Odiapua.com

ବାଲିଗୁଡା:ବାଇକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ, ୨ ମୃତ

ବାଲିଗୁଡା, ୧୬/୩.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ୫୯ନଂ. ଜାତୀୟ ରାଜପଥର ମୁଣ୍ଡିଗଡଠାରେ ଅପରାହ୍ନ ରେ ଏକ ବାଇକ୍‌କୁ ପଛପଟୁ ଆମ୍ବୁଲାନ୍ସ ଧକ୍କା ଦେବାରୁ ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମୁଣ୍ଡିଗଡ ପଞ୍ଚାୟତର ସନ୍ଦିପଦର ଗ୍ରାମର ପ୍ରଭାତ ବଡସେଠ୍‌ ଓ ବାଟିକିଲୁ ଗ୍ରାମର ନିଳିମା ମାଝି। ନିଳିମାଙ୍କ ଦେଢ଼ ବର୍ଷର ଶିଶୁ ଓ ଅନ୍ୟ ଜଣେ ମହିଳା ରିବିକା ମାଝି ଗୁରୁତର ହୋଇଛନ୍ତି। ଦୁର୍ଘଟଣା ଘଟାଇ ପଳାଉଥିବା ଘରୋଇ ଆମ୍ବୁଲାନ୍ସକୁ ଲୋକେ ଅଟକାଇ ତୁମୁଡ଼ିବନ୍ଧ ଥାନା ଜିମା ଦେଇଥିଲେ। କିଛି ସମୟ ଅଟକ ରଖିବା ପରେ ଚାଳକଙ୍କୁ ଆମ୍ବୁଲାନ୍ସ ସହ ପୋଲିସ ଛାଡ଼ି ଦେଇଥିବାରୁ ମୁଣ୍ଡିଗଡ଼, ସନ୍ଦିପଦର ଓ ବାଟିକିଲୁ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ରାସ୍ତା ଅବରୋଧ କରିଥିଲେ। ମୃତକଙ୍କ ପରିବାରକୁ ସହାୟତା, ଆମ୍ବୁଲାନ୍ସ ଚାଳକଙ୍କୁ ଗିରଫ ଆଦି ପୂରଣ ନ ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବେ ବୋଲି ଜିଦ୍‌ ଧରିଥିଲେ। ରାତି ପ୍ରାୟ ୧୦ଟାରେ ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ, ତୁମୁଡ଼ିବନ୍ଧ ବିଡିଓ ଅଗସ୍ତି ପ୍ରଧାନ, ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର ଓ ଏମ୍‌ପି ପ୍ରତିନିଧି ପ୍ରମୋଦ କୁମାର ସାହୁ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିଥିଲେ। ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ପ୍ରତିଶୁତି ମିଳିବା ପରେ ରାସ୍ତାରୋକା ହଟିଛି। ପ୍ରକାଶ ଯେ, ପ୍ରଭାତ କୌଣସି କାମରେ ମୁଣ୍ଡିଗଡ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ଏହି ସମୟରେ ବାଟିକିଲୁର ଶିଶୁପୁତ୍ର ସହ ନିଳିମା ଓ ରିବିକା ସେଠାରୁ ଭତ୍ତା ଟଙ୍କା ଧରି ଗାଁକୁ ଆସିବାକୁ ବାହାରି ଥିଲେ। ପ୍ରଭାତ ସେମାନଙ୍କୁ ନିଜ ବାଇକରେ ବସାଇ ବାଟିକିଲୁ ଗ୍ରାମକୁ ଆସୁଥିବା ବେଳେ ମୁଣ୍ଡିଗଡ଼ଠାରେ ତୁମୁଡ଼ିବନ୍ଧ ଅଭିମୁଖେ ଆସୁଥିବା ଏକ ଘରୋଇ ଆମ୍ବୁଲାନ୍ସ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ପ୍ରଭାତଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଆହତ ଶିଶୁଙ୍କ ସମେତ ଝିଲିମା ଓ ରିବିକାଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପ୍ରାଥମିକ ଚିିକିତ୍ସା ପରେ ସମସ୍ତଙ୍କୁ ବାଲିଗୁଡା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇ ଥିଲା। ସେଠାରେ ଝିଲିମାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।