Odiapua.com

ଗତବର୍ଷ ଏପ୍ରିଲଠାରୁ ରେଳ ଦୁର୍ଘଟଣାରେ ଶୂନ୍ୟ ଯାତ୍ରୀ ମୃତ୍ୟୁ

ଭାରତୀୟ ରେଳର ସର୍ବଶ୍ରେଷ୍ଠ ନିରାପତ୍ତା ରେକର୍ଡ

– ୨୦୧୯-୨୦ରେ ସର୍ବାଧିକ ୧୨୭୪ ଲେବଲ କ୍ରସିଂ ଉଚ୍ଛେଦ ଓ ୫୧୮୧ କିଲୋମିଟର ଦୀର୍ଘ ରେଳରାସ୍ତା ନବୀକରଣ
– ୨୦୧୯-୨୦ରେ ନିରାପତ୍ତା ବୃଦ୍ଧି ସ୍ୱରୂପ ୧୩୦୯ ରେଳ ଓଭରବ୍ରିଜ/ଅଣ୍ଡରବ୍ରିଜ ନିର୍ମାଣ ଓ ୧୩୬୭ ରେଳ ପୋଲର ରକ୍ଷଣାବେକ୍ଷଣ

ନୂଆ ଦିଲ୍ଲୀ ୯-୬ (ଓଡ଼ିଆ ପୁଅ) ଗତ ବର୍ଷ ଏପ୍ରିଲଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ମଧ୍ୟରେ ଭାରତୀୟ ରେଳ ସର୍ବାଧିକ ନିରପତ୍ତା ରେକର୍ଡ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ (୦୧.୦୪.୨୦୧୯ ରୁ ୦୮.୦୬.୨୦୨୦) ଟ୍ରେନ ଦୁର୍ଘଟଣା ଯୋଗୁଁ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇନାହିଁ। ୧୮୫୩ରେ ରେଳବାଇର ଆରମ୍ଭ ଅର୍ଥାତ ଦୀର୍ଘ ୧୬୬ ବର୍ଷର ରେଳ ଇତିହାସରେ ପ୍ରଥମଥର ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ଏକ ଉଲ୍ଲେଖନୀୟ ଘଟନା ଘଟିଛି। ନିରପତ୍ତା ରକ୍ଷା ଦିଗରେ ରେଳବାଇର କ୍ରମାଗତ ପ୍ରଚେଷ୍ଟା ଯୋଗୁଁ ଗତ ୧୫ ମାସ ମଧ୍ୟରେ କୌଣସି ଯାତ୍ରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇନାହିଁ। ଯାତ୍ରୀ ସୁରକ୍ଷା ପ୍ରତି ଭାରତୀୟ ରେଳ ସର୍ବୋଚ୍ଚ ପ୍ରଥମିକତା ଦେଉଥିବାବେଳେ ମାନବ ପରିଚାଳିତ ଲେବଲ କ୍ରସିଂ ଉଚ୍ଛେଦ, ଅଧିକ ରେଳ ଓଭରବ୍ରିଜ ନିର୍ମାଣ, ରେଳ ପୋଲଗୁଡିକର ରକ୍ଷଣାବେକ୍ଷଣ ଓ ରେଳ ଟ୍ରାକଗୁଡିକର ନବୀକରଣ ଯୋଗୁଁ ରେଳ ସୁରକ୍ଷା ବ୍ୟବସ୍ଥାରେ ଏହି ଉନ୍ନତି ଆସିଛି। ଏହାଛଡା ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ) ଠାରୁ ରେଳ ଧାରଣା ଆଣିବା, ଟ୍ରାକଗୁଡ଼ିକର ରକ୍ଷଣାବେକ୍ଷଣ, କର୍ମଚାରୀଙ୍କୁ ଉପଯୁକ୍ତ ତାଲିମ, ସଂକେତ ବ୍ୟବସ୍ଥାର ଉନ୍ନତି ଓ ରେଳ ସୁରକ୍ଷାରେ ଅତ୍ୟାଧୁନିକ ବୈଷୟିକ ବ୍ୟବସ୍ଥାର ଉପଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଯାତ୍ରୀ ସୁରକ୍ଷା ବୃଦ୍ଧି ପାଇଁ ଭାରତୀୟ ରେଳ ପକ୍ଷରୁ ନିମ୍ନୋକ୍ତ ପଦକ୍ଷେପମାନ ନିଆଯାଇଛି –

