Odiapua.com

୭୪ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ବାର୍ତ୍ତାର ଓଡ଼ିଆ ଅନୁବାଦ

ପ୍ରିୟ ଦେଶବାସୀ,

ନମସ୍କାର ।

୧- ୭୪ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶ ଓ ବିଦେଶରେ ରହୁଥିବା ସବୁ ଭାରତୀୟଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଅଗଷ୍ଟ ୧୫ ଆମକୁ ତ୍ରିରଙ୍ଗା ପତାକା ଉତ୍ତୋଳନ ସହିତ ଏହି ଉତ୍ସବରେ ଅଂଶଗ୍ରହଣ ଏବଂ ଦେଶାତ୍ମବୋଧକ ସଂଗୀତ ଶୁଣିବାର ଉତ୍ସାହ ଦିଏ। ଏହି ଦିବସରେ ଦେଶର ଯୁବ ସମାଜ ଏକ ସ୍ୱାଧୀନ ଭାରତର ନାଗରିକ ହେବାର ସ୍ୱତନ୍ତ୍ର ଗର୍ବ ଅନୁଭବ କରିବା ଉଚିତ। ଏକ ସ୍ୱାଧୀନ ରାଷ୍ଟ୍ରରେ ବଞ୍ଚିବା ପାଇଁ ନିଜ ଜୀବନ ଉତ୍ସର୍ଗ କରି ଆମକୁ ସମର୍ଥ କରିଥିବା ଆମର ସ୍ୱାଧୀନତା ସଂଗ୍ରାମୀ ଓ ଶହୀଦମାନଙ୍କୁ ଆମେ ଏହି ଅବସରରେ କୃତଜ୍ଞତାର ସହ ସ୍ମରଣ କରୁଛୁ।

୨- ଆମ ସ୍ୱାଧୀନତା ସଂଗ୍ରାମର ସ୍ୱଭାବ ଓ ସଦାଚାର ଆଧୁନିକ ଭାରତର ମୂଳଦୁଆ ପ୍ରତିଷ୍ଠା କରିଛି। ଆମର ଦୂରଦୃଷ୍ଟି ସଂପନ୍ନ ନେତୃଗଣ ମିଳିତଭାବେ ଏକ ବିବିଧ ବିଶ୍ୱ ଦୃଷ୍ଟିକୋଣରେ ଗୋଟିଏ ସାଧାରଣ ଜାତୀୟ ଚେତନା ସୃଷ୍ଟି କରିଥିଲେ। ଅତ୍ୟାଚାରୀ ବିଦେଶୀ ଶାସନରୁ ଭାରତମାତାକୁ ମୁକ୍ତକରି ତାହାର ସନ୍ତାନମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସେମାନେ ଅଙ୍ଗୀକୃତ ଥିଲେ। ସେମାନଙ୍କ ବିଚାର ଓ କାର୍ଯ୍ୟ ଏକ ଆଧୁନିକ ରାଷ୍ଟ୍ରର ପରିଚୟକୁ ଆକାର ଦେଇଥିଲା।

୩- ଆମେ ଭାଗ୍ୟବାନ ଯେ ମହାତ୍ମା ଗାନ୍ଧୀ ଆମ ମୁକ୍ତି ଆନ୍ଦୋଳନର ଦିଗ୍‌ଦ୍ରଷ୍ଟା ଓ ଆଲୋକବର୍ତ୍ତିକା ଥିଲେ। ସେ ଉଭୟ ସନ୍ଥ ଓ ରାଜନେତାଭାବେ ଏକ ସଂବୃତିରେ ପରିଣତ ହୋଇଥିଲେ, ଯାହା କେବଳ ଭାରତରେ ସମ୍ଭବ ହୋଇଥିଲା। ସାମାଜିକ ଅସ୍ଥିରତା, ଆର୍ଥିକ ସମସ୍ୟା, ଜଳବାୟୁ ପରିବର୍ତ୍ତନ ଆଦି ସମସ୍ୟା ଦ୍ୱାରା ଜର୍ଜରିତ ହୋଇପଡିଥିବା ସମଗ୍ର ବିଶ୍ୱ ଏଥିରୁ ପରିତ୍ରାଣ ପାଇବା ପାଇଁ ଗାନ୍ଧୀଜୀଙ୍କ ଦର୍ଶନ ଓ ଶିକ୍ଷାରୁ ବାଟ ଖୋଜୁଛି। ସମାନତା ଓ ନ୍ୟାୟ ପାଇଁ ତାଙ୍କ ଅନ୍ୱେଷଣ ଆମ ସାଧାରଣତନ୍ତ୍ରର ମନ୍ତ୍ର ପାଲଟିଛି। ଯୁବ ପିଢି ଗାନ୍ଧୀଜୀଙ୍କୁ ପୁନଃ ଆବିଷ୍କାର କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ।

ପ୍ରିୟ ଦେଶବାସୀ

୪- ଚଳିତ ବର୍ଷର ସ୍ୱାଧୀନତା ଦିବସ ଉତ୍ସବ ପାଳନରେ କିଛିଟା ସଂଯମ ଓ ନିୟନ୍ତ୍ରଣ ରହିବ। ଏହାର କାରଣ ସମସ୍ତଙ୍କୁ ଜଣା। ଏକ ଭୟାନକ ଭୂତାଣୁ ସହ ସମଗ୍ର ବିଶ୍ୱ ଏବେ ଲଢେଇ କରୁଛି। ଏହାର ସଂକ୍ରମଣ ଯୋଗୁଁ ସମସ୍ତ ପ୍ରକାର କାର୍ଯ୍ୟ ବ୍ୟାହତ ହୋଇଛି ଏବଂ ବହୁ ଲୋକ ପ୍ରାଣ ହରାଇଛନ୍ତି। ଆମେ ପୂର୍ବରୁ ଯେଉଁ ପୃଥିବୀରେ ବଞ୍ଚିଥିଲୁ ତାହାକୁ ଏହି ମହାମାରୀ ବଦଳାଇ ଦେଇଛି।

