Odiapua.com

ଅଖଣ୍ଡ ଭାରତ – ଅଜୟ ଭାରତ ..

ଉତ୍ତରଂ ୟତ ସମୁଦ୍ରସ୍ୟ ହିମେଦ୍ରଶ୍ଚୈବ ଦକ୍ଷିଣମ।
ବର୍ଷ ତଦ୍ ଭାରତଂ ନାମ ଭାରତୀ ତତ୍ର ସନ୍ତତି।

ଆସନ୍ତା କାଲି ଅଗଷ୍ଟ ୧୫। ଭାରତର ସ୍ୱାଧୀନତା ଦିବସ। ଚଳିତ ବର୍ଷ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆମେ ପାଳନ କରୁଛେ “ଆଜାଦୀ କା ଅମୃତ ମହୋତ୍ସବ”। ଆଜି ଅଗଷ୍ଟ ୧୪ ତାରିଖ। ଅଖଣ୍ଡ ଭାରତ ଦିବସ। ଆଜିର ଦିନରେ ଧର୍ମ ନାମରେ ଭାରତ ବିଭାଜନ ହୋଇଯାଇଥିଲା। ଇଂରେଜ ମାନଙ୍କର ପ୍ରରୋଚନାରେ ମୁସଲିମ୍ ଲିଗର ଦାବିକୁ ତତ୍କାଳୀନ କଂଗ୍ରେସ ନେତୃତ୍ବ ପ୍ରଥମେ ମନା କରିବା ସତ୍ତ୍ବେ ପରବର୍ତ୍ତୀ ସମୟରେ ମାନି ନେଇଥିଲେ। ଭାରତମାତାର ଶରୀରକୁ କାଟି ପାକିସ୍ତାନ ତିଆରି କରାଯାଇଥିଲା। ଖଣ୍ଡିତ ହୋଇ ଯାଇଥିଲା ଭାରତମାତା। ମାତୃଭୂମିର ବିଭାଜନର ଏହି ଦୁଃଖ ଆଜି ମଧ୍ୟ ଆମ ମନରେ ରହିଛି।

ଭାରତର ଭୂଭାଗରେ ରହୁଥିବା ନିବାସୀ ମାନଙ୍କୁ ନିବାସୀ କୁହାନଯାଇ ସନ୍ତାନ/ସନ୍ତତି କୁହାଯାଏ। କାରଣ ଆମେ ଭାରତୀୟ ମାନେ ଭାରତକୁ ଏକ ନିର୍ଜୀବ ଭୂମି ବୋଲି ମନେ ନକରି ଜୀବନ୍ତ ତଥା ଭାରତ ମାତା ଭାବରେ ପରିକଳ୍ପନା କରିଥାଏ। ଅଖଣ୍ଡ ଭାରତରେ ଏବେକାର ପାକିସ୍ଥାନ, ବାଙ୍ଗଲାଦେଶ, ନେପାଳ, ଭୁଟାନ୍, ମିଆଁମାର, ଶ୍ରୀଲଙ୍କା, ଆଫଗାନିସ୍ଥାନ ଆଦି କିଛି ଦେଶର ଅଂଶ ସାମିଲ୍ ଥିଲା। ସାଂସ୍କୃତିକ ଭାରତର ହଜାର ହଜାର ବର୍ଷର ଇତିହାସ ରହିଛି। ଏହି ଭାରତ ଉପରେ ଆଲେକଜାଣ୍ଡାର, ଶକ, ହୁଣ, କୁଶାଣ ପରି ଅନେକ ବାହ୍ୟ ଆକ୍ରମଣ ହୋଇଛି। ପରବର୍ତ୍ତୀ ସମୟରେ ବାହ୍ୟ ଇସଲାମୀ ଆକ୍ରମଣ ଏବଂ ଏହା ପରେ ଇଂରେଜ ମାନଙ୍କର ଶାସନ। ଇଂରେଜ ମାନେ ଦେଶ ଭାରତ ଛାଡ଼ିବା ବେଳକୁ ଧର୍ମ ନାମରେ ଭାରତମାତାର ବିଭାଜନ ପାଇଁ ଦାବି ହେଲା। ପ୍ରଥମେ ଏହି ଦାବିକୁ ସମସ୍ତେ ଅଗ୍ରାହ୍ୟ କଲେ। ମହାତ୍ମା ଗାନ୍ଧୀ ହରିଜନ ପତ୍ରିକାରେ ଭାରତ ବିଭାଜନ ଦାବି ସମ୍ପର୍କରେ ଲେଖିଲେ, “ଦୁଇ ରାଷ୍ଟ୍ରର ସିଦ୍ଧାନ୍ତ ମୁର୍ଖତାପୂର୍ଣ୍ଣ ଅଟେ। ଯାହାକୁ ଭଗବାନ ଗୋଟେ କରିଛନ୍ତି ମନୁଷ୍ୟ ତାକୁ କିପରି ଭାଙ୍ଗି ପାରିବ?” ପ୍ରଥମେ ଭାରତ ବିଭାଜନ ଦାବୀକୁ ସମ୍ପୂର୍ଣ୍ଣ ରୂପେ ଅସ୍ବୀକାର କରୁଥିବାବେଳେ ଅଖିଳ ଭାରତୀୟ କଂଗ୍ରେସ କମିଟି ଜୁନ୍ ୧୫ ତାରିଖ ଦିନ ଭାରତ ବିଭାଜନର ଯୋଜନାକୁ (ଷଡ଼ଯନ୍ତ୍ର) ଅନୁମୋଦନ ଦେଇଦେଲେ। ଫଳରେ ୧୯୪୭ ମସିହା ଅଗଷ୍ଟ ୧୪ ଓ ୧୫ ତାରିଖ ମଧ୍ୟ ରାତ୍ରୀରେ ଭାରତମାତାର ବିଭାଜନ କରି ଦିଆଗଲା।

୭୫ ବର୍ଷ ତଳେ ଆଜିର ରାତି ଥିଲା କାଳରାତ୍ରୀ। ଭାରତମାତାର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଦିଆଯାଇଥିଲା। ସେହି କାଳରାତ୍ରୀରେ ଯାହା ହେଲା ତାହା ଦେଶ ପ୍ରତି ଚରମ ବିଶ୍ୱାସ ଘାତକତା ଥିଲା। ଭାରତକୁ ସ୍ୱାଧୀନ କରିବାକୁ ପ୍ରାଣ ବଳି ଦେଇଥିବା ସହିଦ ମାନଙ୍କର ସ୍ୱପ୍ନ ମାଟିରେ ମିଶି ଯାଇଥିଲା। ବିଭାଜନ ସମୟରେ ଯେଉଁ ନର ସଂହାର ହେଲା ସେଥିରେ ଲକ୍ଷ ଲକ୍ଷ ନିର୍ଦ୍ଦୋଷ ଲୋକ ପ୍ରାଣ ହରାଇଲେ। ମଠ, ମନ୍ଦିର, ତୀର୍ଥସ୍ଥାନ ଆଦି ନଷ୍ଟ, ଅପବିତ୍ରକିମ୍ବା ଧ୍ୱଂସ କରି ଦିଆଗଲା। କେତେ ଯେ ଋଷି ମୁନି, କବି, ଦ୍ରଷ୍ଟା ବୈଦିକ କାଳରୁ ଆଜି ପର୍ଯନ୍ତ ରାଷ୍ଟ୍ରର ମାନସରେ ଦିବ୍ୟ ଭାରତମାତାର ସେହି ଅଖଣ୍ଡ ଓ ଅବିଭକ୍ତ ରୂପକୁ ପ୍ରତିସ୍ଥାପିତ କରି ଆସିଥିଲେ। ସେମାନଙ୍କ ଦୃଷ୍ଟିରେ ଭାରତ କୌଣସି ମାଟିର ନିର୍ଜୀବ ବସ୍ତୁ ନଥିଲା । ଭାରତ ଥିଲା ତାଙ୍କ ପାଇଁ ମାତୃଭୂମି, ପୁଣ୍ୟଭୂମି, ଦେବଭୂମି ଓ କର୍ମଭୂମି। ଆଜି ମଧ୍ୟ ଆମ ମାନଙ୍କ ମନରେ ଭାରତମାତା ପ୍ରତି ସେହି ଦୃଷ୍ଟିକୋଣ ରହିଛି, ଅଖଣ୍ଡ ଭାରତମାତାର ପରିକଳ୍ପନା ରହିଛି।
।। ଭାରତ ମାତା କି ଜୟ ।।
– ହରପ୍ରିୟା ସାହୁ, ଭଦ୍ରକ