Odiapua.com

ହଜିବାକୁ ବସିଲାଣି ଭିନ୍ନ ଏକ ପରମ୍ପରା, ଭିନ୍ନ ଏକ ଖେଳ: ଗହ୍ମାଡିଆଁ ..

ଭୁବନେଶ୍ୱର: ରକ୍ଷା ପୂର୍ଣ୍ଣମୀ ବା ଗହ୍ମା ପୂର୍ଣ୍ଣମୀ ଦିନ ମଧ୍ୟ ପାଳନ ହୋଇଥାଏ ବଳଭଦ୍ର ଜନ୍ମ। ଏହିଦିନ ଖେଳା ଯାଇଥାଏ ଏକ ପାରମ୍ପରିକ ଖେଳ ‘ଗହ୍ମାଡିଆଁ’। ଗହ୍ମାଡିଆଁ ଓଡ଼ିଶାର ଏକ ପୁରାତନ ଏବଂ ଲୋକପ୍ରିୟ ଖେଳ। ଏହା ଉଚ୍ଚ ଡିଆଁ (ହାଇ ଜମ୍ପ୍) ପ୍ରତିଯୋଗିତା ଧରଣର। ରାକ୍ଷୀ ପୂର୍ଣ୍ଣିମା ତଥା ଗହ୍ମା ପୂର୍ଣ୍ଣିମା ଅବସରରେ ବିଶେଷ ଭାବରେ ଗାଁ ଗହଳିରେ ଏହି ଖେଳ ଖେଳାଯାଏ। ଗଞ୍ଜାମ ଜିଲ୍ଲାରେ ଏହି ଖେଳ ଅଧିକ ଜଣାଶୁଣା। ଯୁବକମାନଙ୍କ ଦ୍ୱାରା ଖେଳା ଯାଉଥିବା ଏହି ଖେଳ ଦେଖିବାକୁ ସାହି ମାନଙ୍କରେ ବିଶେଷ ଭିଡ଼ ଜମେ। ମଣିଷ ମାନଙ୍କ ବ୍ୟତିତ ପଶୁମାନେ ମଧ୍ୟ ଏଥିରେ ଭାଗନେବା ଦେଖାଯାଏ। ଚାଷୀମାନେ ବଳଦ ମାନଙ୍କୁ ଜମିକୁ ନେଇ ଯାଇଥାଆନ୍ତି। ଏକ ଉଚ୍ଚ ପିଣ୍ଡି ବା ‘ଗହ୍ମା ବେଦୀ’ ଗଢ଼ାଯାଇ ବଳଦମାନଙ୍କୁ ତାହା ଉପରୁ ଡିଆଁ ମାରିବାକୁ ଛଡ଼ାଯାଇଥାଏ।

ତାତ୍ପର୍ଯ୍ୟ –
ଗହ୍ମାଡିଆଁ ପରମ୍ପରା ଏକଦା ଜୀବନଚର୍ଯ୍ୟା ସହିତ ଘନିଷ୍ଠ ଭାବେ ଯୋଡ଼ି ହୋଇ ରହିଥିଲା। ଏହା ଏକ କୃଷି ଭିତ୍ତିକ ପର୍ବ ବା ଖେଳ। ଏହି ଦିନ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ହୋଇଥିବାରୁ ଗାଁ’ ଗଣ୍ଡା ଗୁଡ଼ିକରେ ପାରମ୍ପରିକ ପିଠା ପ୍ରସ୍ତୁତି ସହିତ ଗୋରୁଗାଈଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ମୁଖ୍ୟତଃ କୃଷିର ଉନ୍ନତି ସାଧନ ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ। ଚାଷୀମାନେ ସେମାନଙ୍କ ଚାଷବାସ କାମସାରି ଏହି ପର୍ବକୁ ଉତ୍ସାହ ସହକାରେ ପାଳନ କରୁଥିଲେ। କିନ୍ତୁ ଆଜିକାଲି ଏହି ପର୍ବ କେବଳ ରାକ୍ଷୀ ବାନ୍ଧିବା ନୀତି ଭିତରେ ସୀମିତ ରହି ପର୍ବର ପ୍ରାସଙ୍ଗିକତାକୁ ପ୍ରାୟତଃ ବଦଳାଇ ଦେଇଥିବା ଦେଖିବାକୁ ମିଳୁଛି। ପ୍ରଭୁ ବଳଦେବଙ୍କ ହାତରେ ଗହ୍ମାସୁରର ମୃତ୍ୟୁ ହେବା ପରେ ପୃଥିବୀ ପୃଷ୍ଠରୁ ପାପ କମି ଯାଇଥିବାରୁ ଲୋକେ ଆନନ୍ଦରେ ଗହ୍ମାଡିଆଁ ଖେଳ ଖେଳିଥାନ୍ତି ବୋଲି ଲୋକକଥା ରହିଛି।