୫- ଏହା ଆଶ୍ୱସ୍ତିର ବିଷୟ ଯେ କେନ୍ଦ୍ର ସରକାର ଏହି ମହାମାରୀର ବିରାଟ ଆହ୍ୱାନକୁ ଯଥେଷ୍ଟ ପୂର୍ବରୁ ଅନୁମାନ କରି ଉପଯୁକ୍ତ ସମୟରେ ଆବଶ୍ୟକ ପଦକ୍ଷେପମାନ ସଫଳତାର ସହ ଗ୍ରହଣ କରିଥିଲେ। ଭାରତ ଭଳି ଏକ ବିରାଟ ଓ ବିପୁଳ ଜନସଂଖ୍ୟା ବିଶିଷ୍ଟ ବିବିଧତାପୂର୍ଣ୍ଣ ଦେଶରେ ଏଭଳି ଆହ୍ୱାନର ମୁକାବିଲା କରିବା ପାଇଁ ଦୃଢ ମାନବୀୟ ଦକ୍ଷତା ଓ ଉଦ୍ୟମ ଦରକାର ପଡେ। ସ୍ଥାନୀୟ ସ୍ଥିତିକୁ ବିଚାରକୁ ନେଇ ସବୁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିଥିଲେ। ଜନସାଧାରଣ ମଧ୍ୟ ଏଥିରେ ପୂର୍ଣ୍ଣପ୍ରାଣରେ ସହାୟତା ଯୋଗାଇଥିଲେ। ଆମର ଅଙ୍ଗୀକୃତ ପ୍ରୟାସ ଦ୍ୱାରା ଆମେ ମହାମାରୀର ବ୍ୟାପକ ପ୍ରଭାବକୁ ନିୟନ୍ତ୍ରିତ ତଥା ସୀମିତ କରିବାରେ ସଫଳ ହୋଇଛୁ। ଏହାଦ୍ୱାରା ଅନେକ ଜୀବନ ରକ୍ଷା ପାଇଛି। ବୃହତ୍ତର ବିଶ୍ୱପାଇଁ ଏହା ଏକ ଉଦାହରଣ।

୬- ଚିକିତ୍ସକ, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ପାଖରେ ଦେଶ ଋଣୀ। ସେମାନେ ନିରନ୍ତର ଏହି ଭୂତାଣୁ ବିରୋଧୀ ଲଢେଇର ସମ୍ମୁଖ ଭାଗରେ ରହିଛନ୍ତି। ଦୁର୍ଭାଗ୍ୟର ବିଷୟ ହେଲା ସେମାନଙ୍କ ମଧ୍ୟରୁ ଅନେକ ଏହି ମହାମାରୀ ଲଢିବାବେଳେ ନିଜର ଜୀବନ ହରାଇଛନ୍ତି। ସେମାନେ ଆମ ରାଷ୍ଟ୍ରର ନାୟକ। ସବୁ କରୋନା ଯୋଦ୍ଧା ଉଚ୍ଚପ୍ରଶଂସାର ପାତ୍ର। ସେମାନେ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟର ବହୁ ଊର୍ଦ୍ଧ୍ଵକୁ ଯାଇ ଲୋକଙ୍କ ଜୀବନ ରକ୍ଷା କରିବା ସହିତ ଅତ୍ୟାବଶ୍ୟକ ସେବାକୁ ନିଶ୍ଚିତ କରିଛନ୍ତି। ଏହି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ବିପର୍ଯ୍ୟୟ ପରିଚାଳନା ଦଳର ସଦସ୍ୟ, ପୁଲିସ କର୍ମଚାରୀ, ସଫେଇ କର୍ମଚାରୀ, ଡେଲିଭରି ଷ୍ଟାଫ୍‌, ପରିବହନ, ରେଳବାଇ ଓ ବିମାନ କର୍ମଚାରୀ, ବିଭିନ୍ନ ସେବା ଯୋଗାଣକାରୀ, ସରକାରୀ କର୍ମଚାରୀ, ସମାଜସେବୀ ସଂଗଠନ ଏବଂ ଦୟାଳୁ ନାଗରିକମାନେ ଅଦମ୍ୟ ସାହସ ଓ ନିଃସ୍ୱାର୍ଥ ସେବାର ପ୍ରେରଣାଦାୟୀ କାହାଣୀମାନ ରଚନା କରୁଛନ୍ତି। ସହର ବଜାର ଯେତେବେଳେ ନିରବୀ ଯାଉଛି ଏବଂ ରାସ୍ତାଘାଟ ଯେତେବେଳେ ଜନଶୂନ୍ୟ ପାଲଟୁଛି, ସେମାନେ ସେତେବେଳେ ଅକ୍ଳାନ୍ତ ପରିଶ୍ରମ କରି ଲୋକେ ଯେପରି ସ୍ୱାସ୍ଥ୍ୟସେବା, ରିଲିଫ, ପାନୀୟଜଳ, ବିଜୁଳି, ପରିବହନ ଓ ଯୋଗାଯୋଗ ସୁବିଧା, କ୍ଷୀର ଓ ପନିପରିବା, ଖାଦ୍ୟ ଓ ଦୋକାନ ସଉଦା, ଔଷଧପତ୍ର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀରୁ ବଞ୍ଚିତ ନ ହୁଅନ୍ତି ତାହା ନିଶ୍ଚିତ କରୁଛନ୍ତି। ସେମାନେ ନିଜ ଜୀବନକୁ ବିପନ୍ନ କରି ଆମ ଜୀବନ ଓ ଜୀବିକାକୁ ସୁରକ୍ଷିତ କରିଛନ୍ତି। ଏହି ସଂକଟକାଳରେ ଅମ୍ଫନ ବାତ୍ୟା ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବିତ୍ପାତ ସୃଷ୍ଟି କରିଥିଲା। ବିପର୍ଯ୍ୟୟ ପରିଚାଳନା ଟିମ୍‌ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ତଥା ସତର୍କ ନାଗରିକମାନଙ୍କ ମିଳିତ ପ୍ରୟାସ ଫଳରେ ଜୀବନହାନିକୁ ଯଥେଷ୍ଟ ହ୍ରାସ କରାଯାଇପାରିଥିଲା। ଦେଶର ଉତ୍ତର ପୂର୍ବାଞ୍ଚଳ ଓ ପୂର୍ବ ଭାଗରେ ଏବେ ବନ୍ୟା ବିତ୍ପାତ ଦ୍ୱାରା ଲୋକେ ପ୍ରଭାବିତ। ସେମାନଙ୍କ ଜୀବନଯାତ୍ରା ବ୍ୟାହତ ହୋଇଛି। ବିପର୍ଯ୍ୟୟର ଏହି ସମୟରେ ସମାଜର ସବୁ ବର୍ଗର ଲୋକେ ମିଳିମିଶି ଦୁର୍ଦ୍ଦଶାଗ୍ରସ୍ତଙ୍କୁ ସହାୟତା କରିବା ସନ୍ତୋଷଜନକ ବିଷୟ।

