ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟସାରା ନିଆଁ ଜଳୁଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଘଟଣା ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଅନୁସନ୍ଧାନ ପାଇଁ ବିଜେପିର ଏକ ୩ ଜଣିଆ ପ୍ରତିନିଧିଦଳ ନୂଆଦିଲ୍ଲୀରୁ ସିଧାସଳଖ ରାୟପୁର ଦେଇ ବଲାଙ୍ଗୀର ଜିଲ୍ଲା ଝରନୀ ଗ୍ରାମରେ ପହଞ୍ଚିଥିଲା। ଏହି ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବନଥୀ ଶ୍ରୀନିବାସନ, ସାଂସଦ ସୁନୀତା ଦୁଗଲ ଏବଂ ବିଧାୟିକା ରୁପା ମିତ୍ର ଚୈାଧୁରୀ ସାମିଲ ଅଛନ୍ତି। ଏହି ପ୍ରତିନିଧି ଦଳ ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ମମିତାଙ୍କ ପରିବାରର ସଦସ୍ୟ ମାନଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଏହା ପରେ ପ୍ରତିନିଧି ଦଳ ସିଧାସଳଖ ମହାଲିଙ୍ଗ ଯାଇ ଘଟଣାସ୍ଥଳ ବୁଲି ଦେଖିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ସଂପ୍ରତି ରାଜ୍ୟରେ ମହିଳା ହିଂସା କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଥିବା ବେଳେ ମମିତା ହତ୍ୟାକାଣ୍ଡ ଭଳି ସ୍ପର୍ଶକତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଅତ୍ୟନ୍ତ ନିନ୍ଦନୀୟ। ମମିତା ହତ୍ୟାକାଣ୍ଡକୁ ଦୃଢ଼ ନିନ୍ଦା କରି ଏଭଳି ବିଭତ୍ସ ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିନିଧି ଦଳ ଦାବି କରିଛନ୍ତି। ଏଥି ସହ ଏହି ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତିର ଅଭିଯୋଗ ଆସୁଥିବାରୁ ଏବଂ ତଦନ୍ତ ପ୍ରକ୍ରିୟାକୁ ଚାପମୁକ୍ତ କରିବା ପାଇଁ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଶ୍ରୀ ମିଶ୍ର ଇସ୍ତଫା ଦିଅନ୍ତୁ ନଚେତ ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀନିବାସନ ଦାବି କରିଛନ୍ତି।
-@Dr