Odiapua.com

ଭଦ୍ରକ ଜିଲ୍ଲା ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକର୍ତ୍ତା ସମ୍ମିଳନୀ: ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ଘୋଷିତ ..

ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପିକୁ ଅଧିକ ସକ୍ରିୟ କରିବା ତଥା ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଭାଗବତ କଲ୍ୟାଣ ମଣ୍ଡପଠାରେ ଭଦ୍ରକ ଜିଲ୍ଲା ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ହେମନ୍ତ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ସମ୍ପାଦକ ତଥା ଭଦ୍ରକ ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ, ରାଜ୍ୟ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ, ଡା. ପ୍ରଦିପ କୁମାର ନାୟକ, ଏବଂ ମାଧବାନନ୍ଦ ମଲ୍ଲିକଙ୍କ ସମେତ ଜିଲ୍ଲାର ସମସ୍ତ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚା ସଭାପତି, ସଭାନେତ୍ରୀ ଏବଂ ବିଭିନ୍ନ ମଣ୍ଡଳ ସଭାପତି ପ୍ରମୂଖ ଯୋଗ ଦେଇଥିଲେ। ବିଜେଡି ସରକାରଙ୍କ ଦୁର୍ନୀତି ଚରମ ସୀମାରେ ପହଞ୍ଚିଯାଇଛି। ଯାହା ବରଦାସ୍ତ କରାଯାଇ ପାରିବ ନାହିଁ। ବିଜେଡି ସରକାରର ରେସନ କାର୍ଡ, ପାଇଖାନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଧାନ କିଣା ଆଦି ମହାଦୁର୍ନୀତି ବିରୋଧରେ ବିଜେପି ଗାଁ’ ଗାଁ’କୁ ଯିବ ଏବଂ ସେମାନଙ୍କର ମୁଖା ଖୋଲାଯିବ। ସମସ୍ତ ବିଷୟରେ ଆର.ଟି.ଆଇ. ତଥ୍ୟ ମଗାଯିବ ବୋଲି ସମ୍ମିଳନୀରେ କୁହାଯାଇଥିଲା। ସେହିପରି ବିଜେପିକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରି, କିପରି ଗ୍ରାମ ପଞ୍ଚାୟତ ଦଖଲ କରାଯାଇ ପାରିବ ନେଇ ଆହ୍ୱାନ ଦିଆଯାଇଥିଲା। ପ୍ରତ୍ୟେକ ବୁଥ୍‌ରେ ପ୍ରଧାନମନ୍ତ୍ରୀ ଏବଂ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନ ପାଳନ କରାଯିବାର ନିଷ୍ପତି ମଧ୍ୟ ଗ୍ରହଣ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା ଗୁଡ଼ିକ ଲୋକମାନଙ୍କପାଖରେ ପହଞ୍ଚାଇବାକୁ ପରାମର୍ଶ ଦିଆଯାଇଥିଲା।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ଭାବରେ ଯୁବ ମୋର୍ଚ୍ଚା ପ୍ରଭାରୀ ଭାବରେ ଶରତ ପଢ଼ିଆରୀ, ମହିଳା ମୋର୍ଚ୍ଚା ପ୍ରଭାରୀ ଭାବରେ ଭଗବାନ ପଣ୍ଡା, କୃଷକ ମୋର୍ଚ୍ଚା ପ୍ରଭାରୀ ଭାବରେ ମଙ୍ଗରାଜ ନାୟକ, ଓବିସି ମୋର୍ଚ୍ଚା ପ୍ରଭାରୀ ଭାବରେ ବୁଦ୍ଧଦେବ ଜେନା, ଅନୁସୂଚିତ ମୋର୍ଚ୍ଚା ପ୍ରଭାରୀ ଭାବରେ ସୁରେଶ ସାମଲ ଏବଂ ସଂଖ୍ୟାଲଘୁ ମୋର୍ଚ୍ଚା ପ୍ରଭାରୀ ଭାବରେ ତପନ ମହାନ୍ତିଙ୍କ ନାମ ଘୋଷଣା କରାଯାଇଥିଲା।
-@Dr