Odiapua.com

ବଙ୍ଗାଲ୍ ହିଂସା: ମମତା ସରକାର ଉପରେ ବର୍ଷିଲେ, ଜବାବ ତଲବ କଲେ କୋଲକାତା ହାଇକୋର୍ଟ

କୋଲକତା: ନିର୍ବାଚନ ପରେ ଦେଖା ଦେଇଥିବା ହିଂସାକୁ ନେଇ ଟିଏମସି ସରକାର ଉପରେ ବର୍ଷିଛନ୍ତି କୋଲକାତା ହାଇକୋର୍ଟ। ଏହା ସହ ରାଜ୍ୟରେ ଏବେ ଆଇନ୍ ଶୃଙ୍ଖଳା ପରିସ୍ଥିତି କିଭଳି ରହିଛି ନେଇ ତିନି ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ। ରିପୋର୍ଟ ଦାଖଲ କରିବା ବେଳେ କେଉଁ କେଉଁ ସ୍ଥାନରେ ହିଂସା ହୋଇଛି, ସେଠାକାର ସ୍ଥିତି କ’ଣ ରହିଛି ଏବଂ ହିଂସାକୁ ପ୍ରଶମିତ କରିବା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ଆଦି ସମସ୍ତ ବିଷୟରେ ବିସ୍ତୃତ ଭାବରେ ରିପୋର୍ଟରେ ଉଲ୍ଲେଖ କରିବାକୁ ହାଇକୋର୍ଟ କହିଛନ୍ତି। ହାଇକୋର୍ଟର ୫ ଜଣିଆ ଖଣ୍ଡପୀଠ ମାମଲାକୁ ଗୁରୁତର ସହ ନେଇ ରାଜ୍ୟ ଗୃହ ସଚିବଙ୍କୁ ତିନି ଦିନ ମଧ୍ୟରେ ହିଂସା ବାବଦରେ ବିସ୍ତୁତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ମେ ୧୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ମାନ୍ୟବର କୋର୍ଟ କହିଛନ୍ତି। ତେବେ, ମମତା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ହିଂସାକୁ ପ୍ରଶମିତ କରିବା ତାଙ୍କର ପ୍ରଥମ କାମ ବୋଲି କହିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ ମମତା ବାନାର୍ଜୀ। ସରକାରଙ୍କ ରିପୋର୍ଟ ଅନୁଯାୟୀ ମୋଟ୍ ୧୬ ଜଣ ହିଂସାର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି। ଯେଉଁଥିରେ ବିଜେପିର ୯ ଜଣ, ୬ ଜଣ ଟିଏମସିର ଏବଂ ଜଣେ ବାପପନ୍ଥୀ ସମର୍ଥକ ରହିଛନ୍ତି। ତେବେ, ନିର୍ବାଚନ ଫଳ ଘୋଷଣା ପରେ ୧୨ ଜଣ ବିଜେପି ନେତା ହତ୍ୟାର ଶିକାର ହୋଇଥିବା ବିଜେପି ଅଭିଯୋଗ କରିଛି। ଏମିତିକି ଟିଏମସି କର୍ମୀ ବିଜେପି ସମର୍ଥକଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହିତ ମହିଳାଙ୍କୁ ଅସଦାଚରଣ ଓ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିବା ବିଜେପି ଅଭିଯୋଗ କରିଛି। ଏହାକୁ ନେଇ ବିଜେପି କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
-@Dr