Odiapua.com

ହରିଃ ॐ; ରାମକୃଷ୍ଣ ଏବଂ ଶିବଶମ୍ଭୁଙ୍କୁ ଅପମାନ: ନାଁ ରଖିଲେ କି ନାଁ ପକାଇଲେ ଓଡ଼ିଆ ପୁଅକୁ, ଓଡ଼ିଆ ଝିଅ ..

ଭୁବନେଶ୍ୱର: ରାମ ଗୋପାଳ ବର୍ମାଙ୍କ ଆଗାମୀ ଫିଲ୍ମରେ ଲିଡ୍ ରୋଲରେ ଅଭିନୟ କରୁଛନ୍ତି ଜଣେ ଓଡ଼ିଆ ପୁଅ ଏବଂ ଜଣେ ଓଡ଼ିଆ ଝିଅ। ଓଡ଼ିଆ ପୁଅ ଜଣଙ୍କ ନବରଙ୍ଗପୁର ଅଞ୍ଚଳର ରକି କାଚ୍ଚି ଓରଫ ରକ୍ ଏବଂ ଓଡ଼ିଆ ଝିଅ ଜଣଙ୍କ ନୟାଗଡ଼ ଅଞ୍ଚଳର ଅଙ୍କିତା ମହାରଣା ଓରଫ ଅପ୍ସରା ରାଣୀ। ଫିଲ୍ମଟିର ନାମ ହେଲା ଥ୍ରୀଲର। ଫିଲ୍ମ ଥ୍ରୀଲର, ରାମ ଗୋପାଳ ବର୍ମା, ରକି କାଚ୍ଚି ଏବଂ ବିଶେଷତଃ ଅପ୍ସରା ରାଣୀଙ୍କୁ ନେଇ ଏବେ ଭାରି ଚର୍ଚ୍ଚା। ଏ’ ଭିତରେ ଖୁବ ପପୁଲାର ହୋଇଯାଇଛନ୍ତି ଅଙ୍କିତା ମହାରଣା ଓରଫ ଅପ୍ସରା ରାଣୀ। ତେବେ ଖାଣ୍ଟି ଓଡ଼ିଆରେ ଏକ ଢେଗ ଅଛି, ଦେଉଳ ତୋଳିଲେ ନାଁ, ଆଉ ବାଟରେ – –

ଅଙ୍କିତାରୁ ଅପ୍ସରା ନାମରେ ପରିଚିତ ହୋଇଥିବା ଏହି ହିରୋଇନ୍‌ ପୂର୍ବରୁ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ନିର୍ମିତ ତଥା ରିଲିଜ୍ ହୋଇ ପାରିନଥିବା ଦ୍ୱିଭାଷୀୟ (ଓଡ଼ିଆ ଓ ତେଲୁଗୁ) ସିନେମା ପାଟଣାଗଡ଼ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ସହିତ କିଛି ତେଲଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। କିନ୍ତୁ ଅଙ୍କିତା ସେମିତି ପରିଚିତା ନଥିଲେ। ଏବେ କିନ୍ତୁ ତାଙ୍କର ଏହି ନୂଆ ଫିଲ୍ମ ଥ୍ରୀଲର ରିଲିଜ୍ ହେବା ପୂର୍ବରୁ ସେ ବେଶ ଚର୍ଚ୍ଚିତ ହୋଇଯାଇଛନ୍ତି। ଅଙ୍କିତାଙ୍କ ଟ୍ୱିଟର ଆକାଉଣ୍ଟରେ ଫଲୋର୍ସ ସଂଖ୍ୟା ହଠାତ୍ ବହୁ ପରିମାଣରେ ବଢ଼ିଯାଇଛି। ଏତେ କମ୍ ସମୟ ମଧ୍ୟରେ କୌଣସି ନବାଗତାଙ୍କର ଫଲୋର୍ସ ସଂଖ୍ୟା ଏତେ ବଢ଼ିଯିବା ବଲିଉଡରେ ପ୍ରଥମ ବୋଲି କୁହାଯାଉଛି। ତେବେ, ଡେରାଡୁନ୍‌ରେ ଜନ୍ମିତ ତଥା ହାଇଦ୍ରାବାଦରେ ରହୁଥିବା ଏହି ଓଡ଼ିଆ ଝିଅ ଅଙ୍କିତାଙ୍କ କାରନାମା ପାଇଁ ଓଡ଼ିଶା ଗର୍ବିତ ନୁହେଁ ବରଂ ଲଜ୍ଜାରେ ମୁଣ୍ଡ ତଳକୁ ହେଇଯାଉଛି। ନିଜର ଅଭିନୟ ଯାତ୍ରା ସଂପର୍କରେ ସୂଚନା ଦେଇ ଅଙ୍କିତା କୁଆଡ଼େ କହିଛନ୍ତି ଯେ, ପ୍ରତ୍ୟେକ ମଣିଷ ନିଜର ନିଷ୍ଠା ଏବଂ ପରିଶ୍ରମ ମାଧ୍ୟମରେ ବହୁତ ଉପରକୁ ଯାଇପାରେ। ମୁଁ କେବଳ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି। ସମସ୍ତଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ମୋ’ ସହିତ ରହିଛି, ଏହା ମୋର ଭାଗ୍ୟ। ତେବେ, ବାସ୍ତବରେ ସେ ତାଙ୍କର କୌଣସି ପ୍ରତିଭା ପାଇଁ କିମ୍ବା ନିଖୁଣ ଅଭିନୟ କଳା ପାଇଁ ନୁହେଁ, ନିଜର ଅର୍ଦ୍ଧନଗ୍ନ ଅବତାର ଏବଂ ବୋଲ୍‌ଡ ଫଟୋ ପାଇଁ ଚର୍ଚ୍ଚାର ଝଡ଼ ସୃଷ୍ଟି କରିଛନ୍ତି। ସଂସ୍କୃତି ସଂପର୍ଣ୍ଣ ଓଡ଼ିଶାର ଏହି ଝିଅ ଅପସଂସ୍କୃତି ପାଇଁ ଆଜି ପରିଚିତ ହୋଇଛନ୍ତି। ପ୍ରଥମେ ନିଜ ଫିଲ୍ମର ପବ୍ଲିସିଟି ପାଇଁ ଓଡ଼ିଶାକୁ ଅପମାନ କଲା ଭଳି ରାମ ଗୋପାଳ ଏକ ଟ୍ୱିଟ କରିଥିଲେ ଯେ, ସେ କୁଆଡ଼େ ୧୯୯୯ ମସିହା ମହାବାତ୍ୟା ପରେ ଓଡ଼ିଶା ବିଷୟରେ ବହୁତ କମ୍ ଜାଣିଥିଲେ। କିନ୍ତୁ, ଅପ୍ସରାଙ୍କ ସହିତ ଭେଟ ହେବା ପରେ ଓଡ଼ିଶା ଅନେକ ପ୍ରକାରର ଝଡ଼ ସୃଷ୍ଟି କରିପାରେ ବୋଲି ତାଙ୍କର ଅନୁଭବ ହେଲା। ଓଡ଼ିଶାରେ ଏମିତି ସୁନ୍ଦରୀ ଅଛନ୍ତି ବୋଲି ଜଣାପଡ଼ିଲା। ରାମଗୋପାଳ ବର୍ମାଙ୍କ ଏପରି ବିବାଦୀୟ ଟ୍ୱିଟ୍‌ ପରେ ଚର୍ଚ୍ଚାର ଝଡ଼ ସୃଷ୍ଟି କରିଥିଲେ ବୋଲ୍‌ଡ ଅଭିନେତ୍ରୀ ଅପ୍‌ସରା ରାଣୀ।