ଖେଳ ଏବଂ ପ୍ରତିଯୋଗିତା –
ଗହ୍ମା ପୂର୍ଣ୍ଣିମା ଉପଲକ୍ଷେ କିଛି ଦିନ ପୂର୍ବରୁ ଗହ୍ମାଡିଆଁ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ଗୋଟିଏ ବଡ଼ ଆକୃତିରେ ମଞ୍ଚ ଭଳି ସ୍ଥାନ ପ୍ରସ୍ତୁତି ହୁଏ। ତଳୁ ଉପରକୁ ପ୍ରାୟ ୩ ରୁ ୫ ଫୁଟ ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ମଞ୍ଚକୁ ଲମ୍ବାଯାଏ। ଚିକିଟା ମାଟି ଦ୍ୱାରା ପ୍ରସ୍ତୁତି ହୋଇ ଉପର ଭାଗରେ ବିଭିନ୍ନ ଘାସ, ଗଛର ପତ୍ର ରଖି ପ୍ରସ୍ତୁତି କରାଯାଏ ସ୍ୱତନ୍ତ୍ର ମଞ୍ଚ। ଏହି ମଞ୍ଚ ଉପରୁ ଦେଇ ଡିଆଁ ମାରନ୍ତି ପ୍ରତିଯୋଗୀ। ମାଟି ଓ ବାଲିରେ ନିର୍ମିତ ଗହ୍ମାକୁଦା ଉପରୁ ଡିଆଁ ମରାଯାଏ। ମଞ୍ଚଠାରୁ କିଛି ଦୂରରେ ଟଙ୍ଗାଯାଏ ଆକର୍ଷଣୀୟ ସାମଗ୍ରୀ। ଯେଉଁ ପ୍ରତିଯୋଗୀ ଟଙ୍ଗା ଯାଇଥବା ସାମଗ୍ରୀକୁ ଛୁଇଁ ଦିଏ, ସେହି ସାମଗ୍ରୀଟି ତାର ହୋଇଯାଏ। ବିସ୍କୁଟ ପ୍ୟାକେଟ ଠାରୁ ଆରମ୍ଭ କରି ସୁନା ମୁଦି ପର୍ଯ୍ୟନ୍ତ ପାଆନ୍ତି ପ୍ରତିଯୋଗୀ।ରାକ୍ଷୀ ପୂର୍ଣ୍ଣିମା ଦିବସର ସନ୍ଧ୍ୟାରେ ଆୟୋଜିତ ହୁଏ ଏହି ଖେଳ। ସମସ୍ତ ସାମଗ୍ରୀ ଶେଷ ହେବା ପରେ ଯାଇ ଖେଳ ସମାପ୍ତର ଘୋଷଣା କରାଯାଏ। ଏହି ଖେଳ ସାଧାରଣତଃ ସାହି ସାହି ମଧ୍ୟରେ କିମ୍ୱା ପାଖାପାଖି ଗ୍ରାମ ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଆକାରରେ ଆୟୋଜିତ ହୁଏ।

ବିଲୁପ୍ତ ପ୍ରାୟ ପରମ୍ପରା –
ବିଶେଷ ଭାବରେ ଦକ୍ଷିଣ ଓଡ଼ିଶା ସମେତ ଓଡ଼ିଶାର ଆଉ କିଛି ସ୍ଥାନରେ ଗହ୍ମାଡିଆଁ ଖେଳ ଅନୁଷ୍ଠିତ ହୁଏ। ଆଧୁନିକାତାର ସ୍ପର୍ଶରେ ଅନେକ ପାରମ୍ପରିକ ଲୋକ ସଂସ୍କୃତି ଦିନକୁ ଦିନ ଲୋପ ପାଇବାକୁ ବସିଲାଣି। ସେହି କ୍ରମରେ ଗହ୍ମାଡିଆଁ ମଧ୍ୟ ଏକ ପ୍ରକାର ଉଭାନ ହେବାକୁ ବସିଲାଣି। ଏହି ପାରମ୍ପରିକ କ୍ରୀଡ଼ାର ଅବକ୍ଷୟ ଦିନକୁ ଦିନ ଘଟିବାରେ ଲାଗିଛି। ଗ୍ରାମାଞ୍ଚଳର କେତେକ ସାହିବସ୍ତିରେ ଏହି ଖେଳ ହେଉଥବା ବେଳେ ସହରାଞ୍ଚଳରେ ଏହି ଗହ୍ମାଡିଆଁ ଖେଳ ପ୍ରାୟ ଲୋପ ପାଇ ଗଲାଣି। ଗ୍ରାମାଞ୍ଚଳ ଗୁଡ଼ିକରେ ମଧ୍ୟ କୋଚିତ ସ୍ଥାନରେ ଏହି ପ୍ରତିଯୋଗିତା ହୋଇ କେତେକ ନିର୍ଦ୍ଦିଷ୍ଟ ବର୍ଗଙ୍କ ଭିତରେ ଏବେ ଏହା ସୀମିତ ହୋଇ ରହିଯାଇଛି। /-ଦେବଦତ୍ତ ରଥ