ପ୍ରିୟ ନାଗରିକ,

୮- ମହାମାରୀ ଦ୍ୱାରା ଗରିବ ଓ ଦିନମଜୁରିଆ ଅଧିକ ପ୍ରଭାବିତ ହୋଇଛନ୍ତି। ସଂକଟର ଏହି କ୍ଷଣରେ ସେମାନଙ୍କୁ ସାହାଯ୍ୟ ଓ ସମର୍ଥନ କରିବା ପାଇଁ ଭୂତାଣୁ ନିୟନ୍ତ୍ରଣ କାର୍ଯ୍ୟ ସହିତ କଲ୍ୟାଣକାରୀ କାର୍ଯ୍ୟମାନ ମଧ୍ୟ ହାତକୁ ନିଆଯାଇଛି। ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରି କୋଟି କୋଟି ଲୋକଙ୍କୁ ସେମାନଙ୍କର ଜୀବିକା ଅର୍ଜନର ସୁଯୋଗ ଦେଇଛନ୍ତି। ଏହା ଫଳରେ ନିଯୁକ୍ତି ହାନି, ବିଚ୍ଛିନ୍ନ ହୋଇରହିବା ଏବଂ ଇତଃସ୍ତତ ଅବସ୍ଥାରେ କାଳାତିପାତ କରିବାର ପ୍ରଭାବ ହ୍ରାସ ପାଇଛି। ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଲୋକଙ୍କୁ ସହାୟତାର ହାତ ବଢାଉଛନ୍ତି। ଏହି କାର୍ଯ୍ୟରେ କର୍ପୋରେଟ ଉଦ୍ୟୋଗ, ନାଗରିକ ସମାଜ ଓ ନାଗରିକମାନେ ପୂର୍ଣ୍ଣପ୍ରାଣରେ ସହଯୋଗ କରୁଛନ୍ତି।

୯- ଅତି ଅଭାବୀ ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି। ଫଳରେ କୌଣସି ପରିବାର ଭୋକିଲା ରହିବାର ଅବକାଶ ନାହିଁ। ଭାରତରେ ଚାଲିଥିବା ଏହି ସର୍ବବୃହତ୍‌ ମାଗଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମର ସମୟସୀମାକୁ ଚଳିତବର୍ଷ ନଭେମ୍ବର ଶେଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଏହା ମାଧ୍ୟମରେ ପ୍ରତି ମାସରେ ୮୦ କୋଟି ପରିବାରକୁ ଅନ୍ନ ସଂସ୍ଥାନ ଯୋଗାଣର ବ୍ୟବସ୍ଥା କରାଯାଇଛି। ପ୍ରବାସୀ ଓ ଇତଃସ୍ତତ ଭ୍ରମଣ କରୁଥିବା ରାସନ କାର୍ଡଧାରୀ ଶ୍ରମିକଙ୍କୁ ଦେଶର ଯେକୌଣସି ସ୍ଥାନରେ ପଡି ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା ସରକାର କରିଛନ୍ତି। ଏକ ଦେଶ ଏକ ରାସନ କାର୍ଡ ଯୋଜନାରେ ସବୁ ରାଜ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି।

୧୦- ବିଶ୍ୱର ଯେକୌଣସି ସ୍ଥାନରେ ଅଟକି ରହିଥିବା ଆମ ଦେଶର ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଆମ ସରକାର ବଦ୍ଧପରିକର ହୋଇ କାର୍ଯ୍ୟ କରୁଛନ୍ତି। ଏଯାଏଁ ୧୦ ଲକ୍ଷରୁ ଅଧିକ ଭାରତୀୟଙ୍କୁ ବନ୍ଦେ ଭାରତ ଯୋଜନାରେ ବିଦେଶରୁ ସ୍ୱଦେଶ ଫେରାଇ ଅଣାଗଲାଣି। ଏହି ଆହ୍ୱାନମୂଳକ ପରିସ୍ଥିତିରେ ଭାରତୀୟ ରେଳବାଇ ଯାତ୍ରୀ ଓ ମାଲ ପରିବହନ ସେବା ମଧ୍ୟ ଜାରି ରଖିଛି।

