Odiapua.com

ବାଲେଶ୍ୱରରେ ବି ନୟାଗଡ଼ ‘ପରୀ’ ନିଆଁ – ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି

ବାଲେଶ୍ୱର, ୨୭ା୧୧(ଓଡ଼ିଆ ପୁଅ/ଅଭୟ ଦାସ) : ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ଅପହରଣ ଓ ହତ୍ୟା ମାମଲାର ନ୍ୟାୟ ଦାବ କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ଦିନ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ବିଜେପି ମହିଳା ମୋର୍ଚ୍ଚା ଜିଲା ସଭାପତି କମଳା ବନ୍ଧାଣୀଙ୍କ ନେତୃତ୍ୱରେ ସହରର ଫାଣ୍ଡିଛକଠାରେ ଆୟୋଜିତ ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକମରେ ସିପ୍ରା ବାଜପେୟୀ, ଶୋଭନା ମହାନ୍ତି, ସୁମତିରାଣୀ ଦେ, ବିଷ୍ଣୁପ୍ରିୟା ଅଧିକାରୀ, ପିଙ୍କି ପ୍ରଧାନ, ଜୁବୁଲି ମହାନ୍ତି, ଯାନକୀ ମହାରଣା, ଅମିତା ଦାସ, ମିଲିରାଣୀ ବେହେରା, ଛବି ରାଉତ, ତରୁଲତା ମହାନ୍ତି, ଅବନ୍ତି ସାହୁ, ପାର୍ବତୀ ଜେନା, ମନୋରମା ମଲ୍ଲିକ ପ୍ରମୁଖ ଯୋଗ ଦେଇ ଶିଶି ଅପହରଣ ଓ ହତ୍ୟା ମାମଲାରେ ରାଜ୍ୟ ସରକାର ତଥା ପୁଲିସର ନିରବତାକ ତୀବ୍ର ସମାଲୋଚନା କରିଥିଲେ। ଓଡ଼ିଶାବାସୀଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାରଙ୍କ ଅବହେଳା ଅସହ୍ୟ ହୋଇ ଉଠିଥିବା ବେଳେ ପରୀ ହତ୍ୟାଘଟଣା ଏହାର ପ୍ରତିଫଳନ ବୋଲି ସେମାନେ ଆରୋପ ଉଠାଇଥିଲେ। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବାବୁଲା ନାୟକ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ କ୍ଲିପ୍ ଭାଇରାଲ ହେବାରେ ଲାଗିଛି। ଅତଏବେ ମୁଖ୍ୟ ଅଭିଯୁକ୍ତ ଶ୍ରୀ ନାୟକ ଓ ତାଙ୍କୁ ଆଶ୍ରୟ ଦେଉଥିବା ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଗିରଫ ସହ ମନ୍ତ୍ରୀ ପଦରୁ ତାଙ୍କୁ ତୁରନ୍ତ ବହିଷ୍କାର ପାଇଁ ମହିଳା ମୋର୍ଚ୍ଚା କର୍ମକର୍ତ୍ତାମାନେ ଦାବି କରିଥିଲେ। ନତୁବା ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଏହି ଅବସରରେ ମୋର୍ଚ୍ଚାର କର୍ମକର୍ତ୍ତା ଓ ସଦସ୍ୟାମାନେ ମନ୍ତ୍ରୀ ଶ୍ରୀ ସାହୁଙ୍କ ପୋଷ୍ଟରକୁ ପୋଡ଼ିଥିଲେ। ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତ୍ତାଙ୍କ ସମେତ ବହ ସଦସ୍ୟା ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।