Odiapua.com

ବିଜେଡ଼ି ଓ ନିରଞ୍ଜନଙ୍କ ମଧ୍ୟରେ ଅଘୋଷିତ ସଲାସୁତରା

ଭୁବନେଶ୍ୱର ୫-୧୧ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କର ନିର୍ବାଚନ ମଣ୍ଡଳୀ ହେଉଛି କେନ୍ଦୁଝର ଜିଲ୍ଲାର ଘଷିପୁରା। ଏଠାରେ ତାଙ୍କର ମୁଖ୍ୟ ପ୍ରତିନ୍ଦ୍ୱନ୍ଦୀ ବିଜେଡ଼ିର ବରିଷ୍ଠ ନେତା ତଥା ସରକାରଙ୍କର ମନ୍ତ୍ରୀ ଶ୍ରୀଯୁକ୍ତ ବଦ୍ରୀନାରାୟଣ ପାତ୍ର। ଯଦିଓ ଗତ ନିର୍ବାଚନରେ ନିରଞ୍ଜନ ପଟ୍ଟନାୟକ ପ୍ରତିନ୍ଦ୍ୱନ୍ଦିତା କରିନଥିଲେ ତା ପୂର୍ବ ନିର୍ବାଚନରେ ଲଗାତାର ଦୁଇଥର ବଦ୍ରୀପାତ୍ରଙ୍କଠାରୁ ହାରିବା ପରେ ତାଙ୍କ ରାଜନୈତିକ ଭବିଷ୍ୟତ ଏକ ପ୍ରକାର ଅନ୍ଧକାରକୁ ଚାଲିଯାଇଥିଲା। ଏବେ ପୁଣି ତାଙ୍କର ରାଜନୈତିକ ଭାଗ୍ୟୋଦୟ ହୋଇଛି। ପିସିସିର ମଙ୍ଗ ଧରିବାପରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଯଥେଷ୍ଟ ମାତ୍ରାରେ ରାଜନୈତିକ ସଫଳତା ଆଡ଼କୁ ଅଗ୍ରସର ହେଉଛି।

ଏକଥା ସ୍ପଷ୍ଟଯେ, ଆସନ୍ତା ସାଧାରଣ ନିର୍ବାଚନରେ ଦୀର୍ଘ ବର୍ଷଧରି ଓଡ଼ିଶା ଶାସନକୁ ହାରରେ ରଖିଥିବା ବିଜୁ ଜନତା ଦଳ ଏକ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ ନାହିଁ। ରାଜ୍ୟର ଶାସନ କ୍ଷମତାକୁ ପରିଚାଳନା କରୁଥିବା ତୃତୀୟ ମହଲାର କ୍ଷମତାଶାଳୀ ଅଫିସରମାନେ ରାଜ୍ୟ ଗୁଇନ୍ଦା ବିଭାଗ ଏବଂ ଘରୋଇ ସଂସ୍ଥା ଦ୍ୱାରା ଭିତିରିଆ ସର୍ଭେ ମାଧ୍ୟମରେ ଏହିକଥା ସ୍ପଷ୍ଟ ଭାବରେ ଜାଣି ସାରିଲେଣି। ତେଣୁ ଶାସନ କ୍ଷମତାରେ ରହିବାକୁ ହେଲେ ରାଜ୍ୟର ଅନ୍ୟ ଦୁଇ ବୃହତମ ଦଳ କଂଗ୍ରେସ କିମ୍ବା ବିଜେଡ଼ି ସହିତ ସଲା ସୁତରା କରିବାକୁ ପଡ଼ିବ। ବିଜେପି ସହିତ ସଲା ସୁତରା କଲେ ବିଜେଡ଼ିକୁ ବହୁ କିଛି ମୂଲ୍ୟ ଦେବାକୁ ପଡ଼ିବ। ତେଣୁ ଅତୀତର ଅନୁଭୁତିକୁ ନ ଦୋହରାଇବା ପାଇଁ କଂଗ୍ରେସ ସଭାପତିଙ୍କ ସହିତ ବିଜେଡ଼ିର ଏହି ତୃତୀୟ ମହଲା ଅଫିସରମାନେ ଗୋଟିଚାଳନା ଆରମ୍ଭ କରିଦେଇଛନ୍ତି।

