Odiapua.com

ବାହୁବଳୀ ନୁହେଁ, ମୁଁ ବିପ୍ଳବୀ: ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ବାହୁବଳୀ ନୁହେଁ ମୁଁ ବିପ୍ଳବୀ, ମୁଁ କ୍ରାନ୍ତିକାରୀ ବୋଲି କହିଛନ୍ତି ବାହୁବଳୀ ବିଧାୟକ ନାମରେ ପରିଚୟ ସୃଷ୍ଟି କରିଥିବା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଓରଫ ଗଣେଶ ଜଗଦ୍ଦେବ। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏପରି କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଇଂରେଜ ଶାସନ ବିରୋଧରେ ଲଢ଼ୁଥିବା ସ୍ୱାଧୀନତା ସଂଗ୍ରାମୀ, କ୍ରାନ୍ତିକାରୀ ସହିତ ନିଜକୁ ତୁଳନା କରିଛନ୍ତି ଗଣେଶ ଜଗଦ୍ଦେବ। ଗଣେଶ କହିଥିଲେ, ଲୋକଙ୍କ ପାଇଁ ଲଢ଼େଇ କରି ନିଜ ଜୀବନକୁ ବାଜି ଲଗାଇ ଯିଏ ଜୀବନ ଦେଇ ଦେଇଥିଲା ସିଏ ହେଲା ବାହୁବଳୀ। ଆଜି ସେହି ବାହୁବଳୀ ଶବ୍ଦ ଆପଣଙ୍କ ପୁଅ ପଛରେ ଲାଗି ଯାଇଛି ଯେ, ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଇଂରେଜ ମାନେ ଯେତେବେଳେ ଆମ ଦେଶକୁ ଶାସନ କରୁଥିଲେ ସେତେବେଳେ ଇଂରେଜ ଶାସନ ବିରୋଧରେ ଦେଶବାସୀ ଲଢ଼ୁଥିଲେ। ଆଉ ଯେଉଁମାନେ ସବୁ ଏହାର ନେତୃତ୍ୱ ନେଉଥିଲେ ସେମାନଙ୍କୁ ସବୁ ଇଂରେଜ ମାନେ କହୁଥିଲେ ଅପରାଧୀ। ଇଂରେଜ ମାନଙ୍କ ଭାଷାରେ ସେମାନେ ଥିଲେ ଅପରାଧୀ କିନ୍ତୁ ଲୋକଙ୍କ ପାଇଁ ସେମାନେ ଥିଲେ ବିପ୍ଳବୀ। କାରଣ ସେମାନେ ମା’ ମାଟି ପାଇଁ ବିପ୍ଳବ କରୁଥିଲେ। ମାଟି, ମା’ର ରକ୍ଷା ପାଇଁ ସଂଗ୍ରାମ କରୁଥିଲେ। ତେଣୁ ସେମାନଙ୍କୁ ସ୍ୱାଧୀନତା ସଂଗ୍ରାମୀର ଆଖ୍ୟା ଦିଆଯାଇଥିଲା। ସେମାନଙ୍କୁ କ୍ରାନ୍ତିକାରୀ କୁହାଯାଉଥିଲା। ସେ ବାଜି ରାଉତ ହୁଅନ୍ତୁ ଅବା ବକ୍ସି ଜଗବନ୍ଧୁ ହୁଅନ୍ତୁ। ଆଜି ଠିକ୍ ସେହିଭଳି ଏହି ବ୍ୟବସ୍ଥାକୁ ସଜାଡ଼ିବା ପାଇଁ, ଲୋକଙ୍କ ପାଖରେ ବ୍ୟବସ୍ଥା ପହଞ୍ଚାଇବା ପାଇଁ ଏବଂ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଯେଉଁ ଲଢ଼େଇ ହେଉଛି ସେ ଲଢ଼େଇର ଅନ୍ୟନାମ ହୋଇଛି ବାହୁବଳୀ। ଯାହାକୁ କିଛି ଲୋକ କହୁଛନ୍ତି ଅପରାଧୀ। ତାଙ୍କ ଭାଷାରେ ଅପରାଧୀ ହୋଇପାରେ, ଲୋକଙ୍କ ପାଇଁ ଲଢ଼େଇ, ଲୋକଙ୍କ ପାଇଁ ବିପ୍ଳବୀ ଆଉ ଲୋକଙ୍କ ପାଇଁ ମୁଁ ହେଉଛି ବାହୁବଳୀ। ଯଦି ଲୋକଙ୍କ ଲଢ଼େଇ ସ୍ୱାର୍ଥ ପାଇଁ ମତେ ବାହୁବଳୀ କୁହାଯାଏ ତାକୁ ମୁଁ ସାଦରେ ଗ୍ରହଣ କରୁଛି ଏବଂ ମୋର ଆନ୍ତରିକତା ରହିଛି, ମତେ ଶକ୍ତି ମିଳୁଛି ଯେ ଠିକ୍ ଅଛି ଆଜି ଓଡ଼ିଶାରେ ମତେ ସମସ୍ତେ ବାହୁବଳୀ ବିଧାୟକ ଭାବରେ ଜାଣନ୍ତୁ ଏବଂ ମୋ ଅଞ୍ଚଳର ମୋ ଲୋକଙ୍କର ବିକାଶ କରନ୍ତୁ। ଯାହା ମୁଁ ଚାହେଁ ତାହା ମୁଁ କରେ ଆଉ ଯେଉଁଦିନ ଚାହେଁ ସେହି ଦିନ ହିଁ କରେ। ଏହା ମୋର କାମ କରିବାର ତରିକା ଆଉ ଏହା ମୋର ଲକ୍ଷ।

ସୂଚନାଯୋଗ୍ୟ ଯେ, ପ୍ରଶାନ୍ତ ଜଗଦ୍ଦେବଙ୍କ ନାମରେ ଅଭିଯୋଗର ଲମ୍ବା ଫର୍ଦ୍ଦ ରହିଛି। ଗତ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଫିସ୍‌ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ସାଧାରଣ ଜନତାଙ୍କ ସମେତ ପୁଲିସ୍‌ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ପ୍ରଶାନ୍ତଙ୍କୁ ତାଙ୍କ ଗାଡ଼ିରୁ ଟାଣି ଆଣି ପ୍ରବଳ ମାଡ଼ ମାରି ଲହୁଲୁହାଣ କରିଦେଇ ଥିଲେ। ତେବେ, ଏସବୁ ବିରୋଧୀଙ୍କ ଷଡ଼ଯନ୍ତ୍ର ବୋଲି କହିଥିଲେ ପ୍ରଶାନ୍ତ ଜଗଦ୍ଦେବ। କିନ୍ତୁ, ଏହାପରେ ଗିରଫ୍ ହୋଇ ଜେଲ୍ ଯାଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ଜେଲ୍ ଯାଇ ଏବେ ବେଲରେ ଅଛନ୍ତି ଗଣେଶ। ସର୍ତ୍ତ ମୂଳକ ଜାମିନ୍ ମୁତାବକ ବର୍ଷେ ପର୍ଯ୍ୟନ୍ତ ପ୍ରଶାନ୍ତ ଜଗଦ୍ଦେବ ଚିଲିକା ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ। ଜିଲ୍ଲାପାଳଙ୍କ ଅନୁମତି କ୍ରମେ ନିର୍ବାଚନ ମଣ୍ଡଳୀରେ ପ୍ରବେଶ କରି ପାରିବେ କିନ୍ତୁ, ସାଙ୍ଗରେ ପାଞ୍ଚ ଜଣରୁ ଅଧିକ ଲୋକଙ୍କୁ ସାଙ୍ଗରେ ନେଇ ଯାଇ ପାରିବେ ନାହିଁ। ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବ ଦଳରୁ ନିଲମ୍ବିତ ମଧ୍ୟ ହୋଇଥିଲେ।
-/DevDrath