Odiapua.com

ଭାଇଙ୍କୁ ଗାଳି, ଭାଉଜଙ୍କୁ ଶାଢ଼ୀ! ବାଃ, ରେ ଦିଦି…

ନୂଆଦିଲ୍ଲୀ: ମମତା ଦିଦିଙ୍କ ସହ ମୋଦୀଙ୍କ ସଂପର୍କ ସଭିଙ୍କୁ ଜଣା।ଉଭୟ ଉଭୟଙ୍କୁ ପ୍ରାୟ ପ୍ରତ୍ୟେକ କଥାରେ ଟାର୍ଗେଟ୍ କରନ୍ତି, କଥା କଥାକେ ଗାଳି କରନ୍ତି।ଦେଶରେ ଯେତେ ମୁଖ୍ୟମନ୍ତ୍ରୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବୋଧହୁଏ ସବୁଠାରୁ ତିକ୍ତ ସଂପର୍କ।ହେଲେ ଭାଇଙ୍କ ସହ ସିନା ସଂପର୍କ ଖରାପ, କିନ୍ତୁ ଭାଉଜଙ୍କ ପ୍ରତି ଖୁବ୍ ଆଦର।ଭାଇଙ୍କୁ ସିନା ଗାଳି କରୁଛନ୍ତି, କିନ୍ତୁ ଭାଉଜଙ୍କୁ ଶାଢ଼ୀ ଉପହାର ଦେଉଛନ୍ତି ଦିଦି।

ସୂଚନା ମୁତାବକ ମମତା ବାନାର୍ଜୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଯଶୋଦାବେନଙ୍କର ସାକ୍ଷାତ ହୋଇଛି।ଏବଂ ଏହି ସାକ୍ଷାତ ଭିତରେ ଯଶୋଦାବେନଙ୍କୁ ଏକ ଶାଢ଼ୀ ଉପହାର ଦେଇଛନ୍ତି ମମତା।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା।କୋଲକତା ଏୟାରପୋର୍ଟରେ ଏହି ସାକ୍ଷାତ ହୋଇଛି।ମମତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ ଆଲୋଚନା କରିବା ଉଦ୍ଦେଶ୍ୟରେ ଦିଲ୍ଲୀ ଯିବା ପାଇଁ କୋଲକତା ଏୟାରପୋର୍ଟରେ ପହଞ୍ଚିଥିଲେ।ତେବେ, ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦାବେନ ଝାରଖଣ୍ଡ ଧାନବାଦର ଦୁଇ ଦିନିଆ ଗସ୍ତ ସାରି ଫେରିବା ପାଇଁ କୋଲକତା ଏୟାରପୋର୍ଟ ଆସିଥିଲେ।ଏହି ସମୟରେ ଅଚାନକ ଉଭୟଙ୍କର ସାକ୍ଷାତ ହୋଇଗଲା।ମମତା ଯଶୋଦାବେନଙ୍କୁ ଏକ ଶାଢ଼ୀ ଉପହାର ଦେଇଥିଲେ।ଯଶୋଦାବେନ କୋଲକତା ଆସନସୋଲରେ ଥିବା କଲ୍ୟାଣେଶ୍ୱର ମନ୍ଦିରରେ ସୋମବାର ଦିନ ପୂଜା ଅର୍ଚ୍ଚନା କରିଥିଲେ।//ଦେବଦତ୍ତ ରଥ