Odiapua.com

ଅବ୍ ତେରା କ୍ୟା ହୋଗା ରେ କାଳିଆ .. ?

ଭୁବନେଶ୍ୱର: ଆସନ୍ତା ୨୬, ଦୁଇ ଦିନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ଥିଲା। ତେବେ, ତାହା ବାତିଲ୍ ହେଲା ଏବଂ ଏହା ଭିତରେ ଭଦ୍ରକ ଜିଲ୍ଲା ନେତା ମନମୋହନ ସାମଲ ହେଲେ ରାଜ୍ୟ ସଭାପତି। ଏହା ଏମିତିରେ ଏକ ହାଲକା ଘଟଣା ନୁହଁ। ଉଭୟ ଘଟଣା ମଧ୍ୟରେ ରହିଛି ସଂପର୍କ। ଏକ ବଡ଼ ଯୋଜନା, ଏକ ବଡ଼ ଚକ୍ରାନ୍ତ ପଣ୍ଡ ହୋଇଗଲା! ସେ ଯାହା ହେଉ, ମେଣ୍ଟ ସରକାର ସମୟରେ ନବୀନ ପଟ୍ଟନାୟକଙ୍କ ପରେ ସେକେଣ୍ଡ ପାୱାରଫୁଲ ମିନିଷ୍ଟର ବୋଲାଉଥିବା ମନମୋହନ ସାମଲ ଏବେ ବିଜେପି ରାଜ୍ୟ ସଭାପତି। ସାଧାରଣ ନିର୍ବାଚନ ପାଖାପାଖି ଆଉ ବର୍ଷେ ଥିବା ବେଳେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ମନମୋହନ ସାମଲଙ୍କ ହାତରେ ଓଡ଼ିଶା ବିଜେପିର ମଙ୍ଗ ଧରାଇ ଦିଆଗଲା। ଯେଉଁ ମନମୋହନ ଦିନେ ବିଜେପି – ବିଜେଡି ମେଣ୍ଟ ଗଢ଼ିବାରେ ପ୍ରମୂଖ ଭୂମିକାରେ ଥିଲେ , ଏବେ ସେ ରାଜ୍ୟ ବିଜେପି ସଭାପତି। ସେବେ ସେ ବିଜେପି – ବିଜେଡିକୁ ଯୋଡ଼ିବାକୁ ଚେଷ୍ଟା କରିଥିଲେ, ଆଉ ଏବେ ବିଜେଡିକୁ ଛିଡାଇ ବିଜେପିକୁ ବଢାଇବାକୁ ଚେଷ୍ଟା କରିବେ। ଦକ୍ଷ ସଙ୍ଗଠକ, ଦୃଢ଼ ତଥା ପରିପକ୍ୱ ନେତା ଭାବରେ ପରିଚିତ ମନମୋହନ ସାମଲ ଗୋଷ୍ଠୀ ବିବାଦ, ପରିବାରବାଦ, ପ୍ରିୟାପ୍ରୀତି ତୋଷଣ ଆଦିକୁ ଦୂରେଇ ରଖି ଓଡ଼ିଶାରେ ବିଜେପିକୁ ଆଗକୁ ନେବେ ବୋଲି ଆଶା। ତେବେ, ସେ ନିଜ ଗୃହ ଜିଲ୍ଲା ଭଦ୍ରକ କଥା ଅବା ଭୁଲିଯିବେ କେମିତି?ଭଦ୍ରକ ବିଜେପିରେ ଏବେ ସବୁ କିଛି ଠିକ୍ ନାହିଁ। ପରିବାରବାଦ, ଗୋଷ୍ଠୀବାଦ ଆଦି ଭିତରେ ଅନେକ ଦକ୍ଷ ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ଅଣନିଶ୍ୱାସୀ ହୋଇ ରହିଛନ୍ତି। କିଏ ବସି ପଡ଼ିଛନ୍ତି, କିଏ ଦଳ ଛାଡ଼ିଛନ୍ତି ଅବା କିଏ ତଡ଼ା ଖାଇଛନ୍ତି। ମନମୋହନ ସଭାପତି ହେବା ପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିବା ଅନେକ ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ପୁଣି ଦଳକୁ ଫେରି ଆସିବେ ବୋଲି ଜିଲ୍ଲାରେ ଏବେଠୁ ଆଲୋଚନା ଆରମ୍ଭ ହୋଇଗଲାଣି। ଯାହା ଭଦ୍ରକ ବିଜେପି ପାଇଁ ଶୁଭ ସୂଚନା ନିଶ୍ଚିତ। ତେବେ, ଏଠି