Odiapua.com

ହିନ୍ଦୁତ୍ବର ପ୍ରୟୋଗଶାଳା: ଗୋ- ହତ୍ୟା, ଲଭ୍ ଜିହାଦ୍ ପରେ ଉଠିଲା ଧର୍ମାନ୍ତରୀକରଣ ପ୍ରସଙ୍ଗ ..

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳ ବୋଧହୁଏ କ୍ରମଶଃ ହିନ୍ଦୁତ୍ୱର ପ୍ରୟୋଗଶାଳା ହେବାକୁ ଯାଉଛି। କିଛି ଦିନ ତଳେ ଗତ ଡିସେମ୍ବର ୩ ତାରିଖ ଗୀତା ଜୟନ୍ତୀ ଅବସରରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ହୋଇଥିଲା ଗୀତା ଜୟନ୍ତୀ ମହୋତ୍ସବ। ହିନ୍ଦୁ ସଙ୍ଗଠନ ପକ୍ଷରୁ ଆୟୋଜିତ ଏହି ଗୀତା ଜୟନ୍ତୀ ମହୋତ୍ସବରେ ଏକ ବିଶାଳ ବାଇକ୍ ରାଲି ସହିତ ରାମ ଦୟା ପରିଷଦରେ ଆୟୋଜିତ ହୋଇଥିଲା ଏକ ଧର୍ମସଭା। ଏଥିରେ ଅଖିଳ ଭାରତ ହିନ୍ଦୁ ମହାସଭା ତଥା ବିଜେପି ଫାୟାରବ୍ରାଣ୍ଡ୍ ଯୁବାନେତ୍ରୀ ହରପ୍ରିୟା ସାହୁ ଯୋଗଦେଇ ହିନ୍ଦୁତ୍ୱ ପ୍ରସଙ୍ଗ ଉପରେ ଦେଇଥିଲେ ଉଗ୍ର ଭାଷଣ। କିଛି ଦିନ ତଳେ ସେହି ଅଞ୍ଚଳରେ ଘଟିଥିବା ଲଭ୍ ଜିହାଦ୍ ଜନିତ ଜଣେ ନାବାଳିକାର ଆତ୍ମହତ୍ୟା ଘଟଣାକୁ ନେଇ ଲଭ୍ ଜିହାଦ୍, ବେଆଇନ୍ ଗୋ- ଚାଲାଣ ଏବଂ ଗୋହତ୍ୟା ବିରୋଧରେ ସ୍ୱର ଉତ୍ତୋଳନ କରି ଗୋହତ୍ୟା ଏବଂ ଲଭ୍ ଜିହାଦ୍ ବିରୋଧରେ ଧର୍ମଯୁଦ୍ଧର ଆହ୍ବାନ୍ ଦେଇ ଯେସାକୁ ତେସା ନୀତି ଆପଣେଇବାକୁ କହିଥିଲେ ହରପ୍ରିୟା ସାହୁ। ଏହା ପରେ ସଂପୃକ୍ତ ଅଞ୍ଚଳରେ କିଛିଦିନ ଯାଏଁ ଉତ୍ତେଜନା ମୂଳକ ସ୍ଥିତି ରହିଲା। ମଝିରେ ମଝିରେ ହିନ୍ଦୁ – ମୁସଲିମ୍ ଗୋଷ୍ଠୀ ମଧ୍ୟରେ ଛୋଟ ବଡ଼ ଘଟଣାକୁ ନେଇ ବିବାଦ ଘଟି ହିଂସା ସୃଷ୍ଟି ହେଲା। ପୋଲିସକୁ ଫ୍ଲାଗମାର୍ଚ୍ଚ କରିବାକୁ ପଡ଼ିଲା। ମିଛରେ ଏବଂ ସତରେ ଉଭୟ ଗୋଷ୍ଠୀର ଅନେକଙ୍କ ନାମରେ ମାମଲା ରୃଜୁ ହେଲା। ଏହାର କିଛିଦିନ ପରେ ଆତ୍ମହତ୍ୟା କରିଥିବା ଯୁବତୀଙ୍କ ବାପା ଆତ୍ମହତ୍ୟା କଲେ। ଏହାପରେ ପୁଣି କେଶରୀୟା ହିନ୍ଦୁ ପରିଷଦ ରାଜ୍ୟ ମହିଳା ବାହିନୀ ଅଧ୍ୟକ୍ଷା ତଥା ଏବେକାର ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା ରଶ୍ମିମୟୀ ପଟ୍ଟନାୟକଙ୍କ ସହିତ ହରପ୍ରିୟା ସାହୁ ଲଭ୍ ଜିହାଦ୍ ଘଟଣାକୁ ନେଇ ମୃତ୍ୟୁ ବରଣ କରିଥିବା ବାପ – ଝିଅ ପରିବାରକୁ ଭେଟି ଯୁବତୀଙ୍କ ମା’ଙ୍କୁ ସାଙ୍ଗରେ ଧରି ନିରାକାରପୁର ଥାନାରେ ଯାଇ କରିଥିଲେ ଅଭିଯୋଗ।

ଗୋ- ହତ୍ୟା ଏବଂ ଲଭ୍ ଜିହାଦ୍ ପରେ ଏବେ ପୁଣି ଧର୍ମାନ୍ତରୀକରଣ ପ୍ରସଙ୍ଗକୁ ନେଇ ସଂପୃକ୍ତ ଅଞ୍ଚଳରେ କାର୍ଯ୍ୟକ୍ରମ କରିଛି ହିନ୍ଦୁ ସଙ୍ଗଠନ। ଅବଶ୍ୟ ଏହି ଅଞ୍ଚଳରେ ଧର୍ମାନ୍ତରୀକରଣ ଏକ ପ୍ରସଙ୍ଗ ନଥିଲା ବେଳେ ସେହି ରାମ ଦୟା ପରିଷଦ ପରିସରରେ ଧର୍ମାନ୍ତରୀକରଣ ପ୍ରସଙ୍ଗକୁ ନେଇ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ। ଏଥିରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଧର୍ମ ଜାଗରଣ ବିଭାଗ ପୂର୍ବ ପ୍ରାନ୍ତ ପ୍ରମୂଖ ବିନୟ କୁମାର ଭୂୟାଁ ଏବଂ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ଯୋଗଦେଇ ଜଗନ୍ନାଥଙ୍କ ଭୂମିରେ ଧର୍ମାନ୍ତରୀକରଣ ଗ୍ରହଣୀୟ ନୁହେଁ କହି ଅଖଣ୍ଡ ହିନ୍ଦୁ ରାଷ୍ଟ୍ରର ପରିକଳ୍ପନା ଉପସ୍ଥାପନ କରିଛନ୍ତି। ଏସବୁ ଦେଖିଲେ, ହିନ୍ଦୁ ସଙ୍ଗଠନ ଗୁଡ଼ିକ ପକ୍ଷରୁ ବୋଧେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳକୁ ହିନ୍ଦୁତ୍ୱର ପ୍ରୟୋଗଶାଳା ଭାବରେ ନିଆଯାଉଥିବା ଅନୁଭବ ହେଉଛି।