୧୧- ଆମ ସାମର୍ଥ୍ୟରେ ଆମେ ବିଶ୍ୱାସ ରଖିଥିବାବେଳେ କରୋନା ମହାମାରୀର ମୁକାବିଲାରେ ଅନ୍ୟାନ୍ୟ ଦେଶକୁ ମଧ୍ୟ ସାହାଯ୍ୟ ସହଯୋଗ ଯୋଗାଉଛୁ। ଯେଉଁସବୁ ଦେଶ ଆମକୁ ଔଷଧପତ୍ର ଯୋଗାଇବାକୁ ଅନୁରୋଧ କରିଥିଲେ ଆମେ ତାହା ଯୋଗାଇ ଦେଇଛୁ। ଏହି କାର୍ଯ୍ୟ ମାଧ୍ୟମରେ ଆମେ ପୁଣି ଥରେ ପ୍ରମାଣ କରିଛୁ ଯେ ଦୁଃଖଦୁର୍ଦ୍ଦଶା ସମୟରେ ଭାରତ ବିଶ୍ୱ ସମୁଦାୟ ସହ ଛିଡ଼ା ହେବାକୁ ସମର୍ଥ। ମହାମାରୀର ସଫଳ ମୁକାବିଲା ପାଇଁ ଆଞ୍ଚଳିକ ଓ ବୈଶ୍ୱିକ ସ୍ତରରେ ରଣନୀତି ପ୍ରସ୍ତୁତ କରିବାରେ ଆମେ ଆଗରେ ରହିଛୁ। ମିଳିତ ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଭ୍ୟପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ଭାରତ ଯେଉଁ ବିପୁଳ ସମର୍ଥନ ପାଇଲା ତାହା ଭାରତ ପ୍ରତି ଆନ୍ତର୍ଜାତିକ ସ୍ତରରେ ଥିବା ଶୁଭେଚ୍ଛାର ଏକ ନିଦର୍ଶନ।

୧୨- ଆମେ ନିଜ ପାଇଁ କେବଳ ବଞ୍ଚିବାରେ ବିଶ୍ୱାସ କରୁନା, ସମଗ୍ର ବିଶ୍ୱର କଲ୍ୟାଣ କଥା ମଧ୍ୟ ଚିନ୍ତା କରୁ। ଏହା ଭାରତର ଏକ ପରମ୍ପରା। ଭାରତର ଆତ୍ମନିର୍ଭରଶୀଳତାର ଅର୍ଥ ଅନ୍ୟଠାରୁ ଦୂରେଇ ଯାଇ ବା ପୃଥକ ରହି ଆତ୍ମନିର୍ଭର ହେବା ନୁହେଁ। ଏହାର ଅର୍ଥ ନିଜେ ନିଜର ଆବଶ୍ୟକତା ପୂରଣ କରି ଆତ୍ମନିର୍ଭର ହେବା। ନିଜର ପରିଚୟ ବଜାୟ ରଖି ବିଶ୍ୱ ଅର୍ଥନୀତିରେ ନିଜର ସହଯୋଗ ଅବ୍ୟାହତ ରଖିବାକୁ ଭାରତ ଅଙ୍ଗୀକୃତ।

ପ୍ରିୟ ଦେଶବାସୀ,

୧୩- ବସୁଧୈବ କୁଟୁମ୍ବକମ୍‌ ବା ସମଗ୍ର ବିଶ୍ୱ ଏକ ପରିବାର ଭଳି ଯେଉଁକଥା ଆମ ମୁନିଋଷିମାନେ କହିଥିଲେ ସମଗ୍ର ବିଶ୍ୱ ଏବେ ତାହା ବୁଝୁଛି। ସାରା ଦୁନିଆ ଯେତେବେଳେ ମିଳିତଭାବେ ମାନବ ସମାଜ ଆଗରେ ଦେଖାଦେଇଥିବା ଆହ୍ୱାନର ମୁକାବିଲା କଥା ଚିନ୍ତା କରୁଛି ଠିକ୍‌ ସେତିକିବେଳେ ଆମ ପଡ଼ିଶାରେ କେହି ଜଣେ ତାହାର ବିସ୍ତାରବାଦୀ ଦୁଃସାହସ ଦେଖାଉଛି। ସୀମାର ସୁରକ୍ଷା ପାଇଁ ଆମ ସାହସୀ ସୈନିକମାନେ ଶହୀଦ ହୋଇଛନ୍ତି। ଭାରତମାତାର ଏହି ସୁଯୋଗ୍ୟ ସନ୍ତାନମାନେ ଜାତୀୟ ଗର୍ବ ଓ ଗୌରବ ପାଇଁ ବଞ୍ଚିଥିଲେ ଏବଂ ସମାନ ଉଦ୍ଦେଶ୍ୟରେ ଶହୀଦ ହୋଇଛନ୍ତି। ଗଲୱାନ ଉପତ୍ୟକାର ଏହି ଶହୀଦମାନଙ୍କୁ ସମଗ୍ର ଦେଶ ସାଲ୍ୟୁଟ କରୁଛି। ପ୍ରତ୍ୟେକ ଭାରତୀୟ ଏହି ଶହୀଦମାନଙ୍କ ପରିବାର ନିକଟରେ କୃତଜ୍ଞ। ଯୁଦ୍ଧରେ ଆମର ଏହି ସାହସିକତା ଦେଖାଇ ଦେଇଛି ଯେ ଆମେ ଶାନ୍ତିରେ ବିଶ୍ୱାସ କରୁଥିଲେ ହେଁ ଆକ୍ରମଣର ଉଚିତ ଜବାବ ଦେବାକୁ ସକ୍ଷମ। ଆମ ପ୍ରତିରକ୍ଷା ବାହିନୀ, ଅର୍ଦ୍ଧସାମରିକ ବାହିନୀ ଏବଂ ପୁଲିସ ବାହିନୀର ସଦସ୍ୟଙ୍କ ପାଇଁ ଆମେ ଗର୍ବିତ। ସେମାନେ ଆମ ସୀମାକୁ ସୁରକ୍ଷିତ କରିବା ସହ ଆମର ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁରକ୍ଷିତ କରିଛନ୍ତି।

୧୪- କରୋନା ବିରୋଧୀ ଲଢେଇରେ ଉଭୟ ଜୀବନ ଓ ଜୀବିକାର ସୁରକ୍ଷା ଅତ୍ୟାବଶ୍ୟକ ବୋଲି ମୁଁ ବିଚାର କରେ। ସାଂପ୍ରତିକ ସଂକଟକୁ ଏକ ସୁଯୋଗଭାବେ ଗ୍ରହଣ କରି ଏହି ଅବସରରେ ଆମେ ଆମ ଅର୍ଥନୀତିକୁ ସୁଦୃଢ କରିବାକୁ କେତେକ ସଂସ୍କାର ଆରମ୍ଭ କରିଛୁ। ଏହା ସମସ୍ତଙ୍କ କଲ୍ୟାଣ ଓ ହିତପାଇଁ ଉଦ୍ଦିଷ୍ଟ। ଏଥିରେ କୃଷକ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି କ୍ଷେତ୍ରରେ ଐତିହାସିକ ସଂସ୍କାର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏବେ ଚାଷୀ ବାଧାମୁକ୍ତ କାରବାରର ସୁଯୋଗ ପାଇବେ। ନିଜର ଉତ୍ପାଦିତ ସାମଗ୍ରୀ ପାଇଁ ସର୍ବୋତ୍ତମ ମୂଲ୍ୟ ପାଇବାକୁ ସେମାନେ ଦେଶର ଯେକୌଣସି ସ୍ଥାନରେ ନିଜ ସାମଗ୍ରୀ ବିକି ପାରିବେ। ଚାଷୀଙ୍କ ପାଇଁ ଥିବା କେତେକ କଟକଣାକୁ ଉଚ୍ଛେଦ କରିବାକୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ କରାଯାଇଛି। ଏହା ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ।

ପ୍ରିୟ ନାଗରିକ,

୧୫- ୨୦୨୦ ବର୍ଷରେ ଆମେ କିଛି କଠୋର ଶିକ୍ଷା ପାଇଲେ। ମଣିଷ ପ୍ରକୃତିର ପ୍ରଭୁ ବୋଲି ଯେଉଁ ଧାରଣା ଥିଲା ଏକ ଅଦୃଶ୍ୟ ଭୂତାଣୁ ତାହାକୁ ମିଥ୍ୟା ପ୍ରମାଣିତ କରିଛି। ମୁଁ ଭାବୁଛି ମଣିଷ ନିଜକୁ ସଂଶୋଧନ କରି ପ୍ରକୃତି ସହ ସମନ୍ୱୟ ରକ୍ଷା ପୂର୍ବକ ବଞ୍ଚିବା ପାଇଁ ଏବେ ବି ଅଧିକ ବିଳମ୍ବ ହୋଇନାହିଁ। ମହାମାରୀ ଓ ଜଳବାୟୁ ପରିବର୍ତ୍ତନ ଭଳି ଘଟଣାବଳୀ ବିଶ୍ୱ ସମୁଦାୟକୁ ଆମର ମିଳିତ ଭାଗ୍ୟ ସଂପର୍କରେ ଚେତାଇ ଦେଇଛି। ମୋ ବିଚାରରେ ବର୍ତ୍ତମାନ ପରିସ୍ଥିତିରେ ମାନବ କୈନ୍ଦ୍ରିକ ସହଯୋଗ, ଅର୍ଥ କୈନ୍ଦ୍ରିକ ସମାବେଶଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହି ପରିବର୍ତ୍ତନ ଯେତେ ଶୀଘ୍ର ହେବ ତାହା ମାନବ ସମାଜ ପାଇଁ ଅଧିକ ମଙ୍ଗଳକର ହୋଇପାରିବ। ମତଭେଦକୁ ଦୂରକରି ମାନବିକତା ଆଧାରରେ ବିଶ୍ୱକୁ ସୁରକ୍ଷିତ କରିବା ପାଇଁ ସହଯୋଗ ଭିତ୍ତିରେ କାମ କରିବା ନିମନ୍ତେ ଏକବିଂଶ ଶତାବ୍ଦୀକୁ ମନେ ରଖିବା ଉଚିତ।

