିନ୍ଦ ସାହୁ ଶିକ୍ଷାନୁଷ୍ଠାନ ଆଳରେ ସେଠାରେ ଦେହ କାରବାର କରୁଥିଲେ ଏବଂ ବିଭିନ୍ନ ସମୟରେ ମନ୍ତ୍ରୀଗଣ ଓ ବିଜେଡି ନେତାମାନେ ବରାବର ଆସୁଥିଲେ। ମମିତା ଏଭଳି ହୀନ କାର୍ଯ୍ୟ ସଂପର୍କରେ ସମସ୍ତ ଖବର ଜାଣି ସାରିଥିବାରୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ବିଜେପି ଓ ଗଣମାଧ୍ୟମର ଚାପ କାରଣରୁ ପୋଲିସ ବାଧ୍ୟ ହୋଇ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଚକ୍ରାନ୍ତ କରି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଜାଣିଶୁଣି ତାଙ୍କୁ ପୋଲିସ ହାଜତରୁ ଖସେଇ ଦିଆଯାଇଥିଲା। ଶେଷରେ ଚାପର ଶିକାର ହୋଇ ପୋଲିସ ପୁଣି ୧୯ ତାରିଖ ଦିନ ଗିରଫ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ସୁସଂପର୍କ ଥିବା କାରଣରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର ନିଜ କ୍ଷମତାର ଅପବ୍ୟବହାର କରି ଘଟଣାକୁ ଚାପି ଦେବାର ଅପପ୍ରୟାସ ପ୍ରଥମ ଦିନରୁ ଜାରୀ ରଖିଛନ୍ତି। ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଅଛନ୍ତି ଏବଂ ଗୃହ ବିଭାଗ ଦାୟୀତ୍ୱରେ ଥିବାରୁ ଏହି ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ଅସମ୍ଭବ।
ତେଣୁ ମାନ୍ୟବର ରାଜ୍ୟ ମାନବାଧିକାର କମିଶନ ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି। ଏଥି ସହ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଯଥାଶୀଘ୍ର ସିବିଆଇକୁ ହସ୍ତାନ୍ତର କରିବାକୁ ମଧ୍ୟ ରାଜ୍ୟ ମାନବବାଧିକାର କମିଶନଙ୍କ ନିକଟରେ ଦାବି କରାଯାଇଛି ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା ଏବଂ ଅନୀତା ଶୁଭଦର୍ଶୀନି, ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର ଏବଂ ସୋନାଲୀ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅପର୍ଣ୍ଣା ଧିର ସିଂହ ଏବଂ ମନସ୍ମିତା ଖୁଣ୍ଟିଆ, ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ରଶ୍ମୀରେଖା ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମୀମୟୀ ପଟ୍ଟନାୟକ, ମହିଳା ମୋର୍ଚ୍ଚା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
-@Dr