Odiapua.com

ବିନା ମେଘରେ ବଜ୍ରପାତ: ଏହା ହୋଇପାରେ ଏମାନଙ୍କ ଶେଷ ଶୁଭେଚ୍ଛା ..!

ଭୁବନେଶ୍ୱର: ଇତି ମଧ୍ୟରେ ବିନା ମେଘରେ ବଜ୍ରପାତ ପରି ରାତି ପାଇଲା ବେଳକୁ ରାଜ୍ୟ ବିଜେପି ସଭାପତି ବଦଳି ଗଲେ। ନବନିଯୁକ୍ତ ସଭାପତି ମନମୋହନ ସାମଲ ଧରିଲେ ରାଜ୍ୟ ବିଜେପିର ମଙ୍ଗ। ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଉଥିବା ନେତାଗଣ ଜଳକା ହୋଇଗଲେ। ଏମାନଙ୍କ ପାଇଁ ଏହି ଘୋଷଣା ଅପ୍ରୟାସିତ ଥିଲା। ସବୁ କିଛି ଓଲଟିଗଲା! ଇଏ ହେଲେ ସେହି ମନମୋହନ ଯିଏ ମେଣ୍ଟ ସରକାର ସମୟରେ ନବୀନ ପଟ୍ଟନାୟକଙ୍କ ପରେ ଦ୍ଵିତୀୟ ପାୱାରଫୁଲ୍ ମିନିଷ୍ଟର ଥିଲେ। ଓଡ଼ିଶା ବିଜେପିର କ୍ଷମତା କେନ୍ଦ୍ର ଥିଲେ। ବିଜେପି – ବିଜେଡି ମେଣ୍ଟ ହେବାର ମଧ୍ୟ ସେ ମୁଖ୍ୟ ସୂତ୍ରଧର ଥିଲେ। ମନମୋହନ ଜଣେ ବିଚକ୍ଷଣ, ଦକ୍ଷ ତଥା ଆଗ୍ରେସିଭ୍ ନେତା ଭାବରେ ପରିଚିତ। ପୂର୍ବ ସଭାପତିଙ୍କ ପରି ରବର୍ ଷ୍ଟାମ୍ପ୍ ସଭାପତି କେବେ ବୋଲେଇ ହେବେନି ମନମୋହନ। ଏଥିପାଇଁ ଏବେ ଅନେକଙ୍କୁ ପଡ଼ିଲାଣି ଭାଳେଣି। ଯୋଗ୍ୟତା ନଥାଇ କେବଳ ଖୋସାମତି, ଚାଟୁକାରୀ କରି ବିଭିନ୍ନ ପଦ ପଦବୀ ମାଡ଼ି ବସିଥିବା ନେତାନେତ୍ରୀ ଗଣଙ୍କର ପଡ଼ିଲାଣି ଭାଳେଣି। ରାତିରେ ଆଉ ନିଦ ହେଉନି। ମୁଣ୍ଡରେ ଗୋଟିଏ ଚିନ୍ତା ଆଗକୁ କ’ଣ ହେବ? ଦଳରେ ନିଜ ସ୍ଥିତି କେଉଁଠି କେମିତି ରହିବ ନେଇ ଯାହାର ଯାହା ନିଜ ଚିନ୍ତା! ରାଜ୍ୟ ସଭାପତି ଭାବରେ ଘୋଷଣା ହେବା ପରେ ରାଜ୍ୟ କାର୍ଯ୍ୟଳୟରେ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ମନମୋହନ ସାମଲ ଯେଉଁ ଅଭିଭାଷଣ ରଖିଲେ, ତାହା ଶୁଣି ଅନେକ ନେତା ନେତ୍ରୀଙ୍କ ହୋସ୍ ଉଡ଼ି ଯାଇଛି। କାରଣ ପ୍ରଥମତଃ ରାଜ୍ୟ ସଭାପତି ଏବେ ପରିବର୍ତ୍ତନ ହେବେ ନାହିଁ, ସମୀର ମହାନ୍ତି ସଭାପତି ଭାବରେ ୨୦୨୪ ନିର୍ବାଚନ ଯାଏଁ ଚଲାଇବେ ବୋଲି ଏମାନଙ୍କର ଏକ ଧାରଣା ଥିଲା। ଆଉ ଯେବେ ସଭାପତି ପରିବର୍ତ୍ତନ ହେଲେ, ନିର୍ବାଚନ ଆଉ ଅଳ୍ପ ଦିନ ଥିବାରୁ ଟିମ୍ ପରିବର୍ତ୍ତନ ହୋଇ ନୂଆ ଟିମ୍ ହେବ ନାହିଁ, ବୋଲି ଏମାନଙ୍କ ଭିତରେ ଆଲୋଚନା ଚାଲିଲା। କିନ୍ତୁ, ମନମୋହନ ସାମଲଙ୍କ କଥା ଶୁଣି ଟେନ୍ସନକୁ ଆସି ଯାଇଛନ୍ତି ଏମାନେ। କାରଣ ମନମୋହନ ତାଙ୍କ ଅଭିଭାଷଣରେ ବିଦାୟୀ ସଭାପତିଙ୍କ ସମେତ ତାଙ୍କ ଟିମକୁ ମଧ୍ୟ ଏକ ପ୍ରକାର ବିଦାୟୀ ସମ୍ବର୍ଦ୍ଧନା ଦେଇ ଦେଇଛନ୍ତି!

ଏମିତିରେ ରାଜ୍ୟ ସଭାପତି ପରିବର୍ତ୍ତନ ହେବା ପରେ ସ୍ୱାଭାବିକ ଭାବରେ ପୂର୍ବ ସଭାପତିଙ୍କ ପଦାଧିକାରୀ ଟିମ୍ ଭାଙ୍ଗିଗଲା ବୋଲି ଭାବି ନେବା କଥା। ନବନିଯୁକ୍ତ ସଭାପତି ତାଙ୍କର ନୂଆ ଟିମ୍ ଗଠନ କରିବେ। ତେବେ, ହୁଏତ ସଭାପତି ଚାହିଁଲେ କିଛିଟା ପରିବର୍ତ୍ତନ କରି ପୁରୁଣା ଟିମକୁ ଅପରିବର୍ତ୍ତିତ ରଖିପାରନ୍ତି। ଏହା ସଭାପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ତେବେ, ସାଧାରଣ ନିର୍ବାଚନ ହେବାକୁ ଆଉ ପ୍ରାୟ ବର୍ଷଟିଏ ଥିବାରୁ ଏତେ ଅଳ୍ପ ସମୟ ମଧ୍ୟରେ ନୂତନ ସଭାପତି ମନମୋହନ ସାମଲ ଆଉ ଟିମ୍ ପରିବର୍ତ୍ତନ କରିବେ ନାହିଁ ବୋଲି ଦଳ ଭିତରେ ଯେଉଁ ଆଲୋଚନା ଚାଲିଥିଲା ତାହା ଭୁଲ୍ ସାବ୍ୟସ୍ତ ହୋଇପାରେ। କାରଣ, ରାଜ୍ୟ କାର୍ଯ୍ୟାଳୟରେ ନବ ନିଯୁକ୍ତ ସଭାପତି ମନମୋହନ ସାମଲଙ୍କ ଉଦ୍ଦେଶ୍ୟରେ ଯେଉଁ ସ୍ୱାଗତ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଥିଲା, ସେଥିରେ ଅଭିଭାଷଣ ରଖିବା ବେଳେ ମନମୋହନ ଯାହା କହିଲେ ସେଥିରୁ ଏବେକାର ଟିମ୍ ଭାଙ୍ଗିଗଲା ବୋଲି ଜଣାପଡ଼ୁଛି! ବିଦାୟୀ ସଭାପତି ସମୀର ମହାନ୍ତିଙ୍କ ଉଦ୍ଦେଶ୍ୟରେ ବିଦାୟକାଳୀନ ଅଭିଭାଷଣ ରଖିବା ବେଳେ ସମୀରଙ୍କୁ କୃତଜ୍ଞତା ଜଣାଇବା ସହ ମନମୋହନ କହିଥିଲେ, “ଯେଉଁମାନେ ସମୀର ମହାନ୍ତିଙ୍କ ଟିମରେ ପଦାଧିକାରୀ ଥିଲେ, ଯେଉଁମାନେ ବିଭିନ୍ନ ଦାୟିତ୍ୱ ନେଇ ସମୀର ମହାନ୍ତିଙ୍କ ୨୦୨୦ ଜାନୁୟାରୀ ମାସ ଠାରୁ ଆଜି ପର୍ଯ୍ୟନ୍ତ ତିନି ବର୍ଷ କାଳ ନିଜର ସମୟ, ନିଜର ଶକ୍ତି, ଯୋଗ୍ୟତା, ସାମର୍ଥ୍ୟକୁ ନେଇ କାମ କରିଛନ୍ତି, ସେହି ଟିମକୁ ମୁଁ ସମୀର ମହାନ୍ତିଙ୍କ ଜରିଆରେ ଧନ୍ୟବାଦ ଜଣାଉଛି, ଅଭିନନ୍ଦନ ଜଣାଉଛି।” ମନମୋହନଙ୍କ ଏପରି ମନ୍ତବ୍ୟ ସମୀର ମହାନ୍ତିଙ୍କ ଏବେକାର ରାଜ୍ୟ ପଦାଧିକାରୀ ଟିମ୍ ଭାଙ୍ଗିଗଲା ବୋଲି ଅନୁଭବ ହେଉଛି! ତେଣୁ ଆଜି ରାମ ନବମୀ ପାଇଁ ଏମାନେ ଯେଉଁ ନିଜ ଫଟୋ ଏବଂ ନିଜ ନାମ ସହ ପଦପଦବୀ ଲେଖି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ଶୁଭେଚ୍ଛା ବାର୍ତ୍ତା ଜଣାଉଛନ୍ତି, ଏହା ହୁଏତ ହୋଇପାରେ ଏମାନଙ୍କ ଶେଷ ଶୁଭେଚ୍ଛା! ଆଗାମୀ ଶୁଭେଚ୍ଛା ବାର୍ତ୍ତା ଜଣାଇବା ବେଳକୁ ହୁଏତ, ସେମାନଙ୍କ ପାଖରେ ଆଉ ସେହି ପଦପଦବୀ ନଥିବ!!

ଏଥର ଲଢ଼େଇ ହେବ, ଜୋରଦାର୍ ହେବ ଏବଂ ପରିଣତି ନିର୍ଣ୍ଣାୟକ ତଥା ଶୁଭଙ୍କର ହେବ ..


-/Dev@Drath