Odiapua.com

ପାସପୋର୍ଟଧାରୀ ପ୍ରବାସୀ ଭାରତୀୟଙ୍କୁ ପ୍ରଦାନ କରାଯିବ ଆଧାର କାର୍ଡ

– ୨୦୧୯-୨୦ରେ ସରକାର ୪ଟି ନୂତନ ଦୂତାବାସ ଖୋଲିବେ
ନୂଆ ଦିଲ୍ଲୀ ୬-୭ (ଓଡ଼ିଆ ପୁଅ) ପାସପୋର୍ଟଧାରୀ ପ୍ରବାସୀ ଭାରତୀୟମାନଙ୍କୁ ଆଧାର କାର୍ଡ ପ୍ରଦାନ କରାଯିବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ସେ ମଧ୍ୟ ଏକ ମିଶନର ପ୍ରସ୍ତାବ ଦେଇଛନ୍ତି ଯାହା ଦ୍ୱାରା ଭାରତର ପାରମ୍ପରିକ କଳାକାର ଏବଂ ସେମାନଙ୍କର ସୃଜନାତ୍ମକ ଉତ୍ପାଦଗୁଡିକୁ ସମନ୍ୱିତ କରାଯାଇ ଏଥିପାଇଁ ଏକ ବିଶ୍ୱବଜାର ସୃଷ୍ଟି କରାଯାଇପାରିବ। ଯେଉଁଠାରେ ଏହି ଉତ୍ପାଦଗୁଡିକ ପାଇଁ ପ୍ୟାଟେଂଟ ଓ ଭୌଗୋଳିକ ସୂଚକାଙ୍କ ହାସଲ କରାଯିବ।

ଭାରତୀୟ ସୂକ୍ଷ୍ମ ଶକ୍ତିକୁ ସର୍ବଦା ପ୍ରଶଂସା କରାଯାଇଥାଏ। ଗତ ୩ ବର୍ଷ ମଧ୍ୟରେ ବିଶ୍ୱର ୧୯୨ଟି ଦେଶରେ ଆନ୍ତର୍ଜାତିକ ଯୋଗ ଦିବସକୁ ବହୁ ସଂଖ୍ୟାରେ ଜନ ସାଧାରଣ ପାଳନ କରୁଛନ୍ତି। ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନ ତୋ ତେନେ କହିୟେ” ୪୦ଟି ଦେଶରେ ଏହାର ପ୍ରମୁଖ କଳାକାରଙ୍କ ଦ୍ୱାରା ଗାନ କରାଯାଇଥିଲା। ବାର୍ଷିକ “ଭାରତ କୋ ଜାନୋ” କୁଇଜ ପ୍ରତିଯୋଗିତା କେବଳ ପ୍ରଭାସୀ ଭାରତୀୟ ମାନଙ୍କ ମଧ୍ୟରେ ନୁହେଁ ବରଂ ବିଦେଶୀମାନଙ୍କ ମଧ୍ୟରେ ବି ଅତି ଲୋକପ୍ରିୟ ହୋଇଛି। ଆଜି ସଂସଦରେ ସାଧାରଣ ବଜେଟ ୨୦୧୯-୨୦ ଉପସ୍ଥାପିତ କରିବା ସମୟରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି।

୪ ନୂତନ ଦୂତାବାସ

ଅର୍ଥମନ୍ତ୍ରୀ କହିଥିଲେ ଯେ, ଆନ୍ତର୍ଜାତିକ ସମ୍ପ୍ରଦାୟ ମଧ୍ୟରେ ଭାରତର ପ୍ରଭାବ ଓ ନେତୃତ୍ୱକୁ ବୃଦ୍ଧି କରିବା ପାଇଁ ଯେଉଁ ରାଷ୍ଟ୍ରଗୁଡିକରେ ଏ ପର୍ଯ୍ୟନ୍ତ ଭାରତର ଆବାସିକ କୂଟନୈତିକ ମିଶନ ପ୍ରତିଷ୍ଠା ହୋଇନାହିଁ, ସେଠାରେ ଭାରତୀୟ ଦୂତାବାସ ଏବଂ ହାଇ କମିଶନ ଖୋଲିବା ପାଇଁ ସରକାର ନିଷ୍ପତି ନେଇଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ସରକାର ୪ଟି ନୂତନ ଦୂତାବାସ ପ୍ରତିଷ୍ଠା କରିବା ନେଇ ନିଷ୍ପତି ଗ୍ରହଣ କରିଛନ୍ତି। ଏହା ଫଳରେ ବିଦେଶରେ ଭାରତର ଉପସ୍ଥିତି କେବଳ ବୃଦ୍ଧି ପାଇବ ନାହିଁ ବରଂ ଦୂତାବାସ ମାନଙ୍କୁ ଉନ୍ନତ ତଥା ଅଧିକ ସୁଗମ ସେବା ପ୍ରଦାନ କରିବାର ସୁଯୋଗ ପ୍ରଦାନ କରିବ। ବିଶେଷ କରି ସେହି ରାଷ୍ଟ୍ରମାନଙ୍କକରେ ବାସ କରୁଥିବା ଆଂଚଳିକ ଭାରତୀୟ ସମ୍ପ୍ରଦାୟମାନଙ୍କ ପାଇଁ ଏହା ସହାୟକ ହେବ। ୨୦୧୮ ମାର୍ଚ୍ଚରେ ସରକାର ଆଫି୍ରକାରେ (ରୱାଣ୍ଡା, ଜିବୌତି, ଇକ୍ୱେଟୋରିଆଲ ଗୁଏନା, କଙ୍ଗୋ ସାଧାରଣତନ୍ତ୍ର, ବୁରକିନା ଫାସୋ, କାମେରୁନ, ମୌରିତାନିଆ, କେଫ ଭର୍ଡେ, ସିଏରା ଲିଓନେ, ଚାଡ, ସାଓ ଟୋମେ ଓ ପ୍ରିନ୍ସିପେ, ଏରିଟରିୟା, ସୋମାଲିଆ, ଗୁଏନା ବିଶାଓ, ସ୍ୱାଜିଲାଣ୍ଡ, ଲିବେରିଆ ଓ ଟୋଗୋ) ୧୮ଟି ନୂତନ ଭାରତୀୟ କୂଟନୈତିକ ମିଶନ ପ୍ରତିଷ୍ଠା କରିବା ଲାଗି ସରକାର ଅନୁମତି ପ୍ରଦାନ କରିଥିଲେ। ଏହି ଦେଶମାନଙ୍କ ମଧ୍ୟରୁ ୨୦୧୮-୧୯ ଆର୍ଥିକ ବର୍ଷରେ ରୱାଣ୍ଡା, ଜିବୌତି, ଇକ୍ୱେଟୋରିଆଲ ଗୁଏନା, ଗୁଏନା ସାଧାରଣତନ୍ତ୍ର ଏବଂ ବୁରକିନା ଫାସୋଠାରେ ୫ଟି ଦୂତାବାସ ପ୍ରତିଷ୍ଠା କରାଯାଇସାରିଛି।