Odiapua.com

ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଏବଂ ପ୍ରଭାରୀ ବୈଠକ ଅନୁଷ୍ଠିତ ..

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଏବଂ ପ୍ରଭାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯୋଗଦେଇ ମହିଳା ମୋର୍ଚ୍ଚାର ସଙ୍ଗଠନକୁ ଆହୁରୀ ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ମହିଳା ସଶକ୍ତିକରଣ ପାଇଁ ବହୁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି। ଉଜ୍ୱଳା ଯୋଜନା, ବେଟି ବଚାଓ- ବେଟି ପଢ଼ାଓ, ଜନନୀ ସୁରକ୍ଷା ଯୋଜନା, ପୋଷଣ ଯୋଜନା, କିଶୋରୀ ଶକ୍ତି ଯୋଜନା, ସ୍ଟେପ୍‌, ସ୍ୱଧାର ଗୃହ ଆଦି ବହୁ କଲ୍ୟାଣକାରୀ ଯୋଜନାକୁ ସଫଳ ରୂପାୟନ କରିଛନ୍ତି। ସେହିପରି ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାର ପ୍ରୟାସ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ। ମାତ୍ର ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଏ’ ସମସ୍ତ ଯୋଜନାର ସୁଫଳ ରାଜ୍ୟର ଅଗଣିତ ମା’ ଓ ଭଉଣୀମାନେ ପାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟ ପଟେ ମୋଦି ସରକାରଙ୍କ ପ୍ରତ୍ୟେକ ଯୋଜନାକୁ କପି- ପେଷ୍ଟ କରି ରାଜ୍ୟରେ ଶାସକ ବିଜେଡି ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ପ୍ରଚେଷ୍ଟା ଜାରୀ ରଖିଛନ୍ତି। ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ ନକରି ଓଡ଼ିଶାବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ଶାସକ ବିଜେଡି ପ୍ରତାରଣ କରୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜନବିରୋଧୀ ବୋଲି ବୈଠକରେ କୁହାଯାଇଛି।

କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନା ଏବଂ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ଆଗାମୀ ଦିନରେ ଘର ଘର ବୁଲି ରାଜ୍ୟବାସୀଙ୍କୁ ଅବଗତ କରାଇବା ସହ ସଚେତନ କରାଇବେ ବୋଲି ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ସୂଚନା ଦେଇ କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଏବଂ ଜିଲ୍ଲା ପ୍ରଭାରୀ ମାନଙ୍କ ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା ଓ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଦଶମତୀ ଛତରଙ୍କ ସମେତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା କାନନବାଳା ପଟ୍ଟନାୟକ, ନିୟତି ଗିରି, ସୁଷମା ରାଣୀ ବିଶ୍ୱାଳ, କସ୍ତୁରୀ ମିଶ୍ର, ନିରୋଜ ନଳିନୀ ମାହାଲ୍ଲିକ, ରାଜ୍ୟ ସାଧାରଣ ସମ୍ପାଦିକା ବବିତା ପାତ୍ର ଓ କଳ୍ପନା ଲେଙ୍କା, ସମ୍ପାଦିକା ରଶ୍ମିରେଖା ଦାସ, କୌଶଲ୍ୟା ନାୟକ, ଜୟଲକ୍ଷ୍ମୀ ମହାନ୍ତି, ଇତିଶ୍ରୀ ଜେନା, ମହିଳା ମୋର୍ଚ୍ଚା ରାଜ୍ୟ ମିଡିଆ ସେଲ୍ ପ୍ରମୂଖ ସୂଚରୀତା ଜେନାମଣି, ସୋସିଆଲ୍ ମିଡିଆ ସଂଯୋଜିକା ସତରୂପା ମିଶ୍ର ପ୍ରମୂଖ ମହିଳା ମୋର୍ଚ୍ଚାର ରାଜ୍ୟ ପଦାଧିକାରୀଙ୍କ ସମେତ ରାଜ୍ୟ ସଂଯୋଜିକା ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମାନେ ଉପସ୍ଥିତ ଥିଲେ।
-@Dr