Odiapua.com

ଟ୍ରାଫିକ୍ ଜାମ୍ କଲେ ମୟୁର: ଲକ୍ ଡାଉନ୍ ଭିତରେ ପ୍ରକୃତିର ସୁନ୍ଦର ଦୃଶ୍ୟ ଭିଡିଓ

ଭୁବନେଶ୍ୱର: ଯେବେଠାରୁ କରୋନା କାରଣରୁ ଲକ୍ ଡାଉନ୍ ଘୋଷଣା ହୋଇଛି, ପ୍ରକୃତି ବୋଧେ ମୁକ୍ତ ଭାବରେ ନିଶ୍ୱାସ ନେଉଛି। ରାସ୍ତାଘାଟ ଶୂନଶାନ ହୋଇନାହିଁ। ବିଭିନ୍ନ ପକ୍ଷୀମାନଙ୍କର ରାବ ଶୁଣିବାକୁ ମିଳୁଛି, ପଶୁମାନେ ରାଜରାସ୍ତାରେ ବୁଲୁଛନ୍ତି। ପ୍ରକୃତି ହସୁଛି। ମଣିଷ ମାନଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଖୁସି ଅଛନ୍ତି।

ଲକ୍ ଡାଉନ୍ ଯୋଗୁଁ ଯେତେବେଳେ ଲୋକମାନେ ବହୁ ବର୍ଷ ପରେ ନୀଳ ଆକାଶ ଦେଖିବାକୁ ପାଇଲେ, ପଞ୍ଜାବର ଜଲନ୍ଦରରୁ ଲୋକମାନେ ଧୌଳାଧାର ପର୍ବତମାଳା ଦେଖିବାକୁ ପାଇଲେ। ଜଗନ୍ନାଥ ମନ୍ଦିର ଉପରେ ପତିତପାବନ ବାନା ବାନ୍ଧିବାକୁ ଗଲାବେଳେ ସେବାୟତ ମାନଙ୍କୁ ଦୂରଦୂରାନ୍ତର ପାହାଡ଼ ଦୃଶ୍ୟମାନ ହେଲା। ରାତିର ଅନ୍ଧକାରରେ ବାହାରକୁ ବାହାରୁଥିବା ପଶୁମାନେ ଦିନରେ ମଧ୍ୟ ରାସ୍ତା ଉପରେ ଦେଖାଗଲେ। ବିଲୁପ୍ତ ପ୍ରାୟ ପକ୍ଷୀ ପୁଣି ଉଡ଼ିବାର ଦେଖାଗଲେ ଏବଂ ଘରଛାତ ଉପରୁ ପୁଣି ସେମାନଙ୍କର ସୁନ୍ଦର ରାବ ଶୁଣିବାକୁ ମିଳିଲା। ଏହିପରି ଏକ ସୁନ୍ଦର ଦୃଶ୍ୟର ଭିଡିଓ ଏବେ ଖୁବ୍ ପସନ୍ଦ କରାଯାଉଛି। ଜାତୀୟ ପକ୍ଷୀ ମୟୁର କାରଣରୁ ଟ୍ରାଫିକ ଜାମ୍ ହୋଇଗଲା। ଏପରି ଏକ ସୁନ୍ଦର ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଆଇଏଫ୍ଏସ୍ ପରଭେନ କାସୱାନ୍ ଏହି ସୁନ୍ଦର ମୁହୂର୍ତ୍ତକୁ ଟ୍ୱିଟରରେ ସେୟାର କରିଛନ୍ତି। ସେ ଭିଡିଓ ସହିତ ଲେଖିଛନ୍ତି, ‘ଜାତୀୟ ପକ୍ଷୀ ଦ୍ୱାରା ଲଗା ଯାଇଥିବା ସୁନ୍ଦର ଜାମ୍।’ ସେୟାର୍ ହୋଇଥିବା ଭିଡିଓରେ ଦେଖାଯାଉଛି ଯେ ରାସ୍ତା ଉପରେ ମୟୂରମାନେ ଏକାଠି ହୋଇଛନ୍ତି। କେତେକ ମୟୂର ସେମାନଙ୍କର ଡେଣା ବିସ୍ତାର କରି ନାଚୁଛନ୍ତି ଏବଂ କେତେକ ରାସ୍ତା ଉପରେ ବୁଲୁଛନ୍ତି। ସେମାନେ ସମଗ୍ର ରାସ୍ତାକୁ ଆଚ୍ଛାଦନ କରି ଦେଇଛନ୍ତି। ଏହି ଭିଡିଓ ସୁଟିଂ କରୁଥିବା ବ୍ୟକ୍ତି ଅଗ୍ରଗତି କଲାବେଳେ ମୟୂରମାନେ ତାଙ୍କୁ ବାଟ ଛାଡ଼ି ଦେଉଛନ୍ତି। ଭିଡିଓଟି ରାଜସ୍ଥାନର ବୋଲି କୁହାଯାଉଛି। /-ଦେବଦତ୍ତ ରଥ