Odiapua.com

ପିସି ବିରୋଧରେ କହି ବୁଲିବା: ପିସିଖିଆ ପ୍ରତିନିଧିଙ୍କୁ ଧରି ବୁଲିବା!

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ପିସି ସରକାର। ବିଜେଡି ସରକାର ନୁହେଁ, ଏହା ପିସି ସରକାର। ନବୀନ ସରକାରଙ୍କ ଶାସନରେ ପିସି କାରବାର ଏକ ଭୟଙ୍କର ରୋଗରେ ପରିଣତ ହୋଇଗଲାଣି। ଏହାକୁ ନେଇ ବିରୋଧୀ ବିଜେପି ପକ୍ଷରୁ ବାରମ୍ବାର ଅଭିଯୋଗ, ଆନ୍ଦୋଳନ, ହଙ୍ଗମା ଆଦି ହୋଇଛି। ବିଧାନସଭାରେ ବାରମ୍ବାର ପ୍ରଶ୍ନ ଉଠିଛି, ମୁଲତବୀ ପ୍ରସ୍ତାବ ଆସିଛି, ହଙ୍ଗମା ହୋଇଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହି ପିସି କାରବାର ନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ଟାର୍ଗେଟ୍ କରିଛନ୍ତି। କିନ୍ତୁ, କିଛି ଦିନ ତଳେ ପିସି କାରବାର ନେଇ ସାଂସଦ ଅପରାଜିତାଙ୍କ ଉପରେ ଉଠିଥିଲା ପ୍ରଶ୍ନ। ସାଂସଦଙ୍କ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ ପ୍ରତିନିଧି ପିସି ନେଉଥିବା ନେଇ ଅଭିଯୋଗ ହେଲା। ପିସି ମାଗୁଥିଲେ ସାଂସଦଙ୍କ ପ୍ରତିନିଧି ପ୍ରଦ୍ୟୁଷ ହରିଚନ୍ଦନ। ଟାଙ୍ଗୀ ବ୍ଲକ ଲେଣ୍ଡୋ ପଞ୍ଚାୟତର ରେଙ୍ଗଟା ଗ୍ରାମରେ ଏକ କଂକ୍ରିଟ୍ ରୋଡ୍ ପାଇଁ ଝୁନା ଦେଇ ନାମକ ଜଣେ ମହିଳାଙ୍କୁ ୩ ଲକ୍ଷ ଟଙ୍କାର ଓ୍ୱାର୍କ ଅର୍ଡର ଆସିଥିଲା। କାମ ପାଇଁ ଖୋଲାଖୋଲି ପିସି ମାଗିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ। ୩ ଲକ୍ଷ ଟଙ୍କାର କାମ ପାଇଁ ୧୦ ପ୍ରତିଶତ ପିସି ଦେବାକୁ ଦାବି କରିଥିଲେ ସାଂସଦଙ୍କ ପ୍ରତିନିଧି ପ୍ରଦୋଷ। ମହିଳା ଜଣଙ୍କ କାନ୍ଦି କାନ୍ଦି ଅଭିଯୋଗ କଲେ ପ୍ରଦ୍ୟୁଷ ତାଙ୍କୁ ପିସି ପାଇଁ ବାରମ୍ବାର ଫୋନ୍ କରି ଧମକ ଦେଉଥିଲା। ପ୍ରଦ୍ୟୁଷ ପିସି ମାଗୁଥିବାର ଅଡିଓ ଭାଇରାଲ୍ ହେଲା। ଶେଷରେ ସାଂସଦ ତାଙ୍କ ଟାଙ୍ଗି ବ୍ଲକ୍ ପ୍ରତିନିଧି ପ୍ରଦ୍ୟୁଷ ହରିଚନ୍ଦନଙ୍କୁ ନିଲମ୍ବିତ କରିଦେଲେ।ତେବେ, ଏହାପରେ ସାଂସଦ ନିଜେ ଏହି କାରବାରରେ ସଂପୃକ୍ତ ଥିଲେ ଏବଂ ପ୍ରଦ୍ୟୁଷ ପିସି ମାଗୁଥିବାର ଅଡିଓ ଭାଇରାଲ୍ ପରେ ନିଜର ଭାବମୂର୍ତ୍ତି ବଞ୍ଚାଇବାକୁ ଯାଇ ପ୍ରଦ୍ୟୁଷକୁ ନିଲମ୍ବିତ କରିଦେଲେ ବୋଲି କୁହାଗଲା। ତେବେ, ଏହା ଭିତରେ ଏବେ ସେହି ପିସିଖିଆ ପୂର୍ବତନ ପ୍ରତିନିଧିକୁ ପୁଣି ସାଙ୍ଗରେ ଧରି ବୁଲୁଛନ୍ତି ଅପରାଜିତା ଷଡ଼ଙ୍ଗୀ। ଏବେ ଭୁଷଣ୍ଡପୁର ସ୍ଥିତ ମା’ ଉଗ୍ରତାରାଙ୍କ ଦର୍ଶନ ପାଇଁ ଯିବା ବେଳେ ଅପରାଜିତାଙ୍କ ସାଙ୍ଗରେ ଥିଲେ ସେହି ପିସିଖିଆ ପ୍ରତିନିଧି। ଏହା ପୂର୍ବରୁ ନିରାକାରପୁର – ଭୁଷଣ୍ଡପୁର ଅଞ୍ଚଳରେ ବାଣ ବିସ୍ଫୋରଣରେ ମୃତକଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ଅପରାଜିତାଙ୍କ ସାଙ୍ଗରେ ଥିଲେ ସେହି ପିସିଖିଆ ପ୍ରତିନିଧି। ଏ’ ସବୁ ଦେଖିଲେ, ସେ ସମୟରେ ଉଠିଥିବା ଅଭିଯୋଗ, “ସାଂସଦ ନିଜେ ପିସି କାରବାରରେ ସଂପୃକ୍ତ ଥିଲେ ଏବଂ ତାଙ୍କ ପ୍ରତିନିଧି ପିସି ମାଗୁଥିବାର ଅଡିଓ ଭାଇରାଲ୍ ପରେ ନିଜର ଭାବମୂର୍ତ୍ତି ବଞ୍ଚାଇବାକୁ ଯାଇ ତାକୁ ନିଲମ୍ବିତ କରିଦେଲେ” ଉପରେ ଏବେ ଏକ ସନ୍ଦେହ ସୃଷ୍ଟି ହେଉଛି। ତେବେ, ବିଜେପିର ନ୍ୟାରା ବାସ୍ତବରେ କ’ଣ ଏହା ଯେ, ପିସି ବିରୋଧରେ କହି ବୁଲିବା: ପିସିଖିଆ ପ୍ରତିନିଧିଙ୍କୁ ଧରି ବୁଲିବା!

ଏଥର ଲଢ଼େଇ ହେବ, ଜୋରଦାର୍ ହେବ ଏବଂ ପରିଣତି ନିର୍ଣ୍ଣାୟକ ତଥା ଶୁଭଙ୍କର ହେବ ..


-/Dev@Dr