Odiapua.com

ମାଛ ଚାଷରେ ବାୟୋ- ଫ୍ଲକ୍ ଏକ ବିପ୍ଳବ: ଅରୁଣ ସାହୁ

ଭୁବନେଶ୍ବର: ମାଛ ଚାଷ କ୍ଷେତ୍ରରେ ବାୟୋ – ଫ୍ଲକ୍ ଏକ ବିପ୍ଳବ ଆଣିପାରିବ। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ମାଛ ଉତ୍ପାଦନରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ବିଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ମାଛ ଉତ୍ପାଦନ ୧. ୫୬ ଲକ୍ଷ ମେଟ୍ରିକ୍ ଟନ୍‌ରୁ ୨୦୨୦ – ୨୧ରେ ୮. ୭୩ ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି। ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଦିଗରେ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଥିବା ବେଳେ ନୂତନ ଜ୍ଞାନ କୌଶଳ ବାୟୋ ଫ୍ଲକ୍ ପଦ୍ଧତିରେ ମାଛ ଚାଷ ରାଜ୍ୟକୁ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟରେ ପରିଣତ କରିବା ସହିତ ବିପୁଳ ରପ୍ତାନୀର ସୁଯୋଗ ସୃଷ୍ଟି କରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ: ଅରୁଣ କୁମାର ସାହୁ କହିଛନ୍ତି। ରାଜ୍ୟରେ ବାୟୋ ଫ୍ଲକ୍ ପଦ୍ଧତିରେ କରାଯାଉଥିବା ମାଛ ଚାଷର ଅଗ୍ରଗତି ସଂପର୍କରେ ଆୟୋଜିତ ଏକ ଭର୍ଚୁଆଲ ସମୀକ୍ଷା ବୈଠକରେ ଯୋଗଦେଇ ରାଜ୍ୟର ବିଭିନ୍ନ ଅଞ୍ଚଳର ବାୟୋ ଫ୍ଲକୁ ଉଦ୍ୟୋଗୀ ମାନଙ୍କ ସହିତ ସେମାନଙ୍କ ପ୍ରକଳ୍ପ ସଂପର୍କରେ ଆଲୋଚନା କରିଥିଲେ। ଆଲୋଚନା ଅବସରରେ ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ ଏହି ପଦ୍ଧତିରେ କମ ଜାଗାରେ ଏବଂ କମ୍ ପାଣିରେ ଫାର୍ମ ପଣ୍ଡ ତୁଳନାରେ ପ୍ରାୟ ଦଶ ଗୁଣା ଅଧିକ ମାଛ ଉତ୍ପାଦନ ହୋଇପାରୁଛି। ଏହି ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆକର୍ଷଣୀୟ ସବ୍‌ସିଡିର ବ୍ୟବସ୍ଥା କରାଯାଇଛି। ସାଧାରଣ ବର୍ଗର ଉଦ୍ୟୋଗୀ ମାନଙ୍କୁ ୪୦ ପ୍ରତିଶତ ସବ୍‌ସିଡ଼ି ଦିଆଯାଉ ଥିବା ବେଳେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ମହିଳା ଉଦ୍ୟୋଗୀ ମାନଙ୍କୁ ୬୦ ପ୍ରତିଶତ ସବ୍‌ସିଡି ପ୍ରଦାନ କରାଯାଉଛି। ବାୟୋ – ଫ୍ଲକ୍ ବ୍ୟାଙ୍କ ପ୍ରତିଷ୍ଠା ନିମନ୍ତେ ବ୍ୟାଙ୍କରୁ ଋଣ ପ୍ରଦାନର ବ୍ୟବସ୍ଥା ରହିଥିବା ବେଳେ ଯୁବ ଉଦ୍ୟୋଗୀ ମାନେ ଅଧିକ ସଂଖ୍ୟାରେ ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ମନୋନିବେଶ କରି ଆତ୍ମନିଯୁକ୍ତି ପାଇବା ସହିତ ଅନ୍ୟ ମାନଙ୍କ ନିମନ୍ତେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ। ରାଜ୍ୟ ସରକାର ବାୟୋ ଫ୍ଲକ୍ ପ୍ରଣାଳୀରେ ମାଛ ଚାଷକୁ ଗୁରୁତ୍ୱ ପ୍ରଦାନ କରୁଥିବା ବେଳେ ଉଦ୍ୟୋଗୀ ମାନଙ୍କୁ ମାଛ ଚାଷ ସଂପର୍କରେ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି। ବାୟୋ ଫ୍ଲକ୍ ଉଦ୍ୟୋଗୀ ମାନଙ୍କୁ ଠିକ୍ ସମୟରେ ମାଛ ଜାଅଁଳ ଯୋଗାଇ ଦେବା କ୍ଷେତ୍ରରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଡଃ: ସାହୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମତ୍ସ୍ୟ ନିର୍ଦ୍ଦେଶାଳୟର ଅଧିକାରୀମାନେ ନିୟମିତ ବାୟୋ – ଫ୍ଲକୁ ଉଦ୍ୟୋଗୀ ମାନଙ୍କ ସହିତ ସିଧାସଳଖ ସଂପର୍କ ରଖିବା ପାଇଁ ଅରୁଣ ସାହୁ ପରାମର୍ଶ ଦେବା ସହିତ ବାୟୋ- ଫ୍ଲକୁ ମାଛ ଚାଷ ସମ୍ବନ୍ଧିତ ସମସ୍ତ ତଥ୍ୟ ବିଭାଗୀୟ ୱେବ୍‌ସାଇଟ୍ ଏବଂ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ କରାଇବା ପାଇଁ ମନ୍ତ୍ରୀ କହିଥିଲେ। ଆଜିର ଆଲୋଚନାରେ ବାୟୋ- ଫ୍ଲକ୍ ଉଦ୍ୟୋଗୀ ମାନଙ୍କର ମତାମତକୁ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଥିଲେ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର କମିଶନର ତଥା ଶାସନ ସଚିବ ଆର୍ ରଘୁପ୍ରସାଦ କହିଥିଲେ ଯେ ରାଜ୍ୟରେ ଅଦ୍ୟାବଧ ୧୬୧୨ଟି ବାୟୋ- ଫ୍ଲକୁ ବ୍ୟାଙ୍କ ନିର୍ମାଣ କରାଯାଇଛି ଏବଂ ୨୦୨୧ – ୨୨ ବର୍ଷରେ ରାଜ୍ୟରେ ୫୦୦୦ ବାୟୋ- ଫ୍ଲକ୍ ବ୍ୟାଙ୍କ ନିର୍ମାଣର ଲକ୍ଷ୍ୟ ରଖାଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ମାନେ କ୍ଷେତ୍ର ଅଧିକାରୀ ମାନଙ୍କୁ ପଠାଇ ନିର୍ମାଣଧୀନ ସମସ୍ତ ବାୟୋ- ଫ୍ଲକ୍ ବ୍ୟାଙ୍କକୁ ଜୁନ୍ ୨୦୨୧ ସୁଦ୍ଧା ସାରିବା ପାଇଁ ସଚିବ ଆର୍ ରଘୁପ୍ରସାଦ ନିର୍ଦ୍ଦେଶ ଦେଇଥିଲେ। ବୈଠକ ପ୍ରାରମ୍ଭରେ ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ ବାୟୋ- ଫ୍ଲକୁ ଯୋଜନା ସଂପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ। କୋଭିଡ୍- ୧୯ ମହାମାରୀ ପରିପ୍ରେକ୍ଷୀରେ ବାୟୋ- ଫ୍ଲକ୍ ମତ୍ସ୍ୟ ଉଦ୍ୟୋଗୀ ମାନଙ୍କୁ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଉଛି ବୋଲି କହିଥିଲେ। ବୈଠକରେ ବିଭାଗୀୟ ବରିଷ୍ଠ ଅଧକାରୀଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାର ବାୟୋ- ଫ୍ଲକ୍ ମତ୍ସ୍ୟ ଉଦ୍ୟୋଗୀ ମାନେ ଯୋଗଦେଇ ସେମାନଙ୍କ ମତାମତ ପ୍ରଦାନ କରିଥିଲେ।
/- ଦେବଦତ୍ତ ରଥ