Odiapua.com

ବିଜେଡି ମଞ୍ଚ ସଞ୍ଚାଳନ କଲେ ସରକାରୀ ଅଧ୍ୟାପକ: କିନ୍ତୁ ମୁହଁ ଖୋଲିବନି ବିଜେପି – ଜାଣନ୍ତୁ କାରଣ ..

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ‘ଜନ ସମ୍ପର୍କ ପଦଯାତ୍ରା’। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବ୍ୟାପୀ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବରଗଡ଼ ବ୍ରିଟ୍‌‌ କଲୋନୀ ନେତାଜୀ ପଡ଼ିଆରୁ ପଦଯାତ୍ରାର ଶୁଭାରମ୍ଭ ହୋଇଛି। ଅକ୍ଟୋବର ୨ ତାରିଖରୁ ଅକ୍ଟୋବର ୧୧ ତାରିଖ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ଚାଲିବ ଏହି ପଦଯାତ୍ରା। ତେବେ, ଭୁବନେଶ୍ୱର ବରଗଡ଼ ବ୍ରିଟ୍‌‌ କଲୋନୀ ନେତାଜୀ ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଜନ ସଂପର୍କ ପଦଯାତ୍ରା ପାଇଁ ଆୟୋଜିତ ସଭା ସଞ୍ଚାଳନ କରିଛନ୍ତି ଜଣେ ସରକାରୀ ଅଧ୍ୟାପକ। ସଂପୃକ୍ତ ଅଧ୍ୟାପକ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନିରାକାରପୁର କଲେଜର ଇଂରାଜୀ ବିଭାଗ ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ। ଏକ ରାଜନୈତିକ ଦଳର ଦଳୀୟ କାର୍ଯ୍ୟକ୍ରମକୁ କିପରି ଜଣେ ସରକାରୀ ଅଧ୍ୟାପକ ସଞ୍ଚାଳନ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି! ଆଉ ସବୁଠାରୁ ବଡ଼କଥା ହେଲା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜର ଦଳୀୟ କାର୍ଯ୍ୟକ୍ରମ ପାଇଁ ଜଣେ ସରକାରୀ ଅଧ୍ୟାପକଙ୍କୁ ଡକାଇ ମଞ୍ଚ ସଞ୍ଚାଳନ କରାଇ ବିଜେଡି କିପରି ଏତେବଡ଼ ଭୁଲ୍ କଲା ତାହା ଆଶ୍ଚର୍ଯ୍ୟ ଲାଗୁଛି! ତେବେ, ସେ ଯାହା ବି ହେଉ ଏହାକୁ ନେଇ କଦାପି ମୁହଁ ଖୋଲିବ ନାହିଁ ବା ଖୋଲିପାରିବ ନାହିଁ ବିଜେପି! କାରଣ ସଂପୃକ୍ତ ଅଧ୍ୟାପକ ଜଣଙ୍କ ଏବିଭିପି ସହିତ ଜଡ଼ିତ। ସେ ଦୀର୍ଘ ଦିନ ଧରି ଏବିଭିପି ନିରାକାରପୁର ନଗର ସଭାପତି ରହି ଆସିଛନ୍ତି। ଏହା ସହ ସେ ବିଜେପିର ଅନେକ ନେତା ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ତାଙ୍କର ଭଲ ସଂପର୍କ ରହିଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗୀୟ ସଭା ସମିତି କାର୍ଯ୍ୟକ୍ରମରେ ସେହି ଅଧ୍ୟାପକ ଜଣଙ୍କ ହିଁ ପ୍ରଥମେ ଖୋଜାପଡ଼ନ୍ତି। ତେଣୁ ସେ ବିଜେଡିର ମଞ୍ଚ ପରିଚାଳନା କରନ୍ତୁ କିମ୍ବା ବିଜେଡି ପାଇଁ ନିର୍ବାଚନୀ ପ୍ରଚାର କରନ୍ତୁ, ବିଜେପି ମୁହଁ ଖୋଲିବାର ଚାନ୍ସ ନାହିଁ। କାରଣ ସଂପୃକ୍ତ ଅଧ୍ୟାପକ ଜଣଙ୍କ ହେଲେ ଧର୍ମେନ୍ଦ୍ରଙ୍କ ଲୋକ!
-/Dev@DRath