Odiapua.com

ବାଲେଶ୍ଵର ଗସ୍ତ ବେଳେ ଅପରାଜିତାଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା; ଭଦ୍ରକ ବିଜେପିରେ ନେତୃତ୍ୱ ପରିବର୍ତ୍ତନର ସ୍ୱର!

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ଉପ ନିର୍ବାଚନର ଅନ୍ୟତମ ଷ୍ଟାର୍ ପ୍ରଚାରକ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିର୍ବାଚନ ପ୍ରଚାର ପାଇଁ ବାଲେଶ୍ଵର ଗସ୍ତ ଅବସରରେ ତାଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଥିଲା। ଭୁବନେଶ୍ୱରରୁ ବାହାରିବା ପରେ କଟକ, ଚଣ୍ଡିଖୋଲ, ଧର୍ମଶାଳା, ଯାଜପୁର, ପାଣିକୋଇଲି, ଭଦ୍ରକ, ସୋର, ବହାନଗା, ଶେରଗଡ଼ ଆଦି ସମେତ ଶେଷରେ ବାଲେଶ୍ଵର ମାଟିରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ସୂଚନା ମୁତାବକ, ବିଭିନ୍ନ ସ୍ଥାନରେ ହୋଇଥିବା ଥିବା ସ୍ୱାଗତ ସମ୍ବର୍ଦ୍ଧନା କିପରି କରାନଯିବ ନେଇ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ବାରଣ କରାଯିବା ସତ୍ତ୍ୱେ ଅନେକ କାର୍ଯ୍ୟକର୍ତ୍ତା ମାନେ ଅପରାଜିତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ।

ଏ’ସବୁ ସ୍ଥାନ ଗୁଡ଼ିକ ମଧ୍ୟରେ ଭଦ୍ରକରେ ସମ୍ବର୍ଦ୍ଧନା ସମୟରେ ଅଧିକ ଜନ ସମାଗମ ଦେଖିବାକୁ ମିଳିଥିଲା। କିନ୍ତୁ, ଏହି ସମୟରେ ଜନ ସମାଗମ ଭିତରୁ ଭଦ୍ରକ ବିଜେପିରେ ନେତୃତ୍ୱ ପରିବର୍ତ୍ତନ ଆବଶ୍ୟକତାର ସ୍ୱର ଶୁଭିବାକୁ ମିଳିଥିଲା। ତେବେ, ଅପରାଜିତାଙ୍କ ଟିମରେ ଥିବା ତାଙ୍କର ଜଣେ ସହକର୍ମୀ ନିକୁଞ୍ଜ କିଶୋର ପଟ୍ଟନାୟକ ଏପରି ନ୍ୟାରା ଦେବାକୁ ବାରଣ କରି କଥାକୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଭଦ୍ରକ ବିଜେପିରେ ନେତୃତ୍ୱଙ୍କ ବିରୋଧରେ ଥିବା ଅସନ୍ତୋଷ ସାର୍ବଜନୀନ ହୋଇ ସାରିଥିଲା। ତେବେ ଏ’ ନେତୃତ୍ୱ ପରିବର୍ତ୍ତନର ସ୍ୱର ନିର୍ଦ୍ଦିଷ୍ଟ ଭାବରେ କେଉଁ ନେତାଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ।
/-ଦେବଦତ୍ତ ରଥ