Odiapua.com

ବିଜୁ ବାବୁଙ୍କୁ ସମ୍ମାନ ଦେବାକୁ ଯାଇ ଭଗବାନ୍ ପର୍ଶୁରାମଙ୍କ ଅପମାନ୍ ବରଦାସ୍ତ ନୁହେଁ ..

ଭୁବନେଶ୍ୱର: ବିଜୁ ବାବୁଙ୍କୁ ସମ୍ମାନ ଦେବାକୁ ଯାଇ ଭଗବାନ୍ ପର୍ଶୁରାମଙ୍କ ଅପମାନ୍ ବରଦାସ୍ତ ନୁହେଁ ବୋଲି କହିଛନ୍ତି ଅଖିଳ ଭାରତ ହିନ୍ଦୁ ମହାସଭା ତଥା ବିଜେପି ଯୁବାନେତ୍ରୀ ହରପ୍ରିୟା ସାହୁ। ନବୀନ ପଟ୍ଟନାୟକଙ୍କ ବଦାନ୍ୟତାକୁ ହୀନମାନ୍ୟତା କରାଇଦେଲେ ନବୀନ ବାବୁଙ୍କ ବିଧାୟକ ବୋଲି ଉଦାହରଣ ଦେଇ ହରପ୍ରିୟା କହିଛନ୍ତି, ପୁରୀ ସ୍ୱର୍ଗଦ୍ୱାର ଉନ୍ନତିକରଣ କାର୍ଯ୍ୟରେ ବାଧା ଉପୁଜୁଥିବା ଯୋଗୁଁ ସ୍ୱର୍ଗଦ୍ୱାରରେ ଥିବା ଓଡ଼ିଶାର ବରପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ସମାଧିସ୍ଥଳକୁ ସେଠାରୁ ହଟାଇ ଏକଦା ପ୍ରଶଂସା ସାଉଁଟିଥିଲେ ନବୀନ ବାବୁ। ଓଡ଼ିଶାବାସୀଙ୍କ ପାଇଁ ନିଜ ବାପାଙ୍କ ସମାଧିସ୍ଥଳ ଉଛେଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ବୋଲି କହିଥିଲେ ନବୀନ ପଟ୍ଟନାୟକଙ୍କ ସଚିବ ଭି. କେ ପାଣ୍ଡିଆନ। ବିଜୁବାବୁ ମାଟି ଆଉ ପଥରରେ ନୁହେଁ, ଓଡ଼ିଶା ଲୋକଙ୍କ ହୃଦୟରେ ଅଛନ୍ତି ବୋଲି କୁଆଡ଼େ ନବୀନ ବାବୁ କହିଥିଲେ ବୋଲି ପାଣ୍ଡିଆନ କହିଥିଲେ। କିନ୍ତୁ, ଏବେ ଏପରି କିଛି କର୍ମ କରି ନବୀନଙ୍କ ବଦାନ୍ୟତାକୁ ହୀନମାନ୍ୟତା କରାଇଦେଲେ ନବୀନ ବାବୁଙ୍କ ଦଳ ବିଜେଡିର ଜଣେ ବିଧାୟକ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ରହ୍ମପୁରା ସ୍ଥିତ ଛକକୁ ପର୍ଶୁରାମ ଛକ ନାମରେ ନାମିତ କରି ସେଠାରେ ଦୀର୍ଘ ଦିନ ହେଲା ଲାଗିଥିବା ଭଗବାନ୍ ପର୍ଶୁରାମଙ୍କ ଫଟୋଚିତ୍ରକୁ ହଟାଇ ସେଠାରେ ବିଜୁ ବାବୁଙ୍କ ଏକ ପ୍ରତିମା ଛିଡ଼ା କରାଇଦେଲେ ପଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେର। କେବଳ ସେତିକି ନୁହେଁ, ଫଟୋଚିତ୍ରକୁ ସେଠାରୁ କଢ଼ାଯାଇ ଏକ ଇଲେକ୍ଟ୍ରିକ୍ ଟ୍ରାନ୍ସଫର୍ମରରେ ଟାଙ୍ଗିଦେଇ ଭଗବାନ ପର୍ଶୁରାମଙ୍କୁ ଅପମାନ କରାଯାଇଛି। ଏପରି କରି ହିନ୍ଦୁମାନଙ୍କ ଧର୍ମୀୟ ଭାବନା ଓ ବିଶ୍ୱାସ ଉପରେ କୁଠାରଘାତ କରାଯାଇଛି। ହିନ୍ଦୁ ଭଗବାନଙ୍କୁ ଅପମାନିତ କରାଯାଇଛି। ପର୍ଶୁରାମଙ୍କ ମୂର୍ତ୍ତି ହଟାଇବା ସହ ଏଠାରେ ପୋତା ଯାଇଥିବା ଧର୍ମଧ୍ୱଜାକୁ ମଧ୍ୟ ଚିରି ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି ବୋଲି କହିଛନ୍ତି ହରପ୍ରିୟା।

ଏଥିନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ପ୍ରବଳ ପ୍ରତିବାଦ ପରେ ଗତ ୩ ତାରିଖରେ ଜିଲ୍ଲା ବନ୍ଦ୍ ଡାକରା ଦିଆଯାଇଥିଲା। ବିଜୁ ବାବୁ ମାଟି ଆଉ ପଥରରେ ନୁହେଁ, ଓଡ଼ିଶା ଲୋକଙ୍କ ହୃଦୟରେ ଅଛନ୍ତି ବୋଲି କହୁଥିବା ନବୀନ ବାବୁ କ’ଣ ଏଥିରୁ ଲୋକଙ୍କ ହୃଦୟର ଭାବନା ବୁଝିପାରୁ ନାହାଁନ୍ତି? ବିଜୁ ବାବୁ ନିଶ୍ଚିତ ସମ୍ମାନର ପାତ୍ର। କିନ୍ତୁ ବିଜୁ ବାବୁଙ୍କୁ ସମ୍ମାନ ଦେବାକୁ ଯାଇ ଭଗବାନ୍ ପର୍ଶୁରାମଙ୍କ ଅପମାନ କରାଯିବା ଆଦୌ ଗ୍ରହଣୀୟ ନୁହେଁ। ନବୀନ ବାବୁ ଏକଥା ବୁଝନ୍ତୁ। ନବୀନ ବୁଝୁନଥିଲେ ପାଣ୍ଡିଆନ ତାଙ୍କୁ ବୁଝାନ୍ତୁ ବୋଲି କହିଛନ୍ତି ହରପ୍ରିୟା ସାହୁ।