୧୬- ଦ୍ୱିତୀୟ ଶିକ୍ଷାଟି ହେଉଛି- ଆମେ ସମସ୍ତେ ପ୍ରକୃତି ମା’ ନିକଟରେ ସମାନ। ଆମେ ଆମର ଜୀବନଧାରଣ ଓ ଅଭିବୃଦ୍ଧି ପାଇଁ ମୁଖ୍ୟତଃ ଆମ ସାଥୀନିବାସୀଙ୍କ ଉପରେ ନିର୍ଭର କରୁ। କରୋନା ସଂକ୍ରମଣ ମଣିଷ ସମାଜ ଦ୍ୱାର ସୃଷ୍ଟ। ଏହା କୃତ୍ରିମ ବିଭାଜନକୁ ଚିହ୍ନେନା। ଏଥିରୁ ଆମର ଶିକ୍ଷା ହେଲା ଆମକୁ ସମସ୍ତ ମନୁଷ୍ୟକୃତ ବିଭେଦ, ଧାରଣା, ପକ୍ଷପାତି ବିଚାର ଓ ପ୍ରତିବନ୍ଧକର ଉପରକୁ ଉଠିବାକୁ ପଡିବ। କରୁଣା ଏବଂ ପାରସ୍ପରିକ ସାହାଯ୍ୟ ଭାରତୀୟମାନଙ୍କ ଏକ ମୌଳିକ ମୂଲ୍ୟବୋଧ। ଆମ ଆଚରଣରେ ଏହାକୁ ଆଗକୁ ଅଧିକ ଦୃଢୀଭୂତ କରିବାକୁ ପଡିବ। ତେବେ ଯାଇ ଆମେ ସମସ୍ତଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ତିଆରି କରିପାରିବା।

୧୭- ସ୍ୱାସ୍ଥ୍ୟଗତ ଭିତ୍ତିଭୂମି ଓ ସୁବିଧା ସୁଯୋଗ ବଢାଇବା ଏହି ମହମାରୀର ତୃତୀୟ ଶିକ୍ଷା। ସରକାରୀ ହସପିଟାଲ ଓ ପରୀକ୍ଷାଗାରଗୁଡିକ କରୋନା ମହାମାରୀ ଲଢେଇରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି। ସରକାରୀ ସ୍ୱାସ୍ଥ୍ୟସେବା ଫଳରେ ଗରିବ ଲୋକେ ମହାମାରୀର ମୁକାବିଲା କରିବାରେ ସମର୍ଥ ହୋଇଛନ୍ତି। ତେଣୁ ଏଥିପାଇଁ ସରକାରୀ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ମଜଭୁତ ଏବଂ ସଂପ୍ରସାରିତ କରିବାକୁ ପଡିବ।

୧୮- ଏ କ୍ଷେତ୍ରରେ ଚତୁର୍ଥ ଶିକ୍ଷାଟି ହେଉଛି- ବିଜ୍ଞାନ ଓ ପ୍ରଯୁକ୍ତି ବିଷୟକ। ମହାମାରୀ ଚେତାଇ ଦେଇଛି ଯେ ବିଜ୍ଞାନ ଓ ପ୍ରଯୁକ୍ତିର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଡିବ। ଲକ୍‌ଡାଉନ ଓ ତା’ ପରବର୍ତ୍ତୀ ସମୟରେ ଶାସନ, ଶିକ୍ଷା, ବ୍ୟବସାୟ, ଅଫିସ କାର୍ଯ୍ୟ ଓ ସାମାଜିକ ସଂପର୍କ ରକ୍ଷାରେ ସୂଚନା ଓ ଯୋଗାଯୋଗ ଟେକ୍‌ନୋଲଜି ଏକ ସଫଳ ଆୟୁଧଭାବେ ପ୍ରମାଣିତ ହୋଇଛି। ଜୀବନରକ୍ଷା ଏବଂ ଜୀବିକା ଆରମ୍ଭ କାର୍ଯ୍ୟକ୍ରମ ଏହି ଦୁଇଟି କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇ ନିଜର ଅପରିହାର୍ଯ୍ୟତା ପ୍ରମାଣିତ କରିଛି।

୧୯- ଉଭୟ ଭାରତ ସରକାର ଓ ପ୍ରାଦେଶି ସରକାରଗୁଡିକର ଦପ୍ତରରେ କାର୍ଯ୍ୟ ସଂପାଦନରେ ଏବେ ବ୍ୟାପକଭାବେ ଭର୍ଚୁଆଲ ଇଣ୍ଟରଫେସ୍‌ ପ୍ରଚଳିତ ହେଉଛି। ନ୍ୟାୟପାଳିକା ମଧ୍ୟ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏବେ ଭର୍ଚୁଆଲ କୋର୍ଟ ଆୟୋଜନ କରୁଛନ୍ତି। ରାଷ୍ଟ୍ରପତି ଭବନରେ ମଧ୍ୟ ଭର୍ଚୁଆଲ କନ୍‌ଫରେନ୍ସ ଆୟୋଜନ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ନୂଆ ଟେକ୍‌ନୋଲଜି ବ୍ୟବହାର କରାଯାଉଛି। ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ଟୁଲ୍‌ସ ଇ-ଶିକ୍ଷା ଓ ଦୂରଶିକ୍ଷାକୁ ପ୍ରୋତ୍ସାହିତ କରୁଛି। ଅଧିକାଂଶ କ୍ଷେତ୍ରରେ ଘରୁ କାମ କରିବା ବା ୱାର୍କ ଫ୍ରମ ହୋମ୍‌ ଏକ ନୂଆ ଧାରା ସୃଷ୍ଟି କରିଛି। କେତେକ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଅଧିକ ସମୟ କାର୍ଯ୍ୟକରି ଆର୍ଥିକ ପ୍ରଗତିର ଚକକୁ ଆଗେଇ ନେବାପାଇଁ ଟେକ୍‌ନୋଲଜି ବିଶେଷ ସହାୟକ ହୋଇଛି। ଅତଏବ ବିଜ୍ଞାନ ଓ ପ୍ରଯୁକ୍ତିର ପ୍ରୟୋଗ, ପ୍ରକୃତି ସହ ସମନ୍ୱୟ ରକ୍ଷା କରି ବଞ୍ଚିବା ଦ୍ୱାରା ଆମର ସ୍ଥିତି ରକ୍ଷା ଏବଂ ଅଭିବୃଦ୍ଧି ସାଧିତ ହୋଇପାରିବ ଆମେ ଏ କଥା ଶିଖିଲେ।

୨୦- ଏହିସବୁ ଶିକ୍ଷା ମାନବ ସମାଜ ପାଇଁ ବିଶେଷ ସହାୟକ ହେବ। ଯୁବପିଢି ମଧ୍ୟ ଏହି ଶିକ୍ଷା ଭଲଭାବେ ଲାଭ କରିଛି। ମୋର ବିଶ୍ୱାସ ଭାରତର ଭବିଷ୍ୟତ ସେମାନଙ୍କ ହାତରେ ନିରାପଦ। ଏବେ ଆମ ସମସ୍ତଙ୍କ ପାଇଁ ଦୁଃସମୟ ଚାଲିଛି। ଯୁବ ସମାଜ ପାଇଁ ଏହା ଆହୁରି ଖରାପ ସମୟ। ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିବା ଫଳରେ ପାଠପଢୁଥିବା ଆମ ପୁଅଝିଅଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହେବ। ସେମାନଙ୍କର ସ୍ୱପ୍ନ ଓ ଆଶା ଆକାଂକ୍ଷା ଉପରେ ପ୍ରଭାବ ପଡିବ। ତେବେ ସେ ଯାହା ହେଉ ମୁଁ ସେମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହେଁ ଯେ ଏହି ଦୁଃସମମୟ ବେଶୀକାଳ ରହିବ ନାହିଁ ଏବଂ ସେମାନେ ନିଜର ସ୍ୱପ୍ନକୁ ସାର୍ଥକ କରିବା ପାଇଁ ଚଳାଇଥିବା ଉଦ୍ୟମରୁ ବିରତ ହେବା ଅନୁଚିତ। ସମାଜ, ଅର୍ଥନୀତି, ରାଷ୍ଟ୍ର ଆଦି ଧ୍ୱଂସଲୀଳା ପରେ କିପରି ସଫଳତାର ସହ ପୁନଃନିର୍ମିତ ହୋଇଛି ତାହାର ପ୍ରେରଣାଦାୟୀ ଓ ଚମତ୍କାର ଉଦାହରଣମାନ ଇତିହାସରେ ରହିଛି। ମୁଁ ନିଶ୍ଚିତ ଆମ ଦେଶ ଏବଂ ଆମ ଯୁବ ସମାଜର ଏକ ଉଜ୍ଜ୍ୱଳ ଭବିଷ୍ୟତ ରହିଛି।

୨୧- ଆମର ପିଲା ଓ ଯୁବକମାନଙ୍କୁ ଏକ ଭବିଷ୍ୟବାଦୀ ଶିକ୍ଷା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଏକ ନୂଆ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ବିକଶିତ ହେବା ସହ ଭବିଷ୍ୟତର ଆହ୍ୱାନକୁ ସୁଯୋଗରେ ପରିଣତ କରିପାରିବ ଏବଂ ନୂଆ ଭାରତ ପାଇଁ ରାସ୍ତା ଦେଖାଇବ ବୋଲି ମୁଁ ଦୃଢ ନିଶ୍ଚିତ। ଆମର ଯୁବ ସମାଜ ନିଜ ନିଜର ଆଗ୍ରହ ଓ ମେଧା ଅନୁସାରେ ସ୍ୱାଧୀନଭାବେ ଏହି ବ୍ୟବସ୍ଥାରେ ନିଜର ପାଠ୍ୟ ବିଷୟ ବାଛିପାରିବେ। ଏହାଦ୍ୱାରା ସେମାନେ ନିଜର ଦକ୍ଷତା ଅନୁଭବ କରିବାର ସୁଯୋଗ ପାଇବେ। ଆମର ଭବିଷ୍ୟତର ବଂଶଧର ଏହି ନବସାମର୍ଥ୍ୟ ଦ୍ୱାରା କେବଳ ନିଯୁକ୍ତି ପାଇବେ ନାହିଁ, ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ।

୨୨- ନୂଆ ଶିକ୍ଷାନୀତିର ଦୀର୍ଘମିଆଦୀ ଲକ୍ଷ୍ୟ ଏବଂ ବ୍ୟାପକ ପ୍ରଭାବ ରହିଛି। ଶିକ୍ଷା କ୍ଷେତ୍ରରେ ସମାବେଶୀ ସଂସ୍କୃତି, ନବସୃଜନ ଓ ଅନୁଷ୍ଠାନ ନିର୍ମାଣକୁ ଏହା ଦୃଢୀଭୂତ କରିବ। ମାତୃଭାଷାରେ ଶିକ୍ଷାଦାନକୁ ଯେଉଁ ଗୁରୁତ୍ୱ ଦିଆଯାଇଛି ତଦ୍ଵାରା କୋମଳମତି ଶିଶୁଙ୍କ ମସ୍ତିଷ୍କ ସ୍ୱଭାବିକଭାବେ ବିକଶିତ ହେବ। ଏହାଦ୍ୱାରା ଭାରତୀୟ ଭାଷା ସମୂହ ମଧ୍ୟ ସଶକ୍ତ ହୋଇ ଦେଶର ଏକତାକୁ ଦୃଢୀଭୂତ କରିବେ। ଯୁବ ସଶକ୍ତୀକରଣ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ଅପରିହାର୍ଯ୍ୟ। ଜାତୀୟ ଶିକ୍ଷାନୀତି ଏ ଦିଗରେ ଏକ ଉଚିତ ପଦକ୍ଷେପ।

ମୋର ପ୍ରିୟ ଦେଶବାସୀ,

୨୩- ମାତ୍ର ୧୦ଦିନ ପୂର୍ବରୁ ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିଠାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆମ ସମସ୍ତଙ୍କ ପାଇଁ ବାସ୍ତବରେ ଏହା ଏକ ଗର୍ବର ମୁହୂର୍ତ୍ତ। ଦେଶବାସୀ ଦୀର୍ଘକାଳ ଯାଏଁ ଧୈର୍ଯ୍ୟ ଓ ସଂଯମ ପ୍ରଦର୍ଶନ କରି ନ୍ୟାୟପାଳିକା ଉପରେ ଅକୁଣ୍ଠ ବିଶ୍ୱାସ ସ୍ଥାପନ କରିଥିଲେ। ରାମ ଜନ୍ମଭୂମି ବିବାଦ ନ୍ୟାୟିକ ପ୍ରକ୍ରିୟାରେ ସମାଧାନ ହୋଇଥିଲା। ସମସ୍ତ ସଂପୃକ୍ତ ପକ୍ଷ ଏବଂ ଜନସାଧାରଣ ସମ୍ମାନର ସହ ସୁପ୍ରିମକୋର୍ଟଙ୍କ ରାୟକୁ ଗ୍ରହଣ କରିଥିଲେ। ଏହା ମାଧ୍ୟମରେ ସେମାନେ ଶାନ୍ତି, ଅହିଂସା, ସମନ୍ୱୟ ପ୍ରତି ଶ୍ରଦ୍ଧା ଭଳି ଭାରତୀୟ ସଂବୃତି ଓ ମୂଲ୍ୟବୋଧକୁ ସମଗ୍ର ବିଶ୍ୱ ଆଗରେ ପ୍ରଦର୍ଶନ କରିଛନ୍ତି। ଏହି ପ୍ରଶଂସନୀୟ ବ୍ୟବହାର ପାଇଁ ଦେଶବାସୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି।

ପ୍ରିୟ ଦେଶବାସୀ,

୨୪- ଭାରତ ଯେତେବେଳେ ସ୍ୱାଧୀନ ହେଲା ସେତେବେଳେ ଅନେକଙ୍କର ଅନୁମାନ ଥିଲା ଯେ ଗଣତନ୍ତ୍ର ସହିତ ଆମର ପରୀକ୍ଷା ନିରୀକ୍ଷା ବେଶୀଦିନ ଚାଲିବ ନାହିଁ। ଶାସନର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସେମାନେ ଆମର ପ୍ରାଚୀନ ପରମ୍ପରା ଓ ସମୃଦ୍ଧ ବିବିଧତାକୁ ଏକ ପ୍ରତିବନ୍ଧକଭାବେ ଦେଖିଥିଲେ; କିନ୍ତୁ ଆମେ ସବୁବେଳେ ଏହି ବିବିଧତା ଓ ପରମ୍ପରାକୁ ଏକ ଶକ୍ତିଭାବେ ଗ୍ରହଣ କରିଆସିଛୁ ଏବଂ ଏହା ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରକୁ ଏବେ ଚମକାଉଛି। ମାନବ କଲ୍ୟାଣ ପାଇଁ ଭାରତକୁ ତାହାର ନେତୃତ୍ୱ ଭୂମିକା ବଜାୟ ରଖିବାକୁ ପଡିବ।

୨୫- ଏହି ମହାମାରୀ କାଳରେ ଆପଣମାନେ ଯେଉଁ ଧୈର୍ଯ୍ୟ ଓ ପ୍ରଜ୍ଞା ପ୍ରଦର୍ଶନ କରି ପରିସ୍ଥିତି ସହ ନିଜକୁ ଖାପଖୁଆଇ ଚଳୁଛନ୍ତି ତାହା ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି। ମୋର ବିଶ୍ୱାସ ଆପଣମାନେ ଏହି ସତର୍କତା ଅବଲମ୍ବନ କରି ଦାୟିତ୍ୱପୂର୍ଣ୍ଣଭାବେ ଆଗକୁ କାର୍ଯ୍ୟ କରିବେ।

୨୬- ବୌଦ୍ଧିକ, ଆଧ୍ୟାତ୍ମିକ ଏବଂ ବିଶ୍ୱ ଶାନ୍ତି କ୍ଷେତ୍ରରେ ଆନ୍ତର୍ଜାତିକ ସମୁଦାୟକୁ ଆମକୁ ଯଥେଷ୍ଟ କିଛି ପ୍ରଦାନ କରିବାର ଅଛି। ଏହି ଭାବନାର ସହିତ ମୁଁ ସମସ୍ତଙ୍କର କଲ୍ୟାଣ କାମନା କରି ଏହି ପ୍ରାର୍ଥନା ଗାଉଛି।

ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ।

ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା’ କଶ୍ଚିଦ ଦୁଃଖଭା ଭବେତ୍‌।

ଅର୍ଥାତ୍‌ ସମସ୍ତେ ଖୁସିରେ ରୁହନ୍ତୁ।

ସମସ୍ତେ ସୁସ୍ଥ ରୁହନ୍ତୁ।

ସମସ୍ତେ ଶୁଭାଶୁଭ ଦେଖନ୍ତୁ।

କେହି ଦୁଃଖରେ ନ ରୁହନ୍ତୁ।

ଏହି ପ୍ରାର୍ଥନାର ବାର୍ତ୍ତା ବିଶ୍ୱର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଏବଂ ମାନବ ସମାଜକୁ ଭାରତର ଏହା ଏକ ଅନୁପମ ଉପହାର।

୨୭- ମୁଁ ପୁଣି ଥରେ ୭୪ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆପଣମାନଙ୍କୁ ଅଭିବାଦନ ଜ୍ଞାପନ କରୁଛି। ଆପଣମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଛି।

ଧନ୍ୟବାଦ।

ଜୟହିନ୍ଦ।