Odiapua.com

ମେହୁଲ ଚୋକସି ତା’ ପ୍ରେମିକାକୁ ଧରି ଡୋମିନିକାକୁ ରୋମାଣ୍ଟିକ ଯାତ୍ରା କରିବାକୁ ଆସିଥିଲା : ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନେ

ନୂଆଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସ୍କାମ ଅଭିଯୁକ୍ତ ତଥା ପଳାତକ ମେହୁଲ ଚୋକସିର ପ୍ରଥମ ଫଟୋ ଡୋମିନିକା ଜେଲରେ ଥିବା ସମୟରେ ଆସିଛି। ଫଟୋରେ ମେହୁଲ ଚୋକସି ଏକ ଲୁହା ଫାଟକ ପଛରେ ଠିଆ ହୋଇଥିବା ନଜର ଆସୁଛି। ଲୁହା ଫାଟକଟି ଲକ୍ ଅପ୍ ରୁମ୍ ପରି ଦେଖାଯାଉଛି। ମେହୁଲ ଚୋକସି ଡୋମିନିକାର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଅଧୀନରେ ଅଛି। ତାକୁ ଚାରି ଦିନ ପୂର୍ବରୁ ସିଆଇଡି ଗିରଫ କରିଥିଲା।

ମେହୁଲ ଚୋକସିର ଆଉ କିଛି ଫଟୋ ପ୍ରକାଶ ପାଇଛି। ଗୋଟିଏ ଫଟୋରେ ସେ କବାଟରୁ ହାତ ବାହାର କରି ଦେଖାଉଥିବା ଦେଖିବାକୁ ମିଳିଛି। ତା’ ହାତରେ ଆଘାତ ଲାଗିଥିବା ମଧ୍ୟ ଦେଖାଯାଉଛି। ଜେଲରେ ତାକୁ ମାଡ ଦିଆଯାଉଥିବା ମେହୁଲ ଚୋକସି ଅଭିଯୋଗ କରିଛି। ଏହାର ପ୍ରମାଣ ଭାବରେ ସେ ତା’ ବାହୁରେ ଲାଗିଥିବା ଚୋଟକୁ ଦେଖାଉଛି।

ଆଣ୍ଟିଗୁଆ ଏବଂ ବାରବୁଡା ପୋଲିସ ମୁଖ୍ୟ ଆଟଲେ ରୋଡନୀ ଶୁକ୍ରବାର ଦିନ ଏହା ମନା କରିଦେଇଥିଲେ ଯେ, ହୀରା ବ୍ୟବସାୟୀ ମେହୁଲ ଚୋକସିକୁ ପୋଲିସ ଅପହରଣ କରିଛି। ସେ କହିଛନ୍ତି ଯେ ଆମ ପାଖରେ କୌଣସି ସୂଚନା ନାହିଁ ଯେ ମେହୁଲ ଚୋକସିକୁ ଆଣ୍ଟିଗୁଆରୁ ଅପହରଣ କରାଯାଇଥିଲା।

ଆଣ୍ଟିଗୁଆ ନ୍ୟୁଜ୍ ରୁମ୍ କୁ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନେ କହିଛନ୍ତିଯେ, ମେହୁଲ ଚୋକସି ହୁଏତ ତା’ ପ୍ରେମିକାକୁ ଧରି ଡୋମିନିକାକୁ ରୋମାଣ୍ଟିକ ଯାତ୍ରା କରିବାକୁ ଆସିଥିଲା ଏବଂ ଧରାପଡ଼ିଲା।

ସୂଚନାଯୋଗ୍ୟଯେ, ୨୫ ମଇରେ ଚୋକସି ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଥିଲା, ଯାହା ପରେ ତାକୁ ଡୋମିନିକା ଅଟକ ରଖିଥିଲା।

ଅପର ପକ୍ଷରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସ୍କାମ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିକୁ ଫେରାଇ ଆଣିବା ପାଇଁ ଏକ ଭାରତୀୟ ବିମାନ ଡୋମିନିକାରେ ପହଞ୍ଚିଛି। ଖବରରୁ କୁହାଯାଉଛି ଯେ, ଭାରତରୁ ଡୋମିନିକାକୁ ଏକ ଘରୋଇ ବିମାନ ପହଞ୍ଚିଛି, ଯାହା ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗଷ୍ଟନ୍ ବ୍ରାଉନେଙ୍କ ଦ୍ୱାରା ପ୍ରମାଣିତ ହୋଇଛି ଏବଂ ଡୋମିନିକାର ଡଗଲାସ୍-ଚାର୍ଲ୍ସ ବିମାନବନ୍ଦରରେ ଏକ ଭାରତୀୟ ଘରୋଇ ବିମାନ ଅଛି। ଆଣ୍ଟିଗୁଆର ଏକ ସ୍ଥାନୀୟ ରେଡିଓ ଷ୍ଟେସନ୍ ସହିତ କଥାବାର୍ତ୍ତା କରି ପିଏମ୍ ବ୍ରାଉନ୍ କହିଛନ୍ତି ଯେ, ଡୋମିନିକାର ଡଗଲାସ୍-ଚାର୍ଲ୍ସ ବିମାନବନ୍ଦରରେ ଭାରତର ଏକ ଘରୋଇ ବିମାନ ଅଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବିମାନଟି ନୂଆଦିଲ୍ଲୀରୁ ବାହାରି ମାଡ୍ରିଡ ଦେଇ ଡୋମିନିକାରେ ଅବତରଣ କରିଥିଲା।

