Odiapua.com

ଆଇଆଇଏମସିରେ ଓଡିଆ ସାମ୍ବାଦିକତା ନାମଲେଖା ବିଜ୍ଞାପନ ପ୍ରକାଶିତ

ଭୁବନେଶ୍ୱର ୪-୭ (ଓଡ଼ିଆ ପୁଅ) ଢେଙ୍କାନାଳଠାରେ ଥିବା ଜାତୀୟ ସ୍ତରର ଗଣମାଧ୍ୟମ ଶିକ୍ଷା ପ୍ରତିଷ୍ଠାନ ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମସି)ରେ ଓଡିଆ ସାମ୍ବାଦିକତାରେ ନାମଲେଖା ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଛି। ୨୦୨୦-୨୧ ଶିକ୍ଷାବର୍ଷ ନିମନ୍ତେ ଛାତ୍ରଛାତ୍ରୀମାନେ ଚଳିତ ଜୁଲାଇ ମାସ ୨୭ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରିପାରିବେ। ଆସନ୍ତା ମାସ ଅଗଷ୍ଟ ୪ ତାରିଖରେ ଓଡିଆ ସାମ୍ବାଦିକତା ନିମନ୍ତେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

ଓଡିଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ହୋଇଥିବା ଦରକାର। ଯେଉଁମାନେ ଚଳିତ ବର୍ଷ ସ୍ନାତକ ଶ୍ରେଣୀ ପରୀକ୍ଷା ଦେଇଛନ୍ତି, ସେମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ଦାଖଲ କରିବାକୁ ପଡି଼ବ। ଓଡିଆ ପାଠ୍ୟକ୍ରମ ନିମନ୍ତେ ଆବେଦନର ବୟସ ସୀମା ସର୍ବାଧିକ ୨୫ ବର୍ଷ ହୋଇଥିବା ବେଳେ ସଂରକ୍ଷିତ ବର୍ଗଙ୍କ ନିମନ୍ତେ ସରକାରୀ ନିୟମ ଅନୁସାରେ ବୟସ କୋହଳ କରାଯାଇଛି। ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ଢେଙ୍କାନାଳରେ ଓଡିଆ ସାମ୍ବାଦିକତା ପାଠ୍ୟକ୍ରମରେ ସମୁଦାୟ ୨୫ଟି ସ୍ଥାନ ରହିଛି।

ଜାତୀୟ ସ୍ତରରେ ଭାଷା ସାମ୍ବାଦିକତା ଆରମ୍ଭ କରିବାରେ ଆଇଆଇଏମସି ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ସ୍ୱୟଂଶାସିତ ଅନୁଷ୍ଠାନ ୨୦୦୧-୦୨ ମସିହାରେ ଓଡ଼ିଆ ଭାଷାରେ ସାମ୍ବାଦିକତା ଶିକ୍ଷା ପ୍ରଦାନ ଆରମ୍ଭ କରିଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଏହା ଜାତୀୟ ସ୍ତରରେ ସବୁଠାରୁ ସଫଳ ଭାଷା ସାମ୍ବାଦିକତା ଶିକ୍ଷା ଭାବେ ବିବେଚିତ ହୋଇଛି। ଆଇଆଇଏମସିରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ଗଣମାଧ୍ୟମ, ପ୍ରତିଷ୍ଠାନ, ସରକାରୀ ପଦବୀ ଓ କମ୍ପାନୀମାନଙ୍କରେ ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି।