Odiapua.com

ଭଦ୍ରକ ବିଜେପିକୁ ଗ୍ରାସିଛି ନେପୋଟିଜିମ୍: ବଢ଼ୁଛି ଅସନ୍ତୋଷ ..

ଭୁବନେଶ୍ୱର/ଭଦ୍ରକ: ନୀତି, ଆଦର୍ଶ ଓ ବିଚାରଧାରାରୁ ବିଚ୍ୟୁତ ହୋଇ ସାରିଛି ଭାରତୀୟ ଜନତା ପାର୍ଟି। ରାଜ୍ୟ ଠାରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ଦଳରେ ବ୍ୟକ୍ତିବାଦ ଚାଲିଛି। ଅଳ୍ପ କେତେକ ତଥାକଥିତ ନେତୃମଣ୍ଡଳୀଙ୍କ କର୍ପୋରେଟ୍ ଚିନ୍ତାଧାରା ପାଇଁ ବହୁ ସାଧାରଣ କର୍ମୀ ଏବେ ଅବସାଦ ମଧ୍ୟରେ ଗତି କରୁଛନ୍ତି। ବାସ୍ତବ କର୍ମୀଙ୍କୁ କୋଣଠେସା କରି ରଖାଯାଉଛି ବୋଲି ଅଭିଯୋଗ ଆଣି ଭଦ୍ରକ ଜିଲ୍ଲା ବିଜେପିର କେତେକ ମୂଳ ବିଚାରଧାରାର ବିଜେପି ନେତୃତ୍ୱ ଏବଂ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା ଦଳର ପ୍ରଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏଥିରେ ପ୍ରାକ୍ତନ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ଜେନା, ପ୍ରାକ୍ତନ ଉପସଭାପତି ରାଜୀବ କୁମାର ମହାନ୍ତି, ସପନ ଦାସ, ପଞ୍ଚାନନ ସାହୁ, ପ୍ରଦୀପ ମହାନ୍ତି, ବନମାଳୀ ରାଉତ, ବିମଳ ବାରିକ, କିଶୋର ଭୂୟାଁ, ବିଜୟ ସ୍ୱାଇଁ ପ୍ରମୂଖ ସାମିଲ୍ ଅଛନ୍ତି। ଏହା ପୂର୍ବରୁ ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ବିଷ୍ଣୁପ୍ରିୟା ଜେନା ଏବଂ କୋଷାଧ୍ୟକ୍ଷା ସ୍ମୃତିରେଖା ରାଉତ ଦଳୀୟ ନେତୃତ୍ୱଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିଲେ। ୬ ବର୍ଷର ପ୍ରାଥମିକ ସଭ୍ୟ ହୋଇନଥିବା ଜଣେ ବ୍ୟକ୍ତିଙ୍କୁ ଆଣି ଜିଲ୍ଲା ସଭାପତି କରାଯାଇଛି। ଯେ କି ନିଜ ଇଚ୍ଛା ଅନୁସାରେ ଦଳ ଚଳାଇଛନ୍ତି ବୋଲି ଦଳ ଛାଡ଼ିଥିବା ନେତୃତ୍ୱ ମାନେ ମତବ୍ୟକ୍ତ କରିଛନ୍ତି।କଂଗ୍ରେସ ଆଉ ବିଜେଡିରେ ନେପୋଟିଜିମ୍ (ପରିବାରବାଦ) ଚାଲିଥିବା ନେଇ ଅଭିଯୋଗ କରୁଥିବା ବିଜେପିରେ ବାସ୍ତବରେ ନିଜ ଦଳକୁ ନେପୋଟିଜିମ୍ (ପରିବାରବାଦ) ଗ୍ରାସିଛି। ପୂର୍ବରୁ ଭଦ୍ରକ ବିଜେପିରେ ବାପ – ପୁଅ ରାଜନୀତି ଚାଲିଥିବା ନେଇ ଚର୍ଚ୍ଚା ହୋଇ ଆସୁଥିବା ବେଳେ ଏବେ ସେଥିରେ ପତି – ପତ୍ନୀ ପଲଟିକ୍ସ୍ ଯୋଡ଼ି ହୋଇଯାଇଛି। କିଛିଦିନ ତଳେ ନିଜକୁ ଦଳରେ କିରାଣୀ ସଦୃଶ୍ୟ ଅନୁଭବ କରୁଥିବା ବୋଲି କହୁଥିବା ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ ନିଜେ ସମିତି ସଭ୍ୟ ପାଇଁ ଲଢ଼ୁଥିବା ବେଳେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଆଉ ଏକ ସ୍ଥାନରୁ ସମିତି ସଭ୍ୟ ଲଢ଼ାଉଛନ୍ତି। ଏଣେ ବ୍ଲକ୍ ଅଧ୍ୟକ୍ଷ ପଦରେ ନିଜେ ବସିବା ଲକ୍ଷରେ ଥାଇ ତେଣେ ଅନେକ ନିଷ୍ଠାପର ନେତା/ନେତ୍ରୀ ବା କାର୍ଯ୍ୟକର୍ତ୍ତାଙ୍କ ଟିକେଟ୍ କାଟି ଦିଆଯାଇଛି ବା ସେମାନଙ୍କୁ ବିଶ୍ୱାସକୁ ନିଆଯାଇ ନାହିଁ। ଏଣେ କାହାକୁ ପାର୍ଥି କରିବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରାଯାଉଛି, ତେଣେ ମଣ୍ଡଳ ସଭାପତିଙ୍କ ପତ୍ନୀଙ୍କୁ କରାଯାଉଛି ପାର୍ଥି। ଆଉ ଯେଉଁ ଜୋନରେ ନିଜର ପ୍ରଭାବ ଜୋର୍ ଥିବା ନେଇ ଏମାନେ ଚିତ୍କାର କରୁଥିଲେ, ସେହି ଜୋନରେ ବିଜେଡିର ଅଲୋଡ଼ା କର୍ମୀକୁ ଆଣି ପାର୍ଥି କରାଯାଇ ତାକୁ ନେତା ଭାବରେ ସଜେଇ ଦିଆଯାଉଛି। ଜିଲ୍ଲାରେ ଚର୍ଚ୍ଚିତ ତଥା ସକ୍ରିୟ ଥିବା ଯୁବ ନେତୃତ୍ୱଙ୍କୁ ସଂପୂର୍ଣ୍ଣ ଅଣଦେଖା କରି ଦିଆଯାଇଛି। ଏହାକୁ ନେଇ ଭଦ୍ରକ ଜିଲ୍ଲା ବିଜେପିରେ ଅସନ୍ତୋଷ ଏବଂ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି। ଟିକେଟ୍ ବଣ୍ଟନ ପ୍ରକ୍ରିୟାକୁ ନେଇ ବିରୋଧୀଙ୍କ ସହିତ ଡିଲ୍ ହୋଇଥିବା ଆଲୋଚନା ହେଉଛି। ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି।
/-Dr