Odiapua.com

ଖ୍ୟାତନାମା ଅଭିନେତା ଏବଂ ପୂର୍ବତନ ସାଂସଦ ତାପସ ପାଲଙ୍କର ପରଲୋକ

କୋଲକାତା ୧୮-୨ (ଓଡ଼ିଆ ପୁଅ) ବଂଗାଲୀ ସିନେମାର ଖ୍ୟାତନାମା ଅଭିନେତା ଏବଂ ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ପାଲଙ୍କର ମଙ୍ଗଳବାର ସକାଳେ ହୃଦଘାତରେ ନିଧନ ହୋଇଯାଇଛି। ସେ ୬୧ ବର୍ଷର ଥିଲେ। ପାରିବାରିକ ସୂତ୍ରରୁ ଜଣାପଡ଼ିଛିଯେ ପାଲ ନିଜର ଝିଅଙ୍କୁ ମିଶିବା ପାଇଁ ମୁମ୍ବାଇ ଯାଇଥିଲେ। କୋଲକାତା ଫେରିବା ସମୟରେ ମୁମ୍ବାଇ ବିମାନ ବନ୍ଦରରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଜୁହୁର ଏକ ହସ୍ପିଟାଲ ନିଆଯାଇଥିଲା, ସେଠାରେ ସକାଳେ ପ୍ରାୟତଃ ଚାରିଟା ବେଳେ ତାଙ୍କର ନିଧନ ହୋଇଯାଇଛି। ସେ ହୃଦୟ ସମ୍ବନ୍ଧୀତ ରୋଗରେ ଗତ ଦୁଇ ବର୍ଷ ହେବ କ୍ରମାଗତଭାବେ ଚିକିତ୍ସିତ ହେଉଥିଲେ।

ପାଲ କୃଷ୍ଣାନଗରରୁ ଦୁଇ ଥର ସାଂସଦ ଏବଂ ଆଲିପୁରରୁ ବିଧାୟକ ରହିସାରିଛନ୍ତି। ତାଙ୍କର ପରିବାରରେ ପତ୍ନୀ ଏବଂ ଗୋଟିଏ ଝିଅ ଅଛନ୍ତି। ସିବିଆଇ ୨୦୧୬ ରେ ରୋଜ ଭ୍ୟାଲି ଚିଟଫଣ୍ଡ ମାମଲାରେ ତାଙ୍କୁ ଗିରଫ କରିଥିଲା ଏବଂ ପ୍ରାୟତଃ ୧୩ ମାସ ପରେ ତାଙ୍କୁ ଜାମିନ ମିଳିଥିଲା। ତା’ ପରେ ସେ ଫିଲ୍ମରୁ ଦୂରତା ରଖିଥିଲେ।

ସେ ‘ସାହେବ (୧୯୮୧), ‘ପରବତ ପ୍ରିୟା (୧୯୮୪), ‘ଭାଲୋବାଶା ଭାଲୋବାଶା (୧୯୮୫), ‘ଅନୁରାଗର ଚୋୟନ (୧୯୮୬) ଏବଂ ‘ଅମର ବନ୍ଧନ (୧୯୮୬) ପରି ଅନେକ ହିଟ ଫିଲ୍ମ ଦେଇଛନ୍ତି। ଫିଲ୍ମ ‘ସାହେବ (୧୯୮୧) ପାଇଁ ତାଙ୍କୁ ‘ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା।