ଏପରି ଏକ କାହାଣୀ ଥିଲା। ଥରେ କିଛି ଲୋକ ଏକ ଡଙ୍ଗାରେ ନଦୀ ପାର ହେଉଥିଲେ। ତେବେ, ହଠାତ ଝଡ଼ ତୋଫାନ ଆସିଗଲା। ନାଆ ଟଳମଳ ହେଲା। ନଦୀକୁ ଡେଇଁ ପହଁରି ପହଁରି ଯିଏ ଯାହା ଜୀବନ ବଞ୍ଚେଇ କୂଳକୁ ଚାଲି ଆସିଲେ। କିନ୍ତୁ, ତିନି ଜଣ ଲୋକ ପହଁରା ଜାଣି ନଥିବାରୁ ଡଙ୍ଗାରେ ରହିଗଲେ। ତିନି ଜଣଙ୍କ ମଧ୍ୟରୁ ଜଣେ ହିନ୍ଦୁ, ଜଣେ ମୁସଲମାନ ଏବଂ ଜଣେ ଖ୍ରୀଷ୍ଟିଆନ ସଂପ୍ରଦାୟର ଥିଲେ। ଖ୍ରୀଷ୍ଟିୟାନ ବ୍ୟକ୍ତି ଜଣଙ୍କ ତାଙ୍କ ଈଶ୍ୱର ଯୀଶୁଙ୍କୁ ସ୍ମରଣ କଲେ। ଯୀଶୁ ଉଭା ହୋଇ ତାଙ୍କୁ ଉଦ୍ଧାର କରିନେଲେ। ସେହିପରି ମୁସଲିମ ବ୍ୟକ୍ତି ଜଣଙ୍କ ଆଲ୍ଲାଙ୍କୁ ସ୍ମରଣ କଲେ। ଆଲ୍ଲା ମଧ୍ୟ ତାଙ୍କୁ ଉଦ୍ଧାର କରିନେଲେ। ବାକି ରହିଗଲେ ହିନ୍ଦୁ ବ୍ୟକ୍ତି ଜଣଙ୍କ। ସେ ଭାବିଲେ ମୋର ଚିନ୍ତା କରିବାର ନାହିଁ। ଯଦି ମୁସଲିମ ଏବଂ ଖ୍ରୀଷ୍ଟିୟାନ ବ୍ୟକ୍ତି ଜଣଙ୍କର ଜଣେ ଜଣେ ଈଶ୍ୱର ଥାଇ ତାଙ୍କୁ ଉଦ୍ଧାର କଲେ, ତେବେ ମୋର ତ’ ତେତିଶ କୋଟି (ଅନେକ) ଦେବାଦେବୀ। ଯିଏ ହେଲେ ତ’ ଉଦ୍ଧାର କରିବେ। ଏହାପରେ ସେ ମା’ ଦୁର୍ଗାଙ୍କୁ ସ୍ମରଣ କଲେ। ଦୁର୍ଗା ଆସିଲେ ନାହିଁ। ଗୋଟେ ପରେ ଗୋଟେ ଦେବଦେବୀଙ୍କୁ ଡାକି ଚାଲିଲେ। କେହି ଆସିଲେ ନାହିଁ। ସେଠୁ ବ୍ୟକ୍ତି ଜଣଙ୍କ କହିଲେ, ସେମାନଙ୍କର ଜଣେ ଜଣେ ଈଶ୍ୱର ଥାଇ ତାଙ୍କୁ ଯଦି ଉଦ୍ଧାର କରି ପାରିଲେ, ମୋର ତ’ ତେତିଶ କୋଟି ଦେବାଦେବୀ, କେହି ଶୁଣିଲେ ନାହିଁ! ଏପରି ହେଲେ ମୋ ଧର୍ମର ଦେବଦେବୀଙ୍କ ଉପରୁ ଆସ୍ଥା ଯେ ତୁଟିଯିବ। ଠିକ୍ ସେହି ସମୟରେ ମା” ଦୁର୍ଗା ଆବିର୍ଭାବ ହେଲେ। ବ୍ୟକ୍ତି ଜଣଙ୍କ ପାଣିରେ ବୁଡ଼ି ବୁଡ଼ି ଯାଉଥାଆନ୍ତି, ଏଣେ ମା” ଦୁର୍ଗା ହସୁଥାଆନ୍ତି। ବ୍ୟକ୍ତି ଜଣକ କହିଲେ ମା’ର ଏ କି ରୂପ? ଭକ୍ତର ଜୀବନ ଯାଉଛି ଆଉ ମା” ହସୁଛି? ମା” ଦୁର୍ଗା କହିଲେ ତୁ କି ପ୍ରକାରର ଭକ୍ତ? ଦଶହରା ପରେ ଭଷାଣି ବେଳେ ଯେତେବେଳେ ମତେ ବିଦାୟ, ବିସର୍ଜନ ପାଇଁ ନିଆଯାଏ, ସେତେବେଳେ ତୁ ମଦ୍ୟପାନ କରି ଆଧୁନିକ, ଅଶ୍ଳୀଳ ଗୀତରେ ଉଦଣ୍ଡ ନାଚ କରି ମୋ ପ୍ରତି କେଉଁ ପ୍ରକାର ଭକ୍ତି ପ୍ରକଟ କରୁଥିଲୁ? ମୋର ବିଦାୟ ବେଳେ ତୁ ଯେପରି ଆଚରଣ ପ୍ରକଟ କରୁଥିଲୁ, ଆଜି ତୋ ବିଦାୟରେ ମୁଁ ଠିକ୍ ସେହିପରି ଆଚରଣ ପ୍ରକଟ କରୁଛି।
-@DevDrath