ଏହି କ୍ରମରେ ନିରଞ୍ଜନଙ୍କର ମୁଖ୍ୟ ରାଜନୈତିକ ଶତ୍ରୁ ବଦ୍ରୀନାରାୟଣ ପାତ୍ରଙ୍କ ରାଜନୈତିକ ଭବିଷ୍ୟତକୁ ତଳିତଳାନ୍ତ କରିବା ପାଇଁ ଏକ ସୁଚନ୍ତିତ ଯୋଜନା ପ୍ରସ୍ତୁତ କରାଯାଇଛି। ବଦ୍ରୀପାତ୍ରଙ୍କ ରାଜନୈତିକ ଅସ୍ତ୍ର ହେଉଛନ୍ତି ତାଙ୍କ ଦୁଇ ପୁଅ। ନିର୍ବାଚନ ମଣ୍ଡଳୀରେ ବଦ୍ରୀଙ୍କର ସମସ୍ତ ରାଜନୈତିକ ଗତିବିଧିକୁ ତାଙ୍କ ପୁଅମାନେ ହିଁ ନିୟନ୍ତ୍ରଣ କରନ୍ତି। ଏମାନଙ୍କ ପ୍ରାଦୃର୍ଭାବ ନିର୍ବାଚନ ମଣ୍ଡଳୀରେ ଏତେ ଶକ୍ତଯେ, ନିରଞ୍ଜନ ପଟ୍ଟନାୟକଙ୍କ ପରି ହେଭିୱେଟ୍ ରାଜନେତାଙ୍କୁ ବି ଏମାନେ ପାଣି ପିଆଇ ରଖିଥିଲେ। ତେଣୁ ନିରଞ୍ଜନ ପଟ୍ଟନାୟକ ଘଷିପୁରାରୁ ଆସନ୍ତା ନିର୍ବାଚନରେ ନିର୍ବାଚିତ ହୋଇ ଆସିବା ପାଇଁ ବିଜେଡ଼ି ସହିତ ଏକ ଗୁପ୍ତ ବୁଝାମଣା କରିଛି ବୋଲି ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଏକ ରାଜନୈତିକ ଗଣ୍ଡଗୋଳ କୁ ଆଧାର କରି ବଦ୍ରୀପାତ୍ରଙ୍କର ପୁଅ ଏବେ କାରାଗାରରେ। ଏହା ସହିତ ବଦ୍ରୀପାତ୍ରଙ୍କର ଅନେକ ଘନିଷ୍ଟ ସହଯୋଗୀ ମଧ୍ୟ ଜେଲରେ। ତୃତୀୟ ମହଲାର ଇଙ୍ଗିତରେ କେନ୍ଦୁଝର ପୋଲିସ୍ ଓ ପ୍ରଶାସନ ବଦ୍ରୀ ପାତ୍ରଙ୍କର ରାଜନୈତିକ ପକ୍ଷଚ୍ଛେଦନ କରିବାରେ ଲାଗି ପଡ଼ିଛନ୍ତି। ତେଣୁ ଯଦି ଏହି ରାଜନୈତିକ ଷଡ଼ଯନ୍ତ୍ରରେ ବଦ୍ରୀପାତ୍ର ଧରାଶାୟୀ ହୁଅନ୍ତି ତେବେ ଆସନ୍ତା ନିର୍ବାଚନରେ ନିରଞ୍ଜନଙ୍କ ପାଇଁ ପଥ ପରିଷ୍କାର ହୋଇଯିବ।