୧) ୨୦୧୯-୨୦ରେ ମାନବ ପରିଚାଳିତ ୧୨୭୪ଟି ଲେବଲ କ୍ରସିଂକୁ ଉଚ୍ଛେଦ କରାଯାଇଛି। ଗତ ବର୍ଷ ଏହି ସଂଖ୍ୟା ୬୩୧ ଥିଲା।

୨) ୨୦୧୯-୨୦ରେ ୧୩୦୯ଟି ରେଳ ଓଭରବ୍ରିଜ ନିର୍ମାଣ ଯୋଗୁଁ ରେଳ ସୁରକ୍ଷା ବୃଦ୍ଧି ପାଇଛି।

୩) ୨୦୧୯-୨୦ରେ ୧୩୬୭ଟି ରେଳ ପୋଲର ସଂପୂର୍ଣ୍ଣ ରକ୍ଷାଣାବେକ୍ଷଣ କରାଯାଇଛି, ଯାହାକି ଗତ ଆର୍ଥିକ ବର୍ଷରେ ୧୦୧୩ ଥିଲା।

୪) ୨୦୧୯-୨୦ରେ ୫୧୮୧ କିଲୋମିଟର ରେଳ ଟ୍ରାକର ନବୀକରଣ କରାଯାଇଥିବା ବେଳେ ୨୦୧୮-୧୯ରେ ଏହା ୪୨୬୫ କିଲୋମିଟର ଥିଲା।

୫) ପ୍ରାୟ ୧୩.୮ ଲକ୍ଷ ଟନ ରେଳ ଧାରଣା ସେଲ ଠାରୁ ଅଣାଯାଇ ରେଳ ଧାରଣାଗୁଡିକୁ ଅଧିକ ସୁଦୃଢ କରାଯାଇଛି।

୬) ୨୦୧୯-୨୦ରେ ୨୮୫ଟି ଲେବଲ କ୍ରସିଂକୁ ସିଗନାଲ ଦ୍ଵାରା ଇଣ୍ଟର ଲକିଙ୍ଗ କରାଯାଇଛି।

୭) ୨୦୧୯-୨୦ରେ ୮୪ଟି ଷ୍ଟେସନରେ ମେକାନିକାଲ ସଂକେତ ବ୍ୟବସ୍ଥା ସ୍ଥାନରେ ଇଲେକ୍ଟ୍ରୋନିକ ସଂକେତ ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଛି।

୨୦୧୭-୧୮ ଆର୍ଥିକ ବର୍ଷରେ ରାଷ୍ଟ୍ରୀୟ ରେଳ ସଂରକ୍ଷଣ କୋଷ ସୃଷ୍ଟି ହେବାଠାରୁ ଏହା ସମ୍ଭବ ହୋଇପାରିଛି। ଏବାବଦକୁ ଆସନ୍ତା ୫ ବର୍ଷ ଭିତରେ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଯାହାଯୋଗୁଁ ବାର୍ଷିକ ଆୟରେ ୨୦ ହଜାର କୋଟି ଟଙ୍କା ବୃଦ୍ଧି ପାଇବ। ଏହି ଅର୍ଥ ଯୋଗୁଁ ଅତ୍ୟାବଶ୍ୟକ ନିରାପତ୍ତା ଜନିତ ପଦକ୍ଷେପ ନିଆଯିବାରୁ ଏପରି ସଫଳତା ମିଳିପାରିଛି।