Odiapua.com

ଭାରତୀୟ ସୀମାରେ ଚାଇନାର ପ୍ରବେଶ? ବିଜେପି ସାଂସଦଙ୍କ ଦାବି, ସେନାର ଖଣ୍ଡନ

ନୂଆଦିଲ୍ଲୀ: ଭାରତୀୟ ସୀମା ଭିତରେ ପ୍ରବେଶ କରିଛି କି ଚୀନ?ଏହିପରି ଦାବି କରିଛନ୍ତି ବିଜେପିର ଜଣେ ସାଂସଦ।ଅରୁଣାଚଳ ପ୍ରଦେଶର ଚଗଲଗାମର ଏକ ନଦୀ ଉପରେ ଚୀନ ଦ୍ୱାରା ପୋଲୋ ନିର୍ମାଣ କରାଯାଉଥିବା ଦାବି କରି ବିଜେପି ସାଂସଦ ତାପିର ଗୋଓ ଚିନ୍ତା ପ୍ରକଟ କରିଛନ୍ତି।ବିଜେପି ସାଂସଦ କହିଛନ୍ତି, ମ୍ୟାକମୋହନ ରେଖା ଚଗଲଗାମଠାରୁ ୧୦୯ କିମି ଦୂରରେ ରହିଛି।ଏପରି ସ୍ଥିତିରେ ଯଦି ଚୀନ ଚଗଲଗାମର ୨୫ କିମି ଦୂରରେ ମଧ୍ୟ ପୋଲ ନିର୍ମାଣ କରେ ତେବେ ଏହାର ଅର୍ଥ ଚୀନ ଭାରତୀୟ ସୀମାର ୬୦ ରୁ ୭୦ କିଲୋମିଟର ଭିତରେ ପ୍ରବେଶ କରିଛି।ସାଂସଦ ତାପିର ଗାଓ କହିଛନ୍ତି, “ଏଥିପାଇଁ ସେନା କିମ୍ୱା ସେହି ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ଟିମ୍‌ ଉପରେ ମୁଁ ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ।କାରଣ ସେହି ଅଞ୍ଚଳରେ ପେଟ୍ରୋଲିଂ ପାଇଁ ରାସ୍ତା ହିଁ ନାହିଁ।ତେଣୁ ଏପରି ସ୍ଥିତିରେ ସୁରକ୍ଷାକର୍ମୀ ସେଠାକାର ସ୍ଥିତି କିପରି ପରଖି ପାରିବେ ବୋଲି ପ୍ରଶ୍ନ କରିଛନ୍ତି।କେନ୍ଦ୍ର ସରକାରଙ୍କ ଉପରେ ବିଶ୍ୱାସ ପ୍ରକଟ କରି ତାପିର ବିଜେପି କହିଛନ୍ତି, “ମୋର ସରକାରଙ୍କ ଉପରେ ପୁରା ବିଶ୍ୱାସ ରହିଛି।ମୁଁ ଚାହୁଁଛି ଯେ ସରକାର ଏହି ମାମଲାକୁ ଗୁରୁତର ସହ ବିଚାର କରନ୍ତୁ।ଏହି ଅଞ୍ଚଳ ଗୁଡିକରେ ରାସ୍ତା ତିଆରି କରିବା ଆବଶ୍ୟକତା ରହିଛି।ମୁଁ ନିଜେ ଏହା ଉପରେ କାମ କରିବି।

ତେବେ ବିଜେପି ସାଂସଦଙ୍କ ଏପରି ଅଭିଯୋଗକୁ ସେନା ଖଣ୍ଡନ କରିଛି।ସେନା ପକ୍ଷରୁ କୁହାଯାଇଛି ଯେ “ଅରୁଣାଚଳ ପ୍ରଦେଶର ଅଞ୍ଜୱ ଜିଲ୍ଲାରେ ଚାଇନା ସେନା ଅନୁପ୍ରବେଶ ନେଇ ପ୍ରକାଶ ପାଇଥିବା ଖବରରେ କୌଣସି ସତ୍ୟତା ନାହିଁ।ଖବରରେ ଯେଉଁ ନାଲ୍ଲା ନଦୀ ଉପରେ କାଠ ପୋଲ ନିର୍ମାଣ ହୋଇଥିବା କଥା କୁହାଯାଉଛି,ତାହା ଠାବ ହୋଇ ପାରିନାହିଁ।ଭାରତୀୟ ସେନା ଉକ୍ତ ସ୍ଥାନରେ ପହଞ୍ଚି ପ୍ୟାଟ୍ରୋଲିଂ କରିଥିଲା।ତଥାପି ପୋଲ କିମ୍ବା ଅନୁପ୍ରବେଶ ସମ୍ପର୍କରେ କୌଣସି ତଥ୍ୟ ମିଳିପାରି ନାହିଁ।ମୌସୁମୀ ସମୟରେ ପ୍ୟାଟ୍ରୋଲିଂ ପାଇଁ ଏଭଳି କାଠ ପୋଲ ନିର୍ମାଣ ହୋଇଥାଏ। ସେଠାରେ ଚାଇନା ସେନାର କୌଣସି ଉପସ୍ଥିତି ନାହିଁ।ଆମେ ନିୟମିତ ଏହି ସ୍ଥାନରେ ପ୍ୟାଟ୍ରୋଲିଂ କରୁଛୁ।ଭାରତ ଓ ଚାଇନା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଭଲ ରହିଛି। ଉଭୟ ଏକାଠି ସୀମା ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି।//ଦେବଦତ୍ତ ରଥ

ଷଷ୍ଠୀ ଓଷା: ବାଳରିଷ୍ଟ ଖଣ୍ଡନ ପାଇଁ ହୁଏ ବାଡ଼ିଆ