ଏବେ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର ରିଲିଜ୍ ହୋଇଛି। ରାମ ଗୋପାଳ ବର୍ମା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଫିଲ୍ମଟିର ଟ୍ରେଲର ରିଲିଜ୍ କରିଛନ୍ତି। ଯେଉଁଥିରେ ସବୁ ସୀମା ଉଲଘଂନ ହୋଇଯାଇଛି। ରାମ ଗୋପାଳ ବର୍ମା କେବଳ ଯେ ଓଡ଼ିଶାର ସଂସ୍କୃତିକୁ ଅପମାନ କରିଥିଲେ ତାହା ନୁହେଁ, ଏବେ ଫିଲ୍ମଟିର ଟ୍ରେଲର ରିଲିଜ୍ ପରେ ଜଣାପଡ଼ିଛି ଯେ ଏଥିରେ ହିନ୍ଦୁ ଧର୍ମ ଏବଂ ହିନ୍ଦୁ ଦେବତାଙ୍କୁ ଅପମାନ କରାଯାଇଛି। ଟ୍ରେଲରରେ ଦେଖିବାକୁ ମିଳୁଛି ହିରୋ ଏବଂ ହିରୋଇନଙ୍କ ଅତ୍ୟନ୍ତ ଉତ୍ତେଜକ ଦୃଶ୍ୟ ଏବଂ ସେଥିରେ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକରେ ଶୁଭୁଛି ହରିଃ ॐ ସହିତ ରାମ, କୃଷ୍ଣ, ଶିବଶମ୍ଭୁ ଆଦି ହିନ୍ଦୁ ଦେବତାଙ୍କ ନାମ। ଯାହାକୁ ନେଇ ଆଗକୁ ହୁଏତ ଏକ ବଡ଼ ବିବାଦ ସୃଷ୍ଟି ହୋଇପାରେ। ତେବେ, ଦୁଃଖଦ କଥା ପ୍ରଥମେ ଓଡ଼ିଶା ଏବଂ ପରେ ହିନ୍ଦୁ ଧର୍ମ ଏବଂ ହିନ୍ଦୁ ଦେବଦେବୀଙ୍କୁ ଏପରି ଅପମାନ କରିବା ପଛରେ ରାମ ଗୋପାଳ ବର୍ମାଙ୍କ କୁତ୍ସିତ ପ୍ରୟାସରେ ସାମିଲ ଅଛନ୍ତି ଦୁଇ ଓଡ଼ିଆ ପୁଅ ଆଉ ଝିଅ। ବାସ୍ତବରେ ନାଁ ରଖିଲେନି, ନାଁ ପକାଇଲେ ଏହି ଦୁଇ ଓଡ଼ିଆ ପୁଅକୁ ଓଡ଼ିଆ ଝିଅ। ଲଜ୍ଜା – /ଦେବଦତ୍ତ ରଥ Image Credit – https://twitter.com/RGVzoomin