Odiapua.com

ବଉଳ ଅମାବାସ୍ୟା

   -ଦେବଦତ୍ତ ରଥ
ଜି ବଉଳ ଅମାବାସ୍ୟା।ପୌଷମାସ ଅମାବାସ୍ୟା ଦିନଟି ବଉଳ ଅମାବାସ୍ୟା(ବକୁଳ ଲାଗି) ଭାବେ ପାରମ୍ପରିକ ରୀତିରେ ଓଡ଼ିଶାର ଘରେ ଘରେ ପାଳିତ ହୋଇଥାଏ।ସାଧାରଣତଃ ଏହି ସମୟରେ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା ଫଳକଷି ଧରିଥାଏ।ଲୋକମାନଙ୍କ ମନରେ ବିଶ୍ୱାସ ଯେ ବଉଳ ଅମାବାସ୍ୟା ଦିନ ବିଧି ଅନୁସାରେ ଗଛମାନଙ୍କର ପୂଜା କଲେ, ଗଛରେ ଭଲ ଫଳ ହୋଇଥାଏ।

ପାଳନ ବିଧି –
ବଉଳ ଅମାବାସ୍ୟା ପାଳନର ବିଧିବିଧାନ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଦେଖାଯାଏ।ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ସକାଳ ଧୂପରେ ଗଇଁଠା ପିଠା ସହ ବଉଳ ଲାଗିହୁଏ।ଓଡ଼ିଆ ଘରଣୀମାନେ ପବିତ୍ରତାର ସହିତ ଉତ୍ସବଟିକୁ ପାରମ୍ପରିକ ରୀତିରେ ପାଳନ କରନ୍ତି।ଘରେ ଗଇଁଠା ପିଠା ତିଆରି କରାଯାଏ।ବାଡ଼ିରେ ଥିବା ଆମ୍ବ, ପଣସ, ନଡ଼ିଆ, ଗୁଆ, ପିଜୁଳି ଆଦି ଗଛ ମୂଳରୁ ଘାସ,ଅନାବନା ଗଛ ଓ ଲତା ପରିଷ୍କାର କରାଯାଏ।ଗୋବର ପାଣିରେ ଗଛମୂଳକୁ ଲିପାଯାଇଥାଏ।ତା’ପରେ ସେହି ଗଛ ତଳେ ଚିତା ମଧ୍ୟ ପକାଯାଏ।ସନ୍ଧ୍ୟା ହେଲେ ଗଛଗୁଡ଼ିକୁ ହଳଦୀ ପାଣିରେ ଗାଧୋଇ ଦେଇ ସିନ୍ଦୂର,ଧୂପଦୀପ ଓ ଗଇଁଠା ପିଠାରେ ପୂଜା କରାଯାଇଥାଏ।କେତେକ ଅଞ୍ଚଳରେ ପୂଜା ପାଇଁ ପ୍ରସ୍ତୁତ ଗଇଁଠା ପିଠାକୁ ବଉଳଗୁଡ଼ ମଧ୍ୟ କୁହାଯାଏ।ଆମ୍ବ ବଉଳ ସଂଗ୍ରହ କରି ପିଠା ସହିତ ରଖାଯାଏ।ବଉଳ ଧରିଥିବା ଆମ୍ବଗଛ ମୂଳେ ଗଇଁଠା ପିଠା ଭୋଗ କରାଯାଏ ।ଏହି ଭୋଗ ଓ ଆମ୍ବ ବଉଳ ପାଖ ପଡ଼ିଶା ବନ୍ଧୁ କୁଟୁମ୍ବଙ୍କୁ ବାଣ୍ଟି ପର୍ବଟିକୁ ପାଳନ କରାଯାଏ।କେତେକ ସ୍ଥାନରେ ଘରର ଈଷାଣ କୋଣରେ ଓ ରୋଷେଇ ଘରେ ପୂଜା କରି ଭୋଗ ବଣ୍ଟାଯାଏ।ଆଉ କେଉଁ କେଉଁ ସ୍ଥାନରେ ମଧ୍ୟ ଘରେ କ୍ଷୀରପିଠା କରି ନୂଆ ବଉଳ ଆଣି ନିଜ ପରିବାରର ଇଷ୍ଟ ଦେବୀଙ୍କୁ ପୂଜା କରାଯାଏ।ସାଧାରଣତଃ ଗୋଷ୍ଠିଗତ ଭାବେ ରହୁଥିବା କୁଟୁମ୍ବରେ ବୟୋଜ୍ୟେଷ୍ଠ ପୁରୁଖା ବ୍ୟକ୍ତିଙ୍କ ଘରେ ଏହି ପୂଜା ହୋଇଥାଏ ଏବଂ ସମସ୍ତେ ଭୋଜିରେ ଏକାଠି ହୋଇ ପ୍ରଥମେ ବଉଳ ମିଶ୍ରିତ ଭୋଗ ସେବନ କରିଥାନ୍ତି ଓ ପରେ ବିଭିନ୍ନ ସୁମିଷ୍ଠ ଭୋଜନରେ ଆପ୍ୟାୟିତ ହୋଇଥାଆନ୍ତି।/ଦେବଦତ୍ତ