ବ୍ରାଉନ କହିଛନ୍ତି ଯେ ଭାରତ ସରକାର ଡକ୍ୟୁମେଣ୍ଟ ପଠାଇଛନ୍ତି ଯାହା ପ୍ରମାଣ କରିଛି ଯେ ମେହୁଲ ଚୋକସି ଜଣେ ପଳାତକ। ବୁଧବାର ଦିନ ଏହି ଡକ୍ୟୁମେଣ୍ଟଗୁଡିକ କୋର୍ଟରେ ପ୍ରଦର୍ଶିତ ହେବ ବୋଲି ସେ କହିଛନ୍ତି। ଏଥି ସହିତ ଡୋମିନିକା ଜେଲରୁ ମେହୁଲ ଚୋକସିର ପ୍ରଥମ ଫଟୋ ରିଲିଜ୍ ହୋଇଛି। ବାର୍ ପଛରେ ଥିବା ଚୋକସିର ବାମ ଆଖିରେ କ୍ଷତ ଚିହ୍ନ ରହିଛି ଏବଂ ତା’ ଆଖି ଲାଲ ଦେଖାଯାଉଛି। ଆହୁରି ମଧ୍ୟ ତା’ ହାତରେ ଆଘାତ ଦେଖିବାକୁ ମିଳିଛି। ତା’ ଓକିଲ ଦାବି କରିଛନ୍ତି ଯେ, ତାକୁ ତଦନ୍ତକାରୀ ସଂସ୍ଥା ଦ୍ୱାରା ମାଡ ମରାଯାଇଛି।

ସୂଚନାଯୋଗ୍ୟଯେ, ୧୩, ୫୦୦ କୋଟି ଟଙ୍କା ପିଏନବି ଠକେଇ ମାମଲାରେ ସିବିଆଇ ଏବଂ ଇଡି ଦ୍ୱାରା ତଦନ୍ତ ହେଉଥିବା ଚୋକସି ରବିବାର ଦିନ ଆଣ୍ଟିଗୁଆ ଏବଂ ବାରବୁଡାରୁ ପଳାୟନ କରିଥିଲା ଏବଂ ପରେ ଏକ ବଡ଼ ସର୍ଚ୍ଚ ଅପରେସନ କରାଯାଇଥିଲା। ବୁଧବାର ତାକୁ ଡୋମିନିକାରେ ଧରାଯାଇଥିଲା। ଏଥି ସହିତ, ଡୋମିନିକାର ଏକ କୋର୍ଟ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ କାରିବିଆନ୍ ଦ୍ୱୀପ ଦେଶରୁ ଅନ୍ୟ ସ୍ଥାନକୁ ପଠାଇବାକୁ ବାରଣ କରିଥିଲେ।

୨୦୧୮ ରେ ଭାରତରୁ ପଳାୟନ କରିଥିଲା ଚୋକସି

ପିଏନବି ଠକେଇ ମାମଲାରେ ଅଭିଯୁକ୍ତ ମେହୁଲ ଚୋକସୀ ତାଙ୍କ ଭଣଜା ନିରାବ ମୋଦୀ ସହ ୪ ଜାନୁଆରୀ ୨୦୧୮ ରେ ଭାରତରୁ ପଳାୟନ କରିଥିଲା। ଜାନୁଆରୀ ୨୦୧୮ ରେ ଭାରତରୁ ପଳାୟନ କରିବା ପୂର୍ବରୁ ସେ ୨୦୧୭ ରେ କାରିବିଆନ୍ ଦ୍ୱୀପ ରାଷ୍ଟ୍ର ଆଣ୍ଟିଗୁଆ ବାରବୁଡାର ନାଗରିକତ୍ୱ ହାସଲ କରିଥିଲା। ଚୋକସି ଏବଂ ତାର ଭଣଜା ନିରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ର କିଛି ବ୍ୟାଙ୍କ ଅଧିକାରୀଙ୍କ ସହ ପ୍ରାୟ ୧୩, ୦୦୦ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି।