Odiapua.com

ନବୀନଙ୍କ ନିଷ୍ପତ୍ତିକୁ ବିଜେପି ନେତ୍ରୀଙ୍କ କଟାକ୍ଷ: ପ୍ରଚାର କରିବନି କହିବାଟା ସବୁଠୁ ବଡ଼ ପ୍ରଚାର ..

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବିଜେଡି ରାଲି ଓ କ୍ୟାମ୍ପେନିଂ ମିଟିଂ କରିବ ନାହିଁ। ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କରୋନା ସଂକ୍ରମଣ ପାଇଁ ବିଜେଡି ରାଲି ଓ କ୍ୟାମ୍ପେନିଂରୁ ଦୂରେଇ ରହିବ ବୋଲି ନବୀନ କହିଛନ୍ତି। ଟ୍ୱିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ନବୀନ ଟ୍ୱିଟରେ ଲେଖିଛନ୍ତି ଯେ ବିଜେଡି ଏକ ଦାୟିତ୍ୱବାନ ଦଳ। ଲୋକଙ୍କ ଜୀବନକୁ ଦଳ ବିପଦରେ ପକାଇବ ନାହିଁ। ଲୋକଙ୍କ ଜୀବନ ଅତି ମୂଲ୍ୟବାନ ହୋଇଥିବା ବେଳେ ଆମେ ଲୋକଙ୍କ ସେବା ପାଇଁ ନିର୍ବାଚନ ଲଢୁଛୁ। କିନ୍ତୁ ନିର୍ବାଚନ ପ୍ରଚାରରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି, ସେତେବେଳେ ମୁଁ ରାଜନୈତିକ ଦଳମାନଙ୍କୁ ଓ ନିର୍ବାଚନ କମିସନଙ୍କୁ ଅନୁରୋଧ କରିବି ଯେ ସେ ପ୍ରଚାରର ଅବଧି ଓ ପଦ୍ଧତି ଉପରେ ପୁନର୍ବିଚାର କରନ୍ତୁ। ପ୍ରତିଟି ଜୀବନ ମୂଲ୍ୟବାନ ଓ ମୁଁ ଓଡ଼ିଶାବାସୀଙ୍କୁ ମୋର ପରିବାରର ସଦସ୍ୟ ବୋଲି ଭାବେ। ତେଣୁ କୋଭିଡ କଟକଣା ମଧ୍ୟରେ ବିଜେଡି ନିଷ୍ପତ୍ତି ନେଇଛି ଯେ ପିପିଲି ଉପନିର୍ବାଚନରେ ଦଳ ନିର୍ବାଚନ ରାଲି କରିବ ନାହିଁ ବୋଲି ଟୁଇଟ୍ କରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୂଚନାଯୋଗ୍ୟ ଯେ କୋଭିଡ୍ କାରଣରୁ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ରାହୁଲ ଗାନ୍ଧୀ ଏବଂ ଏହାପରେ ମମତା ବାନାର୍ଜୀ ନିର୍ବଚନୀ ରାଲି ନକରିବାକୁ ଘୋଷଣା କରିଥିଲେ। ତେବେ ନବୀନଙ୍କ ଏହି ନିଷ୍ପତ୍ତିକୁ ନେଇ ନାଁ ନନେଇ ପରୋକ୍ଷରେ କଟାକ୍ଷ କରିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା। ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି, “ପ୍ରଚାର କରିବନି କହିବାଟା ସବୁଠୁଁ ବଡ଼ ପ୍ରଚାର .. ମାନିବାକୁ ପଡ଼ିବ!” ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ପରେ ପ୍ରଭାତୀ ପରିଡ଼ାଙ୍କ ଏପରି ପୋଷ୍ଟ, ପରୋକ୍ଷରେ ସେହି ଘୋଷଣା ବିରୋଧରେ କଟାକ୍ଷ ବୋଲି ହିଁ ଧରାଯିବ!
-@Dr