Odiapua.com

ମାହାଙ୍ଗା : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ ମୃତ, ୧ ଗୁରୁତର

ମାହାଙ୍ଗା, ୧୭/୬ (ଓଡ଼ିଆ ପୁଅ /ଅଭୟ ଜେନା ) କୁଆଁପାଳ-ବାଲିଚନ୍ଦ୍ରପୁର ରାସ୍ତାର ପଟ୍ଟାମୁଣ୍ଡାଇ କେନାଲ ପିଙ୍ଗୁଲେଇ ବଂଧ ନିକଟରେ ଆଜି ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।

ରାସ୍ତା ଉପରେ ଦୀର୍ଘ ଏକ ସପ୍ତାହ ତଳୁ ରଖାଯାଇଥିବା ପୋକଲୀନ ଗାଡି ସହ ଦୁଇ ଜଣ ବାଇକ ଆରୋହୀଙ୍କ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଛି।

ବର୍ଷା ଓ ଅଂଧାର ରାତିରେ ବାଲିଚନ୍ଦ୍ରପୁର ବଜାର ଅତିକ୍ରମ କରି କଟକ ଅଭିମୁଖେ ହଣ୍ଡା ୟୁନିକନ (OD-O୫ AK୧୪୦୨) ରେ ଯାଉଥିବା ୨ ଜଣ ବ୍ୟକ୍ତି କେନ୍ଦ୍ରାପଡ଼ା ନରଣପୁର ପ୍ରିୟବ୍ରତ ସ୍ୱାଇଁ ଏବଂ ଗଣ୍ଡାକିଆର ଇନ୍ଦୁପୁର ଅଂଚଳର ଦୀପକ ବିଶ୍ୱାଳ ଯାଉଥିବା ବେଳେ ପୋକଲୀନ ସହ ଧକ୍କା ହୋଇ ଘଟଣା ସ୍ଥଳୀରେ ଜଣକର ମୃତ୍ୟୁ ଘଟିଛି, ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଦୀପକ ବିଶ୍ୱାଳ ଓ ଆହତ ପ୍ରିୟବ୍ରତ ସ୍ୱାଇଁ ବୋଲି ଜଣାପଡିଛି।

ଉତ୍ୟକ୍ତ ଲୋକେ ପୋକଲୀନ ଗାଡ଼ିଟିକୁ ନିଆଁ ଲଗାଇ ପୋଡିଦେଇଛନ୍ତି। ଏଭଳି ଅଭାବନୀୟ ଘଟଣାପାଇଁ ଲୋକେ ସିଧାସଳଖ ଜଳସମ୍ପଦ ବିଭାଗକୁ ଦାୟୀ କରିଛନ୍ତି।

ନିମ୍ନ ମାନର କାମ ଯୋଗୁଁ ବାଗସରପୁର ନିକଟରେ ପଟ୍ଟାମୁଣ୍ଡାଇ କେନାଲର ଏକ ଗାର୍ଡୱାଲ ଭୁଷୁଡ଼ି ପଡିଥିଲା। ଏହାର ମରାମତି ପାଇଁ ଏହି ମେସିନ ଲଗାଇ ମାଟି ଖୋଳା ଯାଉଥିଲା। ରଜ ପୂର୍ବରୁ ମେସିନଟିକୁ ବେପରୁଆ ଭାବେ ଠିକାଦାର ରାସ୍ତା ମଝିରେ ରଖି ଚାଲିଯିବାରୁ, ଜଣକର ଜୀବନ ଚାଲିଗଲା ବୋଲି ଅଭିଯୋଗ ହୋଇଛି।

ପୋଲିସ ଘଟଣା ସ୍ଥଳରେ ପହଂଚି ପୋକଲୀନ ମେସିନକୁ ରାତାରାତି ରାସ୍ତା ମଝିରୁ ଉଠାଇ ନେବାକୁ ଉଦ୍ୟମ କରିଛି। ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।