Odiapua.com

୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର ୭-୩ (ଓଡ଼ିଆ ପୁଅ) ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୪ ସେମାନେ ହେଲେ ସୁବାଷ ସିଂ, ମୁନା ଖାଁ, ସୁଜିତ୍ କୁମାର ଏବଂ ମମତା ମହାନ୍ତ।

ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ(କଂଗ୍ରେସ), ଅନୁଭବ ମହାନ୍ତି, ନରେନ୍ଦ୍ର ମହାନ୍ତି ଏବଂ ସରୋଜିନୀ ହେମ୍ବ୍ରମ (ସମସ୍ତେ ବିଜେଡ଼ି) ଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୨ ତାରିଖରେ ସମାପ୍ତ ହେଉଛି।

ରାଜ୍ୟସଭା ଆଶାୟୀ ରମେଶ ଚ୍ୟାଉପଟ୍ଟନାୟକଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା। ରମେଶଙ୍କୁ ଓଡିଶା ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୂର୍ବରୁ ଏହି ଦାୟିତ୍ୱରେ ଥିଲେ ସୁବାସ ସିଂହ।

ରାଜ୍ୟସଭା ନିର୍ବାଚନ ପାଇଁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୭ଟି ରାଜ୍ୟର ୫୫ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି। ଖାଲି ହେଉଥିବା ୫୫ଟି ଆସନ ମଧ୍ୟରୁ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ରହିଛି। ଆସନ୍ତା ୨୬ ତାରିଖରେ ହେବ ନିର୍ବାଚନ। ଆଜିଠାରୁ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିପାରିବେ। ଆସନ୍ତା ୧୩ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି। ୧୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ ଏବଂ ୧୮ ତାରିଖରେ ନାମାଙ୍କନପତ୍ର ପ୍ରତ୍ୟାହାର କରିବାର ଶେଷ ଦିବସ ଧାର୍ଯ୍ୟ ହୋଇଛି।

ମୋ ଉପରେ ବିଶ୍ୱାସ ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁନ୍ନା ଖାଁ। ସେ କହିଛନ୍ତି ମୁଁ ମୋର ପରିଶ୍ରମର ଫଳ ପାଇଛି। ତିରିଶ ବର୍ଷର ପରିଶ୍ରମର ଫଳ ପାଇଛି।

ଜାଣନ୍ତୁ ୪ ପ୍ରାର୍ଥୀଙ୍କ ବିଷୟରେ …
ସୁବାସ ସିଂ : ସୁବାସ ସିଂ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଥିଲେ। ଜଣେ ଶ୍ରମିକ ନେତା ଏବଂ ଟ୍ରେଡ୍ ୟୁନିୟନ୍ ନେତା ଭାବରେ ସୁବାସ ଜଣାଶୁଣା।

ମୁନ୍ନା ଖାଁ : ସଂଖ୍ୟାଲଘୁ ବିଭାଗର ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟର ନେତାଭାବେ ସେ ପରିଚିତ।

ସୁଜିତ୍ କୁମାର: ଅକ୍ସଫୋର୍ଡ ୟୁନିଭରସିଟି ଏବଂ ହାୱାର୍ଡ ୟୁନିଭରସିଟିରୁ ଶିକ୍ଷା ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ଉନ୍ନୟନ କର୍ତ୍ତୃପକ୍ଷର ପରାମର୍ଶଦାତା ଅଛନ୍ତି। ସେ ମଧ୍ୟ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ଦଳର ସାଙ୍ଗଠନିକ କାର୍ଯ୍ୟ ପରିଚାଳନା କରନ୍ତି।

ମମତା ମହନ୍ତ : ମମତା ମହନ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ ପାଇଁ ପରିଚିତ। ସେ ବିଜୁ ଜନତା ଦଳ, ମୟୁରଭଞ୍ଜ ମହିଳା ଶାଖାର ସକ୍ରିୟ ସଦସ୍ୟା।