Odiapua.com

ପବିତ୍ର ଅଁ’ଳା ନବମୀ; ଶ୍ରୀରାଧା ପାଦଦର୍ଶନ ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା

ଆଜି ପବିତ୍ର ଅଁ’ଳା ନବମୀ। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପଡ଼େ ଅଁ’ଳା ନବମୀ। ଏହି ଦିନ ଅଁ’ଳା ଗଛର ପୂଜା କରାଯାଏ। ଅଁଳା ନବମୀରେ ଅଁ’ଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ମହିଳାମାନେ ସନ୍ତାନ ପ୍ରାପ୍ତି ଏବଂ ସନ୍ତାନଙ୍କ ମଙ୍ଗଳ କାମନା କରି ଅଁ’ଳା ଗଛର ପୂଜା କରିଥାଆନ୍ତି। ଆଜି ମଧ୍ୟ ରାଧାପାଦ ଦର୍ଶନ। ସାକ୍ଷୀଗୋପାଳ ମନ୍ଦିରରେ ଏହି ଅବସରରେ ଆୟୋଜିତ ହୋଇଥାଏ ଯାତ୍ରା। ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇ ରହୁଥିବା ରାଧାଙ୍କର ପାଦପଦ୍ମ ଦ୍ୱୟକୁ ବର୍ଷକେ ଥରେ ନବମୀ ଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି।
ଅଁ’ଳା ନବମୀ ଦିନ ମହିଳାମାନେ ସ୍ନାନ କରି ଅଁ’ଳା ଗଛ ତଳ ସଫାସଫି କରି ଅଁ’ଳା ଗଛ ମୂଳରେ ଶୁଦ୍ଧ ଜଳ ସମର୍ପଣ କରିବା ପରେ ଗଛ ମୂଳେ କଞ୍ଚା କ୍ଷୀର ଢାଳି ପୂଜା କରନ୍ତି। ଏହା ପରେ ଏକ ନାଲି ସୁତା ଧରି ଅଁ’ଳା ଗଛର ଚାରିପାଖେ ୮ଥର ପରିକ୍ରମା କରିବା ସହ ସେହି ସୁତାକୁ ଅଁଳା ଗଛରେ ଗୁଡ଼ାଇ ଦିଅନ୍ତି। କେହି କେହି ୧୦୮ ଥର ମଧ୍ୟ ପରିକ୍ରମା କରିଥାଆନ୍ତି। ଗଛ ତଳେ ପୂଜାର୍ଚ୍ଚନା ସାରି ସନ୍ତାନ ମାନଙ୍କ ମଙ୍ଗଳ କାମନା କରି ଭୋଜନ କରନ୍ତି।
ଅଁ’ଳା ନବମୀର କିମ୍ବଦନ୍ତୀ –
ଏକଦା କାଶୀନଗରରେ ଜଣେ ନିଃସନ୍ତାନ ବୈଶ୍ୟ ଧର୍ମାତ୍ମା ରହୁଥିଲେ। ବୈଶ୍ୟଙ୍କ ପତ୍ନୀଙ୍କୁ ତାଙ୍କର ଜଣେ ପଡ଼ୋଶୀ କହିଲେ ଯଦି ଭୈରବଙ୍କୁ ସେ ଏକ ବାଳକର ବଳି ଦେବେ ତାହେଲେ ତାଙ୍କର ପୁତ୍ର ସନ୍ତାନ ପ୍ରାପ୍ତି ହେବ। ଏହି କଥା ବୈଶ୍ୟ ଜାଣିବା ପରେ ସେ ମନା କରିଦେଇଥିଲେ। କିନ୍ତୁ ବୈଶ୍ୟଙ୍କ ପତ୍ନୀ ପୁତ୍ର ପାଇବା ଆଶାରେ ସେପରି ଚାହୁଁଥିଲେ ଏବଂ ଦିନେ ଜଣେ କନ୍ୟାଙ୍କୁ କୂଅରେ ଧକ୍କା ଦେଇ ଭୈରବଙ୍କ ନାଁ’ ରେ ବଳି ଦେଇଦେଲେ। ତେବେ ହତ୍ୟା ପରେ ବୈଶ୍ୟଙ୍କ ପତ୍ନୀଙ୍କ ଦେହ ଖରାପ ହୋଇଗଲା ଏବଂ ସେହି କନ୍ୟାର ଆତ୍ମା ତାଙ୍କୁ ସବୁବେଳେ ହଇରାଣ କଲା। ବୈଶ୍ୟ ପଚାରିବାରୁ ପତ୍ନୀ ସମସ୍ତ ଘଟଣା ବିଷୟରେ ତାଙ୍କୁ କହିଥିଲେ। ସମସ୍ତ ଘଟଣା ଶୁଣି ବୈଶ୍ୟ କହିଲେ, ଗୋବଧ, ବ୍ରାହ୍ମଣ ବଧ ତଥା ନାବାଳକ ବଧ କରିଥିବା ବ୍ୟକ୍ତିଙ୍କ ପାଇଁ ଏହି ସଂସାରରେ କେଉଁଠି ବି ସ୍ଥାନ ନାହିଁ। ଗଙ୍ଗାରେ ଯାଇ ସ୍ନାନ କରି ଭଗବାନଙ୍କ ଭଜନ କରିବା ଦ୍ୱାରା ତାଙ୍କର ପାପର ପ୍ରାୟଶ୍ଚିତ ହେବ ବୋଲି ସେ ପତ୍ନୀଙ୍କୁ କହିଥିଲେ। ବୈଶ୍ୟଙ୍କ ପତ୍ନୀ ପଶ୍ଚାତାପ କରି ପାପ ଧୋଇବା ପାଇଁ ଗଙ୍ଗା ଗଲେ। ଗଙ୍ଗା ମା’ ତାଙ୍କୁ କାର୍ତ୍ତିକ ଶୁକ୍ଳ ପକ୍ଷ ତିଥିରେ ଅଁ’ଳା ଗଛର ପୂଜା କରିବା ସହ ଅଁ’ଳା ସେବନ କରିବା ପାଇଁ କହିଥିଲେ। ଗଙ୍ଗା ମା’ଙ୍କ କହିବାନୁଯାୟୀ ବୈଶ୍ୟଙ୍କ ପତ୍ନୀ ଅଁଳା ଗଛର ପୂଜା କରି ଅଁ’ଳା ସେବନ କରିବା ଦ୍ୱାରା ତାଙ୍କ ଶରୀର ରୋଗମୁକ୍ତ ହୋଇଥିଲା। ଏହି ପୂଜା କରିବା ଦ୍ୱାରା କିଛି ଦିନ ପରେ ତାଙ୍କର ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା। ସେହିଦିନ ଠାରୁ ହିନ୍ଦୁ ପରମ୍ପରାରେ ଅଁ’ଳା ନବମୀରେ ଅଁଳା ଗଛକୁ ପୂଜା କରିବା ବିଧି ଚାଲିଆସିଛି ବୋଲି ବିଶ୍ୱାସ ରହିଛି।
ଅଁ’ଳାର ଉତ୍ପତ୍ତି, ମହତ୍ତ୍ୱ –
ଯେତେବେଳେ ସମଗ୍ର ବିଶ୍ୱ ଜଳମଗ୍ନ ଥିଲା, ସେତେବେଳେ ସ୍ୱୟଂ ବ୍ରହ୍ମ ପଦ୍ମ ଫୁଲରେ ବସି ପରଂବ୍ରହ୍ମାଙ୍କୁ ତପସ୍ୟା କରୁଥିଲେ। ସେ ନିଜ ତପସ୍ୟାରେ ମଗ୍ନ ଥିଲେ। ତପସ୍ୟା କରି କରି ତାଙ୍କ ଆଖିରୁ ଲୁହ ଗଡି ଯାଇଥିଲା ଏବଂ ସେହି ଲୁହରୁ ଅଁ’ଳା ଗଛର ଉତ୍ପତ୍ତି ହୋଇଥିଲା ବୋଲି ବିଶ୍ୱାସ ରହିଛି। ହିନ୍ଦୁ ଧର୍ମ ପରମ୍ପରା ବିଶ୍ୱାସ ବ୍ୟତୀତ ଚିକିତ୍ସା ବିଜ୍ଞାନ ଅନୁସାରେ ଅଁଳାର ବହୁତ ଔଷଧୀୟ ଗୁଣ ରହିଛି। ଅଁ’ଳାରେ ଆଇରନ ଏବଂ ଭିଟାମିନ- ସି ଭରପୁର ରହିଛି। ପ୍ରତିଦିନ ଅଁ’ଳା ରସ ପିଇଲେ ପାଚକ ଶକ୍ତି ବୃଦ୍ଧି ପାଇଥାଏ। ପ୍ରତିଦିନ ଅଁ’ଳା ରସ ପିଇଲେ ତ୍ୱଚାର ଚମକ ମଧ୍ୟ ବଢିଥାଏ।ଅଁ’ଳା ଖାଇଲେ ବାଳର ମଧ୍ୟ ଚମକ ବଢିଥାଏ। ଦାନ୍ତ ପାଇଁ ମଧ୍ୟ ଅଁ’ଳା ଖୁବ୍ ଉପଯୋଗୀ।
ଶ୍ରୀରାଧା ପାଦଦର୍ଶନ –
ଅଁ’ଳା ନବମୀ ଦିନ ହୋଇଥାଏ ଶ୍ରୀରାଧା ପାଦଦର୍ଶନ। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଏହି ଅବସରରେ ଆୟୋଜିତ ହୋଇଥାଏ ଯାତ୍ରା। ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇ ରହୁଥିବା ଶ୍ରୀରାଧାଙ୍କର ପାଦପଦ୍ମ ଦ୍ୱୟକୁ ବର୍ଷକେ ଥରେ ନବମୀ ଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି। ଏହା ରାଧାପାଦ ଦର୍ଶନ ନାମରେ ବିଦିତ। ସାକ୍ଷୀଗୋପାଳର ଏହି ଯାତ୍ରା ପୁରୀ ରଥଯାତ୍ରା ପରେ ଦ୍ୱିତୀୟ ବଡ଼ ଯାତ୍ରା। କାର୍ତ୍ତିକମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ଏହି ଯାତ୍ରା ପାଳିତ ହୁଏ। ତେବେ, କରୋନା ଆତଙ୍କ କାରଣରୁ ଚଳିତ ବର୍ଷ ଅଁ’ଳା ନବମୀରେ ରାଧା ପାଦ ଦର୍ଶନ ରହିବ ବନ୍ଦ। କରୋନାର ଭୟାବହତା ଓ କଟକଣାକୁ ନେଇ ରାଧାପପାଦ ଦର୍ଶନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ। ସୀମିତ ସେବାୟତ ଭିତରେ କେବଳ ରୀତିନୀତିରେ ରାଧାପାଦ ଦର୍ଶନ ହେବ ସମ୍ପାଦନ। ସର୍ବସାଧାରଣଙ୍କୁ ରାଧାପାଦ ଦର୍ଶନ ପାଇଁ ଅନୁମତି ଦିଆଯାଇ ନାହିଁ। ସାକ୍ଷୀଗୋପାଳ ମନ୍ଦିର ପରିସରରେ ଜାରି ହେବ ୧୪୪ଧାରା।
-@DevDrath