ପ୍ରଶ୍ନ ଉଠୁଛି, ଅବ୍ ତେରା କ୍ୟା ହୋଗା ରେ କାଳିଆ?? କାଳିଆ ମାନେ କାଳିଆ ନନା, ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ। ଭଦ୍ରକ ଜିଲ୍ଲା ବିଜେପିରେ ବିଶୃଙ୍ଖଳା ପଛରେ ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀଙ୍କ ବଡ଼ ଭୂମିକା ବୋଲି କୁହାଯାଏ। ୨୦୧୭ରେ ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ଥାଇ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆସି ବିଜେପିରେ ଯୋଗ ଦେଇ ତୁରନ୍ତ ଜିଲ୍ଲା ସଭାପତି ହୋଇ ଯାଇଥିଲେ ହେମନ୍ତ ପାଢ଼ୀ। ତେବେ, ଜିଲ୍ଲା ସଭାପତି ହୋଇ ମଧ୍ୟ ଦଳ ଭିତରେ ସେ ନିଜକୁ କୁଆଡ଼େ କିରାଣୀ ସଦୃଶ୍ୟ ମନେ କରୁଥିଲେ! ଜିଲ୍ଲା ନେତା ମାନଙ୍କ ମଧ୍ୟରେ ଚାଲିଥିବା ପ୍ରଭାବ ବିସ୍ତାର ନୀତି ମଧ୍ୟରେ କୌଣସି ନିଷ୍ପତ୍ତି ନେବାରେ ତାଙ୍କର କୌଣସି ଭୂମିକା ନଥିଲା। ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ନିଜକୁ ବିଧାନସଭା ନେତା ବୋଲାଉଥିବା ନେତା ମାନଙ୍କର ନିର୍ଦ୍ଦେଶକୁ ସେ କେବଳ ଏକ କିରାଣୀ ସଦୃଶ୍ୟ ପାଳନ କରିଥାଆନ୍ତି ବୋଲି କୁହାଗଲା।କିନ୍ତୁ, ବାସ୍ତବରେ “କାଳିଆର ଲୀଳା ଅଲଗା ଥିଲା”। ଭିନ୍ନ ଯୋଜନାରେ ଥିଲେ ହେମନ୍ତ ପାଢ଼ୀ। ଗତ ପଞ୍ଚାୟତ ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଥିବା ଜିଲ୍ଲାର କିଛି ନେତାନେତ୍ରୀଙ୍କୁ ଟିକେଟ୍ ବା ଦଳୀୟ ସମର୍ଥନ ନଦେଇ, ଏଣେ ହେମନ୍ତ ପାଢ଼ୀ ନିଜେ ପତି – ପତ୍ନୀ ଭିନ୍ନ ଭିନ୍ନ ପଞ୍ଚାୟତରୁ ବିଜେପି ସମର୍ଥିତ ସମିତି ସଭ୍ୟ ପାର୍ଥି ହେଲେ। ଉଦ୍ଦେଶ୍ୟ ଥିଲା ବ୍ଲକ୍ ଅଧ୍ୟକ୍ଷ କବ୍ଜା। ତେବେ, ଦୁହିଁଙ୍କୁ ଦୁହେଁ ଚିତପଟାଙ୍ଗ୍ ମାରିଲେ। ଆଉ ତା’ପରେ ଆଶା ରଖି ଚାଲିଥିଲେ ଭଦ୍ରକ ବିଧାନସଭା ଟିକେଟ୍। ହେମନ୍ତ ପାଢ଼ୀଙ୍କ ସମୟରେ ତତ୍କାଳୀନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠାଙ୍କ ଉପରେ ମାଡ଼ ହୋଇଥିଲା। ପୁଣି ମାଡ଼ କରିଥିଲେ ନିଜ ଦଳୀୟ ପିଲା। ହେଲେ ମୌନ ରହିଥିଲେ ହେମନ୍ତ। ବିକାଶ ଦଳ ଛାଡ଼ି ଚାଲିଗଲେ। ଏହାପରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ଉପରେ ଦାଉ ସାଜିଲେ ହେମନ୍ତ। ସବୁ କାର୍ଯ୍ୟରେ ତାଙ୍କୁ ଅସହଯୋଗ କଲେ। ଏପରିକି ଥରେ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ବିରୋଧ କରିବାକୁ ଯିବା ସମୟରେ ହରପ୍ରୟାଙ୍କୁ ଘେରି ଯାଇଥିଲେ ବିଜୁ ଯୁବା ବାହିନୀ ପିଲା। ବିଜୁ ଯୁବା ବାହିନୀ ହାବୁଡ଼ରେ ପଡ଼ି ସେମାନଙ୍କ ସହ ନିଜେ ଏକାକୀ ଲଢ଼ିଥିଲେ ହରପ୍ରିୟା।

ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ଖାଲି ତମାସା ଦେଖୁଥିଲେ। ସେହିପରି ଏବେ ନିକଟରେ ହଠାତ୍ କୌଣସି ସୂଚନା ନଦେଇ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀଙ୍କୁ ବଦଳାଇ ଦେଲେ ହେମନ୍ତ ପାଢ଼ୀ। ଏହି ସବୁ କାରଣରୁ ନୀତି, ଆଦର୍ଶ ଓ ବିଚାରଧାରାରୁ ବିଚ୍ୟୁତ ହୋଇସାରିଛି ଭଦ୍ରକ ବିଜେପି। ଦଳରେ ବ୍ୟକ୍ତିବାଦ ଚାଲିଛି। ଅଳ୍ପ କେତେକ ତଥାକଥିତ ନେତୃ ମଣ୍ଡଳୀଙ୍କ କର୍ପୋରେଟ୍ ଚିନ୍ତାଧାରା ପାଇଁ ବହୁ ସାଧାରଣ କର୍ମୀ ଏବେ ଅବସାଦ ମଧ୍ୟରେ ଗତି କରୁଛନ୍ତି। ବାସ୍ତବ କର୍ମୀଙ୍କୁ କୋଣଠେସା କରି ରଖାଯାଉଛି ବୋଲି ଅଭିଯୋଗ ଆଣି କିଛି ଦିନ ତଳେ ଭଦ୍ରକ ଜିଲ୍ଲା ବିଜେପିର କେତେକ ମୂଳ ବିଚାରଧାରାର ବିଜେପି ନେତୃତ୍ୱ ଏବଂ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା ଦଳର ପ୍ରଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେମାନଙ୍କ ମଧ୍ୟରେ ପ୍ରାକ୍ତନ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ଜେନା, ପ୍ରାକ୍ତନ ଉପସଭାପତି ରାଜୀବ କୁମାର ମହାନ୍ତି, ସପନ ଦାସ, ପଞ୍ଚାନନ ସାହୁ, ପ୍ରଦୀପ ମହାନ୍ତି, ବନମାଳୀ ରାଉତ, ବିମଳ ବାରିକ, କିଶୋର ଭୂୟାଁ, ବିଜୟ ସ୍ୱାଇଁ ପ୍ରମୂଖ ସାମିଲ୍ ଥିଲେ। ଏହା ପୂର୍ବରୁ ଜିଲ୍ଲା ମହିଳା ମୋର୍ଚ୍ଚାର କେତେ ଜଣ ଦଳ ଛାଡ଼ିଥିଲେ। ୬ ବର୍ଷର ପ୍ରାଥମିକ ସଭ୍ୟ ହୋଇନଥିବା ଜଣେ ବ୍ୟକ୍ତିଙ୍କୁ ଆଣି ଜିଲ୍ଲା ସଭାପତି କରାଯାଇଛି। ଯେ କି ନିଜ ଇଚ୍ଛା ଅନୁସାରେ ଦଳ ଚଳାଇଛନ୍ତି ବୋଲି ଦଳ ଛାଡ଼ିଥିବା ନେତୃତ୍ୱ ମାନେ ସେତେବେଳେ ମତବ୍ୟକ୍ତ କରିଥିଲେ। ଏବେ ସେମାନଙ୍କୁ ସମସ୍ତଙ୍କୁ ଦଳକୁ ପୁଣି ଫେରାଇ ଆଣି ପାରିବେ କି ମନମୋହନ? ନିଜ ଗୃହ ଜିଲ୍ଲା ସଭାପତିଙ୍କୁ ସାବଡ଼, ଆଉ ଭଦ୍ରକ ବିଜେପି ସଙ୍ଗଠନକୁ ସଜାଡ଼ି ପାରିବେ କି ମନମୋହନ?
-/Dev@Drath