Odiapua.com

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମହିଳା ମୋର୍ଚ୍ଚା ତରଫରୁ କ୍ୟାପିଟାଲ୍ ଥାନାରେ ଏଫ୍ଆଇଆର୍

ଭୁବନେଶ୍ୱର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକଣ୍ଡରେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ଥିବାର ଯଥେଷ୍ଟ ପ୍ରମାଣ ସାମ୍ନାକୁ ଆସିଛି। ମୁଖ୍ୟ ଅଭିଯୁକ୍ତ ତଥା ସନସାଇନ ସ୍କୁଲର ସଂଚାଳକ ଗୋବିନ୍ଦ ସାହୁଙ୍କ ସହିତ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଘନିଷ୍ଠ ସଂପର୍କ ଥିଲା। ରାଜ୍ୟ ମନ୍ତ୍ରୀମଣ୍ଡର ଅନ୍ୟ ବରିଷ୍ଠ ମନ୍ତ୍ରୀ ଓ ନେତାଙ୍କୁ ନେଇ ମନ୍ତ୍ରୀ ଶ୍ରୀ ମିଶ୍ର ବାରମ୍ବାର ସେହି ସ୍କୁଲକୁ ଆସୁଥିଲେ। ଏପରିକି ସ୍କୁଲ ପରିସରରେ ଥିବା ବିଳାସମୟ କୋଠରୀରେ ମନ୍ତ୍ରୀ ଶ୍ରୀ ମିଶ୍ର ରାତି ମଧ୍ୟ ବିତାଉଥିଲେ। ସନସାଇନ ସ୍କୁଲକୁ ଆସିଲେ ସେ ନିଜକୁ ଯୁବକ ବୋଲି ଅନୁଭବ କରୁଥିବାର ମନ୍ତ୍ରୀ ଶ୍ରୀ ମିଶ୍ର ବହୁ ଥର ପ୍ରକାଶ କରିଛନ୍ତି। ବେସରକାରୀ ଶିକ୍ଷାନୁଷ୍ଠାନ ହୋଇଥିବା ସତ୍ତ୍ୱେ ମନ୍ତ୍ରୀ ଶ୍ରୀ ମିଶ୍ର ନିଜ କ୍ଷମତାର ଅପବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ଅନ୍ୟ ପଟେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରାଯାଇ କୋର୍ଟକୁ ନ ପଠାଇ ପୋଲିସ ବାରାକରେ ୪ଦିନ ଧରି ରଖିବା ଏବଂ ପରେ ପୋଲିସ ହେପାଜତରୁ ରାତି ଅଧରେ ପାଚେରୀ ଡେଇଁ ଫେରାର କରାଇବାରେ ମଧ୍ୟ ମନ୍ତ୍ରୀଙ୍କ ହାତ ରହିଛି। ମମିତା ହତ୍ୟାକାଣ୍ଡଙ୍କୁ ନେଇ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବିରୋଧରେ ବହୁ ପ୍ରମାଣ ଓ ଅଭିଯୋଗ ଥିବା ସତ୍ତ୍ୱେ ପୋଲିସ କେବଳ ଗୋବିନ୍ଦ ସାହୁଙ୍କୁ ଗିରଫ କରି ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିବାର ଷଡ଼ଯନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ।

କଳା କାରନାମା ଏବଂ ଏହି କାରନାମାରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସମେତ ବହୁ ପ୍ରଭାବଶାଳୀ ମନ୍ତ୍ରୀ, ନେତା ଓ ଅଧିକାରୀଙ୍କ ସଂପୃକ୍ତି ବିଷୟରେ ଜାଣିଦେଇ ଥିବାରୁ ଷଡ଼ଯନ୍ତ୍ର ରଚାଯାଇ ହତ୍ୟା କରାଯାଇଛି ବୋଲି ମୃତ ମମିତାଙ୍କ ପରିବାରର ସ୍ପଷ୍ଟ ଅଭିଯୋଗ ସତ୍ୱେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତଦନ୍ତ କରିବା ପରିବର୍ତ୍ତେ ସୁରକ୍ଷା ପ୍ରଦାନ କରାଯାଉଛି। ସମସ୍ତ ତଥ୍ୟକୁ ବିଚାର କଲେ ଏହା ସ୍ପଷ୍ଟ ହେଉଛି ଯେ, ଏଭଳି ଘୃଣ୍ୟ ଓ ଅନୈତିକ କାର୍ଯ୍ୟକଳାପର ଖୁଲାସା ହୋଇଯିବା ଭୟରେ ପୂର୍ବ ଯୋଜନା ଅନୁଯାୟୀ ଷଡ଼ଯନ୍ତ୍ର ରଚାଯାଇ ମମିତାଙ୍କୁ ହତ୍ୟା କରାଯାଇଛି। ଗୋବିନ୍ଦ ସାହୁ ଅଭିଯୁକ୍ତ ହେଲେ; ମନ୍ତ୍ରୀ ଶ୍ରୀ ମିଶ୍ର ହେଉଛନ୍ତି ମମିତା ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ। ତେଣୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଗିରଫ କରାଯାଇ ତଦନ୍ତ ପରିସରଭୁକ୍ତ କରିବାକୁ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ଥାନାରେ ଏଫଆଇଆର ରୁଜୁ କରାଯାଇଛି। ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ଉପାଧ୍ୟକ୍ଷା ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଉପସଭାନେତ୍ରୀ ନିରୋଜ ନଳିନୀ ମହାଲିକ, କସ୍ତୁରୀ ମିଶ୍ର, ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନା, ରଶ୍ମୀରେଖା ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ, ଭୁବନେଶ୍ୱର ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ର ପ୍ରମୁଖ ସାମିଲ ଥିଲେ।
-@Dr