ବାଜି ରାଉତ ଭାରତ ଇତିହାସର ସର୍ବ କନିଷ୍ଠ ସହିଦ ସ୍ୱାଧୀନତା ସଂଗ୍ରାମୀ।୧୯୩୮ ମସିହା ଅକ୍ଟୋବର ୧୧ ଆଜିର ଦିନରେ ସେ ଦେଶ ମାତୃକା ପାଇଁ ବଳିଦାନ ଦେଇଥିଲେ। ୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦିନ ବାଜି ରାଉତ ଢେଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଗ୍ରାମରେ ଏକ ଗରିବ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ବାଜି ରାଉତ ପିଲା ବେଳୁ ବାପାଙ୍କୁ ହରାଇ ମା’ଙ୍କ ଦ୍ୱାରା ପାଳିତ ହେଇଥିଲେ। ପରିବାରରେ ଚାଷବାଷ ସକାଶେ ଜମି ନଥିଲା। ମା’ ଅନ୍ୟ ଘରେ ପାଇଟିକରି ତାଙ୍କୁ ପାଳୁଥିଲେ। କିଶୋର ବୟସ ଯାହା କି ଖେଳକୁଦରେ ମାତିବାର ସମୟ, ସେହି ସମୟରେ ସେତେବେଳର ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓ ଗରିବମାନଙ୍କ ଉପରେ ଅତ୍ୟାଚାର କରୁଥିବାର ବାଜି ରାଉତ ଅନୁଭବ କରିଥିଲେ। ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ ଯେତେବେଳେ ରାଜାଙ୍କ ବିରୋଧରେ ପ୍ରଜାମଣ୍ଡଳ ଆରମ୍ଭ କଲେ ସେତେବେଳେ ବାଜି ସେହି କୋମଳ ବୟସରେ ସେଥିରେ ଯୋଗ ଦେଇଥିଲେ। ଇଂରେଜ ଶାସନ କାଳରେ ଭାରତବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରିତରେ ଜର୍ଜରିତ ହେଉଥିଲେ। ସେତେବେଳେ ଇଂରେଜ ସରକାର ତାଙ୍କର ଶାସନ ପ୍ରଣାଳୀକୁ ସରଳ କରିବା ଉଦ୍ଦେଶ୍ୟରେ ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ। ମୋଗଲବନ୍ଦୀ ଅଞ୍ଚଳ ଗୁଡ଼ିକରେ ଜମିଦାରମାନେ ଏବଂ ଗଡ଼ଜାତ ଅଞ୍ଚଳ ମାନଙ୍କରେ ରାଜାମାନେ ଶାସନ ନାମରେ ପ୍ରଜା ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ। ଏମାନଙ୍କ ମଧ୍ୟରୁ ଗଡ଼ଜାତ ଅଞ୍ଚଳର ପ୍ରଜାମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିଲା। ଗଡ଼ଜାତ ରାଜ୍ୟର ରାଜା ମାନଙ୍କର ଯାବତିୟ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ବେଠି, ବେଘାରି, ଯୋରଜବରଦସ୍ତ ଟିକସ ଅସୁଲ, ମନମୁଖି ଶାସନ, ମିଥ୍ୟା ମୋକଦ୍ଦମା ପ୍ରଭୃତିରେ ଜର୍ଜରିତ ହେଉଥିଲେ ଗଡ଼ଜାତବାସୀ। ସମୟେ ସମୟେ ଗଡ଼ଜାତ ଅଞ୍ଚଳରେ ଏହି ଶୋଷଣ କଷଣର ଫଳ ସ୍ୱରୁପ ପୁଞ୍ଜୀଭୁତ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇ ବିସ୍ପୋରଣର ରୁପ ଧାରଣ କରୁଥିଲା। କିନ୍ତୁ ଇଂରେଜ ସରକାର ତାହାକୁ କଳେବଳେ କୌଶଳେ ଦମନ କରୁଥିଲେ।
ଇଂରେଜ ସିପାହୀଙ୍କ ଗୁଳିରେ ସହିଦ ହୋଇଗଲେ ବାଜି ରାଉତଙ୍କ ସମେତ ୭ ସଂଗ୍ରାମୀ –
-@DevDrath