କେବଳ ଏ ଏକମାତ୍ର ଷଡ଼ଯନ୍ତ୍ର ନୁହେଁ, ବିଡେଡ଼ି, ନିରଞ୍ଜନ ଓ ଓଡ଼ିଶା କଂଗ୍ରେସ ପ୍ରଭାରୀ ଜୀତେନ୍ଦ୍ର ପ୍ରସାଦଙ୍କ ମଧ୍ୟରେ କିଛି ରାଜନୈତିକ ମୂଲଚାଲ ଚାଲିଛି ବୋଲି ଆଭାସ ମିଳୁଛି। ପିସିସି ସଭାପତି ହେବା ପରେ ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଥିଲେଯେ, ଅଗଷ୍ଟ ମାସ ଶେଷ ସୁଦ୍ଧା କଂଗ୍ରେସ ପ୍ରଥମ ପର୍ଯ୍ୟାୟ ବିଧାନସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିବ। କିନ୍ତୁ ସମୟ ଗଡ଼ି ଚାଲିଥିଲେ ମଧ୍ୟ ପିସିସି ତରଫରୁ ତାଲିକା ପ୍ରକାଶ ପାଇପାରୁନାହିଁ। ଏହା ପଛରେ ମଧ୍ୟ ତୃତୀୟ ମହଲା କ୍ଷମତାଶାଳୀ ଅଫିସରଙ୍କର ହାତ ରହିଥିବା ସନ୍ଦେହ କରାଯାଉଛି। ଏକ ନିର୍ଦ୍ଧିଷ୍ଟ ବୁଝାମଣାରେ ବିଜେଡ଼ି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥି ତାଲିକା ଚୁଡ଼ାନ୍ତ କରିବ ବୋଲି ସ୍ପଷ୍ଟ ଭାବରେ ଜଣା ପଡ଼ୁଛି। ଏହାଦ୍ୱାରା ବିଜେଡ଼ି ଯେଉଁ ନିର୍ବାଚନ ମଣ୍ଡଳୀରେ ଶତ ପ୍ରତିଶତ ବିଜୟ ଲାଭ କରିବାର ଆଶା ଦେଖାଯିବ ସେହି ଆସନରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀ ଛିଡ଼ା କରିବ। ଅପର ପକ୍ଷରେ ଯେଉଁ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସ୍ଥିତି ଭଲ ଥିବ ସେଠାରେ କଂଗ୍ରେସ ପ୍ରାର୍ଥୀ ଜୀତିବା ପାଇଁ ବିଜେଡ଼ି ସହଯୋଗ କରିବ।

ଗତ ୨୦୦୦ ମସିହା ସାଧାରଣ ନିର୍ବାଚନରେ ଏହିପରି ଏକ ରାଜନୈତିକ ଖେଳର ପର୍ଦ୍ଦାଫାଶ୍ ହୋଇଥିଲା। ସେତେବେଳେ ବିଜୁ ଜନତା ଦଳର ପାର୍ଲାମେଣ୍ଟାରୀ କମିଟି ଅଧ୍ୟକ୍ଷ ବିଜୟ ମହାପାତ୍ର ଓ ତତ୍କାଳୀନ ପିସିସି ସଭାପତି ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମଧ୍ୟରେ ଏକ ଅଘୋଷିତ ରାଜିନାମା ହୋଇଥିଲା। ମାତ୍ର ବିଜୟ ମହାପାତ୍ରଙ୍କର ଚାଲ୍ ଧରା ପଡ଼ିଯାଇଥିଲା ଏବଂ ତୁରନ୍ତ ରାତି ଅଧିଆ ବିଜେଡ଼ିରୁ ବହିଷ୍କାର କରାଯାଇଥିଲା। ସେହି ଏକା ଅନୁପାତର ରାଜନୈତିକ ବୁଝାମଣା ବିଜେଡ଼ିର କ୍ଷମତାଶାଳୀ ଅଫିସର ଓ ନିରଞ୍ଜନଙ୍କ ମଧ୍ୟରେ ସଂଗଠିତ ହୋଇଛି। ବିଜେଡ଼ି ସୁପ୍ରିମୋଙ୍କର ଏଥିରେ ସହମତି ଅଛି ନାଁ ନାହିଁ ତାହା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉନଥିଲେ ମଧ୍ୟ ଘଟଣାଟି ଅନ୍ୟ କିଛି ବିଜେଡ଼ି ଯୁବନେତାଙ୍କର ସହମତିରେ ଚାଲିଛି। ଆସନ୍ତା ନିର୍ବାଚନରେ ପୁଣି ଶାସନ କ୍ଷମତାକୁ ଫେରିବା ପାଇଁ ତୃତୀୟ ମହଲା ଅଫିସରଙ୍କର ଏହି ଗୁପ୍ତ ରଣନୀତି ଦଳୀୟ ନେତୃବୃନ୍ଦଙ୍କ ମଧ୍ୟରେ ଭୃକୁଞ୍ଜନ ସୃଷ୍ଟି କରୁଥିଲେ ମଧ୍ୟ ସାହସରେ କେହି ପାଟି ଖୋଲି ପାରୁନାହାଁନ୍ତି।