Odiapua.com

ନୂଆ ଏକ ଛାତ୍ର ସଙ୍ଗଠନର ଅଭ୍ୟୁଦୟ

ଭୁବନେଶ୍ୱର: ମୁଣ୍ଡ ଟେକୁଛି ନୂଆ ଏକ ହିନ୍ଦୁବାଦୀ ଛାତ୍ର ସଙ୍ଗଠନ।ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ଶିବ ସେନାର ବିଦ୍ୟାର୍ଥୀ ଶାଖା ରାଷ୍ଟ୍ରବାଦୀ, ହିନ୍ଦୁବାଦୀ ଛାତ୍ର ସଙ୍ଗଠନ ଭାବରେ ଉଭା ହୋଇଥିଲା।କିନ୍ତୁ ଶିବସେନାର ଛାତ୍ର ସଙ୍ଗଠନ କେବଳ ସେହି ମହାରାଷ୍ଟ୍ର ମଧ୍ୟରେ ସୀମିତ ରହି ଯାଇଥିବା ବେଳେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ବିଚାରଧାରାକୁ ନେଇ ଗଠିତ ଏବିଭିପି ବିଜେପିର ଛାତ୍ର ସଙ୍ଗଠନ ଭାବରେ କାମ କରୁଛି।ତେବେ ଏବେ ଯେଉଁ ନୂଆ ଏକ ହିନ୍ଦୁ ଛାତ୍ର ସଙ୍ଗଠନ ଭାବରେ ଉଭା ହେଉଛି, ତାହା ହେଲା ରାଷ୍ଟ୍ରୀୟ ଛାତ୍ର ପରିଷଦ (ଆରସିପି)।ଆରସିପି ହେଲା ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଛାତ୍ର ସଙ୍ଗଠନ।ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଠାରୁ ଦୂରେଇ ଯିବା ପରେ ଡଃ: ପ୍ରବୀଣ ତୋଗାଡ଼ିଆ ଏଏଚପି ଆରମ୍ଭ କରିବା ପରେ ରାଜନୀତି ପାଇଁ ହିନ୍ଦୁସ୍ଥାନ ନିର୍ମାଣ ଦଳ, ମଜଦୂର କ୍ଷେତ୍ର ପାଇଁ ରାଷ୍ଟ୍ରୀୟ ମଜଦୂର ପରିଷଦ, ଦୁର୍ଗା ବାହିନୀ ପରି ମହିଳା ଶାଖା, ଯୁବା ମାନଙ୍କ ପାଇଁ ରାଷ୍ଟ୍ରୀୟ ବଜରଙ୍ଗ ଦଳ, ଏବଂ ଛାତ୍ର ସଙ୍ଗଠନ ପାଇଁ ଆରସିପି ନିର୍ମାଣ କଲେ।ସଙ୍ଗଠନ ପାଇଁ ଡଃ: ତୋଗାଡ଼ିଆ ପୂର୍ବ ଭାରତ, ବିଶେଷ କରି ଆସାମକୁ ଗୁରୁତ୍ୱ ଦେଲେ।ଖୁବ୍ କମ ସମୟ ମଧ୍ୟରେ ଏବେ ଆସାମରେ ତୋଗାଡ଼ିଆଙ୍କ ଦ୍ୱାରା ଗଠିତ ବିବିଧ କ୍ଷେତ୍ର ସଙ୍ଗଠନ ତୃଣମୂଳ ସ୍ତର ଯାଏଁ ପହଞ୍ଚୁଛି।ପୂର୍ବରୁ ଭିଏଚପିରେ ଥିବା ବେଳୁ ଯୁବାମାନଙ୍କୁ ଗୁରୁତ୍ୱ ଦେଇ ଆସୁଥିବା ତୋଗାଡ଼ିଆ ଏବେ ମଧ୍ୟ ସେୟା କରୁଛନ୍ତି।ଏ’ ଭିତରେ ଆସାମ ପରି ସ୍ଥାନରେ ଆରସିପି ଦୁଇ ଥର ଛାତ୍ର ସଂସଦ ନିର୍ବାଚନ ଲଢ଼ି ସାରିଲାଣି।ଭଲ ପ୍ରଗତି ମଧ୍ୟ କରୁଛି।ଚଳିତ ଥର କିଛି ପଦବୀ ମଧ୍ୟ ଜିତି ପାରିଛି।ପ୍ରିୟା ଦାସ, ମାମି ଡେକା, ଦ୍ରିଷ୍ଟି ଡେକା ଆଦି ବିଭିନ୍ନ ପଦବୀ ଜିତି ପାରିଛନ୍ତି।କେବଳ ଛାତ୍ର ସଂସଦ ନିର୍ବାଚନ ଲଢ଼ିବା ପାଇଁ ନୁହେଁ, ବର୍ଷ ସାରା ଆରସିପି ଏଠି ସଙ୍ଗଠନ କାମ କରୁଛି।ଫଳାଫଳ ଯେତେ ବଡ଼ ନୁହେଁ, ଏମାନଙ୍କର କ୍ୟାମ୍ପନିଂ ସମୟ ଏବଂ ବିଜୟ ଉଲ୍ଲାସ ସମୟର ପ୍ରଦର୍ଶନକୁ ଦେଖି ଏହା ଅନୁଭବ ହେଉଛି।ଏପରିକି ଛାତ୍ରୀମାନେ ଆସି ଆରସିପିରେ ଯୋଗ ଦେଉଛନ୍ତି।କ୍ୟାମ୍ପନିଂ କରୁଛନ୍ତି, ଛାତ୍ର ସଂସଦ ନିର୍ବାଚନ ଲଢ଼ୁଛନ୍ତି।ଏବଂ ନିର୍ବାଚନ ଜିତି ବିଜୟ ଉତ୍ସବ ମଧ୍ୟ ପାଳୁଛନ୍ତି।

ଆସାମରେ ଛାତ୍ର ସଂସଦ ନିର୍ବାଚନରେ ପ୍ରଦର୍ଶନକୁ ନେଇ କୋଲକତା- ଗୌହାଟୀ ଜୋନାଲ୍ (କ୍ଷେତ୍ରୀୟ) ସଭାପତି ଦାୟିତ୍ୱରେ ଥିବା ଯତୀନ କୁମାର ସ୍ୱାଇଁ ଜିତିଥିବା ପାର୍ଥି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଓଡ଼ିଶାରେ ମଧ୍ୟ ଆରସିପି ସକ୍ରିୟତାର ସହ କାମ କରିବ।ଚଳିତ ଥର ସିନା ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଗଲା।ଆଗାମୀ ଥର ଆମେ ଅଧିକରୁ ଅଧିକ କଲେଜରେ ପାର୍ଥି ଦେବୁ ବୋଲି କହିଛନ୍ତି ଯତୀନ ସ୍ୱାଇଁ ଏବଂ ଓଡ଼ିଶା ପ୍ରାନ୍ତ ଉପ ସଭାପତି ଚନ୍ଦନ ମହାରଣା।//ଦେବଦତ୍ତ ରଥ